Nepal Communal Violence 2026 / ସାମ୍ପ୍ରଦାୟିକ ହିଂସାରେ ଜଳୁଛି ନେପାଳ; କର୍ଫ୍ୟୁ ଲାଗୁ ହେବା ସତ୍ତ୍ୱେ ସୁଧୁରୁ ନାହିଁ ସ୍ଥିତି, ୩ ମୃତ
·1 hour ago·3 min read

Key Points
ନେପାଳର ଅନେକ ସ୍ଥାନରେ ହିଂସା, ପୋଡ଼ାଜଳା, ଭଙ୍ଗାରୁଜା, ପଥର ଫିଙ୍ଗା ଏବଂ ପୋଲିସ ସହିତ ସଂଘର୍ଷ ଭଳି ଘଟଣା ଘଟିଥିବାର ରିପୋର୍ଟ ଆସିଛି। ଏଭଲି ଘଟଣା ଏବେ ଦେଶର ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ପ୍ରଶ୍ନ ଉଠାଇଛି।
Nepal communal violence in 6 cities: ନେପାଳର ସୁନସାରୀ ଜିଲ୍ଲାରେ ହୋଇଥିବା ସାମ୍ପ୍ରଦାୟିକ ହିଂସା ଏବେ ଦେଶର ଅନେକ ସହରକୁ ବ୍ୟାପିଯାଇଛି। ବିଗତ ୪ ଦିନ ମଧ୍ୟରେ ଦେଶର ବିଭିନ୍ନ ସ୍ଥାନରେ ହିଂସା, ପୋଡ଼ାଜଳା, ଭଙ୍ଗାରୁଜା, ପଥର ଫିଙ୍ଗା ଏବଂ ପୋଲିସ ସହିତ ସଂଘର୍ଷ ଘଟଣା ଦେଶର ଆଇନ ଶୃଙ୍ଖଳା ବ୍ୟବସ୍ଥା ଉପରେ ଗମ୍ଭୀର ପ୍ରଶ୍ନ ଉଠାଇଛି। ଉତ୍ତେଜନା ଏତେ ବୃଦ୍ଧି ପାଇଛି ଯେ ସ୍ଥାନୀୟ ପ୍ରଶାସନକୁ ଅନେକ ଜିଲ୍ଲାରେ କର୍ଫ୍ୟୁ ଜାରି କରିବାକୁ ବାଧ୍ୟ ହୋଇଥିଲା। ସେହିପରି ନେପାଳ ସେନା ବାହିନୀକୁ ରାସ୍ତା ଏବଂ ସମ୍ବେଦନଶୀଳ ଅଞ୍ଚଳ ଉପରେ ନଜର ରଖିବା ପାଇଁ ହେଲିକ୍ୟାପ୍ଟର ମୁତୟନ କରିବାକୁ ପଡ଼ିଥିଲା। ହିଂସାରେ ଏପର୍ଯ୍ୟନ୍ତ ୩ ଜଣଙ୍କର ମୃତ୍ୟୁ ହୋଇସାରିଛି। ଅନ୍ୟପଟେ ଗୁଳି ମାଡ଼ ସମେତ ବିଭିନ୍ନ ଘଟଣାରେ ଅନେକ ଲୋକ ଆହତ ହୋଇଛନ୍ତି।
ଆହତଙ୍କ ମଧ୍ୟରେ ପ୍ରଦର୍ଶନକାରୀ, ସ୍ଥାନୀୟ ନାଗରିକ ଏବଂ ସୁରକ୍ଷା କର୍ମୀ ଅନ୍ତର୍ଭୂକ୍ତ ଅଛନ୍ତି। ବିଭିନ୍ନ ସ୍ଥାନରେ ସରକାରୀ ଏବଂ ବେସରକାରୀ ସମ୍ପତ୍ତି କ୍ଷତିଗ୍ରସ୍ତ ହୋଇଛି। ବ୍ୟାପକ ମାତ୍ରାରେ ଗାଡ଼ି ମଟର ସହ ଦୋକାନ ବଜାର ଭଙ୍ଗାରୁଜା ହୋଇଥିବାର ଖବର ଆସିଛି। ଦେଶରେ ଜାରି ରହିଥିବା ହିଂସାକାଣ୍ଡ ମଧ୍ୟରେ ନେପାଳ ରାଷ୍ଟ୍ରପତି ରାମଚନ୍ଦ୍ର ପୌଡେଲ ସୁନସାରି ଜିଲ୍ଲା ଏବଂ ଆଖପାଖ ଅଞ୍ଚଳରେ ସାମ୍ପ୍ରତିକ ପରିସ୍ଥିତିକୁ ଗଭୀର ଚିନ୍ତାବ୍ୟକ୍ତ କରିଛନ୍ତି। ସେ ସାମାଜିକ, ଧାର୍ମିକ ଏବଂ ଜାତିଗତ ସଦ୍ଭାବ, ସହନଶୀଳତା, ପାରସ୍ପରିକ ବୁଝାମଣା, ଭାଇଚାରା ଏବଂ ଜାତୀୟ ଏକତା ବଜାୟ ରଖିବା ପାଇଁ ନିବେଦନ କରିଛନ୍ତି।
ପ୍ରତ୍ୟକ୍ଷଦର୍ଶୀ ଏବଂ ସ୍ଥାନୀୟ ବାସିନ୍ଦାଙ୍କ କହିବା ଅନୁଯାୟୀ, ଦିୱାନଗଞ୍ଜ ଠାରେ ବୋଲବମ୍ ଯାତ୍ରା ସମୟରେ ହିନ୍ଦୁ ଭକ୍ତ ଏବଂ ସ୍ଥାନୀୟ ମୁସଲିମ୍ ସମ୍ପ୍ରଦାୟର କିଛି ସଦସ୍ୟଙ୍କ ମଧ୍ୟରେ ବିବାଦ ହୋଇଥିଲା। ଅନ୍ୟପଟେ ମହରମ୍ ଅବସରରେ ଏକ ମନ୍ଦିର ସାର୍ବଜନୀନ ଜମିରେ ଉଡ଼ାଯାଇଥିବା ପତାକା ହଟାଇବାକୁ ନେଇ ପୂର୍ବରୁ ବିବାଦ ହୋଇଥିବାର ଅଭିଯୋଗ ହୋଇଥିଲା। ବାରମ୍ବାର ଅନୁରୋଧ ସତ୍ତ୍ୱେ ପତାକାକୁ ହଟାଯାଇ ନଥିଲା। ଏହି ପ୍ରସଙ୍ଗକୁ ନେଇ ଉଭୟ ପକ୍ଷ ମଧ୍ୟରେ ମୁହାଁମୁହିଁ ହୋଇଥିଲା।
ଏହା ସହ ପଢନ୍ତୁ: ବର୍ଷା ଦେଲା ଧୋକ୍କା, ଧାନ ଚାଷ ପାଇଁ ନାହିଁ ସାର; ଭାରତ ଉପରେ ପଡ଼ିଲା ନେପାଳୀ ଚାଷୀଙ୍କ ନଜର
ଗତ ରବିବାର ରାତିରେ, ଯେତେବେଳେ ବୋଲବମ୍ ପାଇଁ ସେହି ଭୂମିରୁ କାଉଡ଼ି ଯାତ୍ରା ଆରମ୍ଭ ହେଉଥିଲା, ସେତେବେଳେ କାଉଡ଼ିଆଙ୍କ ଉପରେ ହଠାତ୍ ଆକ୍ରମଣ ହୋଇଥିଲା। ବିବାଦ ବଢ଼ିବା ସହିତ ପରିସ୍ଥିତି ହିଂସାତ୍ମକ ରୂପ ନେଇଥିଲା। ପଥର ଫିଙ୍ଗା ଏବଂ ସଂଘର୍ଷ ଘଟଣା ମଧ୍ୟରେ ପୋଲିସ ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ବଳ ପ୍ରୟୋଗ କରିଥିଲା।
ସୁନସାରି ଅଞ୍ଚଳରେ ହୋଇଥିବା ହିଂସା ଧିରେ ଧିରେ ଅନ୍ୟ ସହରକୁ ବ୍ୟାପି ଯାଇଥିଲା। ବିଭିନ୍ନ ସ୍ଥାନରେ ସାମ୍ପ୍ରଦାୟିକ ଉତ୍ତେଜନା ବୃଦ୍ଧି ପାଇଥିଲା। ଯାହା ଫଳରେ ପ୍ରଶାସନ ଅନେକ କଠୋର ପଦକ୍ଷେପ ନେବାକୁ ବାଧ୍ୟ ହୋଇଥିଲା। ଅନେକ ସହରରେ ଇଣ୍ଟରନେଟ୍ ସେବା ଉପରେ ସତର୍କ ନଜର ରଖାଯିବା ସହ ଅତିରିକ୍ତ ସୁରକ୍ଷା ବାହିନୀ ମୁତୟନ କରାଯାଇଥିଲା। ଏହା ସହିତ ଲୋକଙ୍କୁ ଘର ଭିତରେ ରହିବାକୁ ଅନୁରୋଧ କରାଯାଇଥିଲା।
ପରିସ୍ଥିତି ଖରାପ ହେବା ସହିତ, ପ୍ରଶାସନ ଇନାରୱା, ଜନକପୁର, ସିରାହା, ଗୋଲବଜାର ଏବଂ ଲାହାନ ସମେତ ଅନେକ ସହରରେ କର୍ଫ୍ୟୁ ଜାରି କରିଥିଲା। ସମ୍ବେଦନଶୀଳ ଅଞ୍ଚଳରେ ପୋଲିସ ସହିତ ସଶସ୍ତ୍ର ପୋଲିସ ବାହିନୀ ଏବଂ ନେପାଳୀ ସେନା ମୁତୟନ ହୋଇଥିଲେ। ସେନା ଅନେକ ସ୍ଥାନରେ ଫ୍ଲାଗ ମାର୍ଚ୍ଚ କରିବା ସହ ଆକାଶ ମାର୍ଗରୁ ପରିସ୍ଥିତି ଉପରେ ନଜର ରଖିଥିଲା।
ନିରନ୍ତର ହିଂସା ମଧ୍ୟରେ, ପୋଲିସ ପ୍ରଶାସନର ପରିସ୍ଥିତି ନିୟନ୍ତ୍ରଣ କରିବା ଉପରେ ପ୍ରଶ୍ନ ଉଠାଯାଉଛି। ଅନେକ ସ୍ଥାନରେ, ଉତ୍ତ୍ୟକ୍ତ ଲୋକଙ୍କ ଭିଡ଼ ପୋଲିସ ଉପରେ ଭାରୀ ପଡୁଥିବାର ଖବର ଆସିଥିଲେ। ଯାହା ପରେ ପରିସ୍ଥିତି ନିୟନ୍ତ୍ରଣ କରିବା ପାଇଁ ସେନା ବାହିନୀକୁ ହସ୍ତକ୍ଷେପ କରିବାକୁ ପଡ଼ିଥିଲା। ଦେଶର ସୁରକ୍ଷା ଏଜେନ୍ସି ଦାବି କରିଛନ୍ତି ଯେ ହିଂସାକାଣ୍ଡର ଜଡ଼ିତ ଅପରାଧିଙ୍କୁ ଚିହ୍ନଟ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ହେଲେ ବିରୋଧି ଏବଂ ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି ଯେ ପ୍ରାରମ୍ଭିକ ପର୍ଯ୍ୟାୟରେ ପ୍ରଭାବଶାଳୀ କାର୍ଯ୍ୟାନୁଷ୍ଠାନ ଅଭାବରୁ ପରିସ୍ଥିତି ଆହୁରି ଖରାପ ହୋଇଛି।
ଏହା ସହ ପଢନ୍ତୁ: ବିପଦରେ ନେପାଳୀ ଚା' ଉଦ୍ୟୋଗ; ପ୍ରତିଦିନ ନଷ୍ଟ ହେଉଛି ଲକ୍ଷ ଲକ୍ଷ କିଲୋ ପତ୍ର
ଏହି ସମୟରେ, ପ୍ରଧାନମନ୍ତ୍ରୀ ବାଲେନ ଶାହଙ୍କ ନେତୃତ୍ୱାଧିନ ସରକାରଙ୍କୁ ବିରୋଧି ଟାର୍ଗେଟ୍ କରିବାରେ ଲାଗିଛନ୍ତି। ବିରୋଧି ଦଳ ଅଭିଯୋଗ କରିଛନ୍ତି ଯେ ସରକାର ପରିସ୍ଥିତିର ସମାଧାନ କରିବା ପରିବର୍ତ୍ତେ କେବଳ ଘନଘନ ବୈଠକ, ସମୀକ୍ଷା ଏବଂ ଭାଷଣବାଜି ମଧ୍ୟରେ ସୀମିତ ରହୁଛନ୍ତି। ସରକାର ଶାନ୍ତି ପାଇଁ ନିବେଦନ କରି ଏବଂ ହିଂସାରେ ସମ୍ପୃକ୍ତ ଲୋକଙ୍କ ବିରୋଧଧରେ କଠୋର କାର୍ଯ୍ୟାନୁଷ୍ଠାନ ଆଶ୍ୱାସନା ଦେଇ ଉଚ୍ଚସ୍ତରୀୟ ବୈଠକ ଜାରି ରଖିଛନ୍ତି।
ବିଗତ ୪ ଦିନ ଧରି ଚାଲିଥିବା ଉତ୍ତେଜନା କାରଣରୁ ସାଧାରଣ ଜନଜୀବନ ଗୁରୁତର ଭାବରେ ପ୍ରଭାବିତ ହୋଇଛି। ବଜାର ବନ୍ଦ ରହିଛି, ସାଧାରଣ ପରିବହନ ସେବା ବାଧାପ୍ରାପ୍ତ ହୋଇଛି, ଶିକ୍ଷାନୁଷ୍ଠାନ ବନ୍ଦ ରହିଛି ଏବଂ ହଜାର ହଜାର ଲୋକ ଭୟର ବାତାବରଣ ମଧ୍ୟରେ ନିଜ ଘରେ ରହିବାକୁ ବାଧ୍ୟ ହୋଇଛନ୍ତି। ବ୍ୟବସାୟିକ କାର୍ଯ୍ୟକଳାପ ମଧ୍ୟ ଠପ୍ ହୋଇପଡ଼ିଛି। ଯାହା ସ୍ଥାନୀୟ ଅର୍ଥନୀତିକୁ ପ୍ରଭାବିତ କରୁଛି। ସରକାର ଏବଂ ସୁରକ୍ଷା ବାହିନୀ କେତେ ଶୀଘ୍ର ପରିସ୍ଥିତିକୁ ନିୟନ୍ତ୍ରଣ କରି ପାରୁଛନ୍ତି ତାହା ଉପରେ ଏବେ ସମଗ୍ର ଦେଶର ନଜର ରହିଛି।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories