|
logo
Live

Argus News - ମଜବୁତ ହେବ ରାଷ୍ଟ୍ରୀୟ ସୁରକ୍ଷା; ଏଣକି ସ୍ୱଦେଶୀ ପ୍ରଣାଳୀରେ ହେବ ବିମାନବନ୍ଦର ସୁରକ୍ଷା ଉପକରଣ ଯାଞ୍ଚ

National

BCAS and RRU MoU / ମଜବୁତ ହେବ ରାଷ୍ଟ୍ରୀୟ ସୁରକ୍ଷା; ଏଣକି ସ୍ୱଦେଶୀ ପ୍ରଣାଳୀରେ ହେବ ବିମାନବନ୍ଦର ସୁରକ୍ଷା ଉପକରଣ ଯାଞ୍ଚ

Subhramjit Ray
Browse all articles by Subhramjit Ray
·2 hours ago·4 min read
ମଜବୁତ ହେବ ରାଷ୍ଟ୍ରୀୟ ସୁରକ୍ଷା; ଏଣକି ସ୍ୱଦେଶୀ ପ୍ରଣାଳୀରେ ହେବ ବିମାନବନ୍ଦର ସୁରକ୍ଷା ଉପକରଣ ଯାଞ୍ଚ
Airport security equipment testing India

Key Points

ବେସାମରିକ ବିମାନ ଚଳାଚଳ ସୁରକ୍ଷାକୁ ସୁଦୃଢ଼ ​​କରିବା ପାଇଁ ଭାରତ ସରକାର, BCAS-RRU ସହାୟତାରେ ଉଚ୍ଚ କ୍ଷମତାସମ୍ପନ୍ନ ଏୟାରୋପର୍ଟ ସୁରକ୍ଷା ଉପକରଣ ପରୀକ୍ଷଣ କେନ୍ଦ୍ର ପ୍ରତିଷ୍ଠା କରିବାକୁ ଯାଉଛନ୍ତି। ଏହି କେନ୍ଦ୍ର ବିମାନବନ୍ଦର ସୁରକ୍ଷା ଉପକରଣର ପରୀକ୍ଷଣ, ତାଲିମ, ଗବେଷଣା ଏବଂ ମାନକୀକରଣ କରିବ। ଯାହା ଭାରତକୁ ଆତ୍ମନିର୍ଭରଶୀଳ ବିମାନ ସୁରକ୍ଷା ପ୍ରମାଣପତ୍ରର ଏକ କେନ୍ଦ୍ର କରିବ।
Airport security equipment testing India: ଦେଶରେ ରହିଥିବା ବିମାନବନ୍ଦର ସୁରକ୍ଷାକୁ ଆହୁରି ମଜବୁତ କରିବା ପାଇଁ ଭାରତ ସରକାର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। ଏହି କ୍ରମରେ ସରକାର ସ୍ୱତନ୍ତ୍ର ପରୀକ୍ଷଣ କେନ୍ଦ୍ର ପ୍ରତିଷ୍ଠା କରିବାକୁ ନିଷ୍ପତ୍ତି ନେଇଛନ୍ତି। ଯେଉଁଠି ସ୍ୱଦେଶୀ ପ୍ରଣାଳୀରେ ହେବ ବିମାନବନ୍ଦର ସୁରକ୍ଷା ଉପକରଣ ଯାଞ୍ଚ। ବେସାମରିକ ବିମାନ ଚଳାଚଳ ସୁରକ୍ଷା ବ୍ୟୁରୋ (BCAS) ଏବଂ ରାଷ୍ଟ୍ରୀୟ ପ୍ରତିରକ୍ଷା ବିଶ୍ୱବିଦ୍ୟାଳୟ (RRU) ମଧ୍ୟରେ ହୋଇଥିବା ଚୁକ୍ତି ଅନୁଯାୟୀ ଏହି ପରୀକ୍ଷଣ କେନ୍ଦ୍ର ବିମାନବନ୍ଦରରେ ବ୍ୟବହୃତ ହେଉଥିବା "ଫୁଲ ବଡ଼ି ସ୍କାନର" (Fool Body Scanner) ଏବଂ ଅନ୍ୟାନ୍ୟ ସୁରକ୍ଷା ଉପକରଣର ପରୀକ୍ଷଣ, ମୂଲ୍ୟାଙ୍କନ ଏବଂ ପ୍ରମାଣପତ୍ର ପ୍ରଦାନ କରିବ। ଦେଶର ବିଭିନ୍ନ ବିମାନ ବନ୍ଦରରେ ପ୍ରତି ଘଣ୍ଟାରେ ୨୫୦-୩୦୦ ଉଡ଼ାଣ ପରିଚାଳିତ ହେଉଛି। ଦୈନିକ ପ୍ରାୟ ୪୦ ରୁ ୪୫ ହଜାର ଯାତ୍ରୀ ବିମାନ ଯାତ୍ରା କରୁଛନ୍ତି। ବିଗତ ଦଶନ୍ଧି ମଧ୍ୟରେ ବିମାନ ଯୋଗେ ହେଉଥିବା ମାଲ ପରିବହନରେ ପ୍ରାୟ ୫୦% ବୃଦ୍ଧି ହୋଇଛି।

ଅତ୍ୟାଧୁନିକ ଜ୍ଞାନକୌଶଳରେ ପ୍ରତିଷ୍ଠା ହେବ ପରୀକ୍ଷଣ କେନ୍ଦ୍ର
BCAS-RRU ମଧ୍ୟରେ ହୋଇଥିବା ଚୁକ୍ତି ଅନୁଯାୟୀ ଅତ୍ୟାଧୁନିକ ଜ୍ଞାନକୌଶଳ ବ୍ୟବହାର କରି ଏହି ପରୀକ୍ଷଣ କେନ୍ଦ୍ର ପ୍ରତିଷ୍ଠା କରାଯିବ। ଯେଉଁଠାରେ ସୁରକ୍ଷା,ଗବେଷଣା, ତାଲିମ, ମାନକ ବିକାଶ ଏବଂ ଆନ୍ତଃକାର୍ଯ୍ୟକ୍ଷମତା ପାଇଁ ବିମାନବନ୍ଦର ସୁରକ୍ଷା ଉପକରଣର ପରୀକ୍ଷଣ କରାଯିବ। ଏହି କେନ୍ଦ୍ର ସ୍ୱାଧିନ ଭାବରେ ମୂଳ ଉପକରଣ ନିର୍ମାତା (OEMs) ଦ୍ୱାରା ନିର୍ମିତ ଉପକରଣର ପରୀକ୍ଷଣ ସହ ଯାଞ୍ଚ କରିବ ଏବଂ ଏହାର ମୂଲ୍ୟାଙ୍କନ ଉପରେ ଆଧାରିତ ଏକ ରିପୋର୍ଟ ପ୍ରସ୍ତୁତ କରିବ।

ଏହା ସହ ପଢନ୍ତୁ: ହେଲିପ୍ୟାଡ୍ ବଦଳରେ କାର ପାର୍କିଂରେ ଓହ୍ଲାଇଲେ ମନ୍ତ୍ରୀ; ଯାଞ୍ଚ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

'ଆତ୍ମନିର୍ଭରଶୀଳ ଭାରତ' ଆଡ଼କୁ ଏକ ପଦକ୍ଷେପ

କେନ୍ଦ୍ରୀୟ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ରାମ ମୋହନ ନାଇଡୁ କହିଛନ୍ତି ଯେ ଏହି ଚୁକ୍ତିନାମା ସରକାରଙ୍କ ସୁରକ୍ଷା ଗବେଷଣା ଏବଂ କ୍ଷମତା ନିର୍ମାଣ ଲକ୍ଷ୍ୟକୁ ଆଗକୁ ବଢାଇବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ, ସୁରକ୍ଷା କ୍ଷେତ୍ରରେ ଗବେଷଣା, ନବସୃଜନ ଏବଂ କ୍ଷମତା ନିର୍ମାଣ ଉପରେ ଗୁରୁତ୍ୱ ଦିଆଯାଇଛି। ଏହି ପଦକ୍ଷେପର ପ୍ରାଥମିକ ଉଦ୍ଦେଶ୍ୟ ହେଉଛି ଏକ ଆତ୍ମନିର୍ଭର ଭାରତ ଅଭିଯାନକୁ ଆଗକୁ ବଢାଇବା। ଏବେ କେବଳ ବିଦେଶୀ ପ୍ରମାଣପତ୍ର ମାନଦଣ୍ଡ ପାଳନ କରିବା ପରିବର୍ତ୍ତେ ବିମାନ ସୁରକ୍ଷା ପ୍ରମାଣପତ୍ର ପାଇଁ ଏକ ବିଶ୍ୱବ୍ୟାପୀ କେନ୍ଦ୍ର ହେବା ଦିଗରେ ଭାରତ ଅଗ୍ରସର ହେଉଛ।

ଦେଶରେ ବିକଶିତ ହେବ ସ୍ୱଦେଶୀ ମାନଦଣ୍ଡ
ଏହି ଚୁକ୍ତିନାମା ଅନୁଯାୟୀ, ମୂଳ ଉପକରଣ ନିର୍ମାତା (OEMs) ଏହାର ଉତ୍ପାଦର ପରୀକ୍ଷଣ ଏବଂ ପ୍ରମାଣପତ୍ର ଏବେ ତାଙ୍କୁ ଦେଶରେ ମିଳିବ। ଏହା "ଭାରତ ମାନଦଣ୍ଡ" (India Standards) ବିକାଶରେ ଯୋଗଦାନ ଦେବ ଏବଂ ବିଦେଶ ଉପରେ ନିର୍ଭରଶୀଳତା ହ୍ରାସ କରିବ। କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ BCAS ର ନିୟାମକ ଶକ୍ତି ଏବଂ RRU ର ବୈଷୟିକ ବିଶେଷଜ୍ଞତା ଏକ ସ୍ୱଦେଶୀ ବ୍ୟବସ୍ଥା ସୃଷ୍ଟି କରିବ। ଯାହା ଆମେରିକା TSA ଏବଂ ୟୁରୋପର ECAC ଭଳି ଅନ୍ତର୍ଜାତୀୟ ମାନଦଣ୍ଡ ସହିତ ତୁଳନୀୟ ହେବ।

ଏହା ସହ ପଢନ୍ତୁ: ଅନେକ ଦେଶରେ ବ୍ୟାନ୍; ହେଲେ ଭାରତରେ କିପରି ଉଡ଼ାଣ ଭରୁଛି ମହାନ ଏୟାର?
 
ଗବେଷଣା, ତାଲିମ ଏବଂ ଦକ୍ଷତା ବିକାଶ ଉପରେ ଗୁରୁତ୍ୱ
ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଅନୁଯାୟୀ, ଜାତୀୟ ପ୍ରତିରକ୍ଷା ବିଶ୍ୱବିଦ୍ୟାଳୟରେ ଏକ ଅତ୍ୟାଧୁନିକ ପରୀକ୍ଷଣ ପ୍ରୟୋଗଶାଳା ପ୍ରତିଷ୍ଠା କରାଯିବ। ଯାହା ବିଶ୍ୱ ମାନଦଣ୍ଡ ସହିତ ସମାନ ହେବ। ଏହି ପ୍ରୟୋଗଶାଳା ବ୍ୟାପକ ଉପକରଣ ପରୀକ୍ଷଣ କରିବ ଏବଂ ବିମାନବନ୍ଦରରେ କେବଳ ମାନଦଣ୍ଡ ଅନୁପାଳନ ଉପକରଣ ନିୟୋଜିତ ହେବା ନିଶ୍ଚିତ କରିବା ପାଇଁ ଏକ ଦୃଢ଼ ମାନ୍ୟତା ଢାଞ୍ଚା ସ୍ଥାପନ କରିବ। ବୁଝାମଣାପତ୍ର ଗବେଷଣା, ଶିକ୍ଷା, ତାଲିମ ଏବଂ ଦକ୍ଷତା ବିକାଶ ଉପରେ ମଧ୍ୟ ଗୁରୁତ୍ୱାରୋପ କରେ। କର୍ମଶାଳା, ସ୍ୱତନ୍ତ୍ର ତାଲିମ କାର୍ଯ୍ୟକ୍ରମ ଏବଂ ଜ୍ଞାନ ବଣ୍ଟନ ମାଧ୍ୟମରେ ଏହି କ୍ଷେତ୍ରରେ ବିଶେଷଜ୍ଞତା ବିକଶିତ କରାଯିବ।

ବିମାନ ବନ୍ଦରରେ ବଢିଲାଣି ସୁରକ୍ଷା ଆବଶ୍ୟକତା
କେନ୍ଦ୍ର ମନ୍ତ୍ରୀ କହିଥିଲେ ଯେ ଗତ ୨୦୧୪ପର୍ଯ୍ୟନ୍ତ ଦେଶରେ ୭୪ ବିମାନବନ୍ଦର ରହିଥିଲା। ଯାହା ବର୍ତ୍ତମାନ ବୃଦ୍ଧି ପାଇ ୧୬୫ ହୋଇଛି। ପ୍ରତି ଘଣ୍ଟାରେ ଦେଶର ବିଭିନ୍ନ ବିମାନ ବନ୍ଦରରେ ୨୫୦-୩୦୦ ବିମାନ ଚଳାଚଳ କରୁଥିବା ବେଳେ ଦୈନିକ ପ୍ରାୟ ୪୦-୪୫ ହଜାର ଯାତ୍ରୀ ସେମାନଙ୍କର ଗନ୍ତବ୍ୟ ସ୍ଥଳ ଅଭିମୁଖେ ଯାତ୍ରା କରୁଛନ୍ତି। ବିଗତ ଦଶନ୍ଧି ମଧ୍ୟରେ ବିମାନ ଯୋଗେ ହେଉଥିବା ମାଲ ପରିବହନରେ ପ୍ରାୟ ୫୦% ବୃଦ୍ଧି ହୋଇଛି। ବିମାନବନ୍ଦର ପରିଚାଳନାରେ ଉଚ୍ଚସ୍ତରୀୟ ପ୍ରଯୁକ୍ତିବିଦ୍ୟା ଏବଂ ବୃତ୍ତିଗତ ଦକ୍ଷତା ଗ୍ରହଣ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। BCAS-RRU ମଧ୍ୟରେ ହୋଇଥିବା ଚୁକ୍ତିନାମା ଏହି ଦିଗରେ ନିଆଯାଇଥିବା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେକ୍ଷ। ଯାହା ଭାରତକୁ ଭବିଷ୍ୟତ ପାଇଁ ପ୍ରସ୍ତୁତ ଏବଂ ସୁରକ୍ଷିତ ବିମାନ ଚଳାଚଳ ବ୍ୟବସ୍ଥା ହାସଲ କରିବାରେ ସାହାଯ୍ୟ କରିବ।

ଏହା ସହ ପଢନ୍ତୁ:
ଭିଭିଆଇପି ଉଡ଼ାଣକୁ ନେଇ ଜାରି ହେଲା ନୂତନ ନିର୍ଦ୍ଦେଶନାମା; ସୁରକ୍ଷା ସହ ହେବ ନାହିଁ କୌଣସି ବୁଝାମଣା
 

ଜଣେ ବରିଷ୍ଠ BCAS ଅଧିକାରୀ କହିଛନ୍ତି ଯେ କେନ୍ଦ୍ର ସରକାର ଦେଶକୁ ବିମାନ ସୁରକ୍ଷା ଉପକରଣର ପରୀକ୍ଷଣ ଏବଂ ପ୍ରମାଣପତ୍ର ପାଇଁ ଏକ ବିଶ୍ୱ ସ୍ତରୀୟ କେନ୍ଦ୍ର ଭାବରେ ବିକଶିତ କରିବାକୁ ଲକ୍ଷ୍ୟ ରଖିଛନ୍ତି। ଯାହା ଦ୍ରୁତ ଗତିରେ ବଢ଼ୁଥିବା ବିମାନ ଚଳାଚଳ କ୍ଷେତ୍ରର ସୁରକ୍ଷାକୁ ଆହୁରି ମଜବୁତ କରିବ। ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୋଣ ହେଉଛି ଦେଶକୁ ବିମାନ ଚଳାଚଳ କ୍ଷେତ୍ରରେ ଆତ୍ମନିର୍ଭରଶୀଳ କରିବା ଏବଂ ଏହାକୁ ଏକ ବିଶ୍ୱ କେନ୍ଦ୍ର ଭାବରେ ବିକଶିତ କରିବା। ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଏହି ଦିଗରେ ନିରନ୍ତର ପଦକ୍ଷେପ ନେଉଛି। ସମ୍ପ୍ରତି ଭାରତକୁ ରକ୍ଷଣାବେକ୍ଷଣ, ମରାମତି ପାଇଁ ଏକ ବିଶ୍ୱ କେନ୍ଦ୍ର କରିବା ପାଇଁ ପଦକ୍ଷେପ ନିଆଯାଇଛି। ଯାହା ବିମାନ ଶିଳ୍ପ କ୍ଷେତ୍ରରରେ ଭାରତକୁ ବିଶ୍ୱ ସ୍ତରରେ ସ୍ୱୀକୃତି ପ୍ରଦାନ କରିବ।






Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
BCAS and RRU MoU: ମଜବୁତ ହେବ ରାଷ୍ଟ୍ରୀୟ ସୁରକ୍ଷା; ଏଣକି ସ୍ୱଦେଶୀ ପ୍ରଣାଳୀରେ ହେବ ବିମାନବନ୍ଦର ସୁରକ୍ଷା ଉପକରଣ ଯାଞ୍ଚ | Argus News