Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Supreme Court / ଦିଦିଙ୍କ ଗଡ଼ରେ ୯ଘଣ୍ଟା ଅଟକ ରହିଲେ ୭ ନ୍ୟାୟିକ ଅଧିକାରୀ; ସୁପ୍ରିମକୋର୍ଟଙ୍କ କଡ଼ା ଭର୍ତ୍ସନା

Debashree Debasmita Sahoo
Browse all articles by Debashree Debasmita Sahoo
·3 months ago·4 min read
ଦିଦିଙ୍କ ଗଡ଼ରେ ୯ଘଣ୍ଟା ଅଟକ ରହିଲେ ୭ ନ୍ୟାୟିକ ଅଧିକାରୀ; ସୁପ୍ରିମକୋର୍ଟଙ୍କ କଡ଼ା ଭର୍ତ୍ସନା
Supreme Court

Key Points

ପଶ୍ଚିମବଙ୍ଗରେ ୭ ନ୍ୟାୟିକ ଅଧିକାରୀଙ୍କୁ ୯ ଘଣ୍ଟା ଅଟକ
ଦିଦିଙ୍କୁ କଡ଼ା ଭର୍ତ୍ସନା କଲେ ସୁପ୍ରିମକୋର୍ଟ
ନିର୍ବାଚନୀ ରାଜ୍ୟ ପଶ୍ଚିମବଙ୍ଗ ଏବେ ଜାତୀୟ ରାଜନୀତିରେ ପ୍ରମୁଖ ପ୍ରସଙ୍ଗ ପାଲଟିଛି । ବଙ୍ଗର ସୁବେରେ ଏସଆଇଆର ବା ସ୍ଵତନ୍ତ୍ର ସଂଶୋଧନ ପ୍ରକ୍ରିୟା ଆରମ୍ଭ ହେବା ପରେ ଏହା ଆହୁରି ତୀବ୍ର ହୋଇଛି । ଟିଏମସି ଲଗାତାର ଭାବେ ନିର୍ବାଚନ ଆୟୋଗଙ୍କ ଉପରେ ଅଭିଯୋଗ ଆଣୁଛି । ଏହାରି ମଧ୍ୟରେ ବୁଧବାର ଦିଦିଙ୍କ ଗଡ଼ରେ ମହିଳା ନ୍ୟାୟିକ ଅଧିକାରୀଙ୍କ ସମେତ ୭ଜଣ ନ୍ୟାୟିକ ଅଧିକାରୀଙ୍କୁ ମଧ୍ୟରାତ୍ରି ପର୍ଯ୍ୟନ୍ତ ଅଟକ ରଖିବାକୁ ନେଇ ପଶ୍ଚିମବଙ୍ଗ ସରକାରଙ୍କୁ କଡ଼ା ଭର୍ତ୍ସନା କରିଛନ୍ତି ସୁପ୍ରିମକୋର୍ଟ । ନ୍ୟାୟପାଳିକାଙ୍କ ଗାରିମା ଉପରେ ଏହା ସିଧାସଳଖ ଆକ୍ରମଣ ବୋଲି କହିଛନ୍ତି ଭାରତର ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ ।

  • କଣ ପୂରା ଘଟଣା ?
ବୁଧବାର ପଶ୍ଚିମବଙ୍ଗ ମାଲଦା ଜିଲ୍ଲାର କାଲିୟାଚକ ୨ ସ୍ଥିତ ବ୍ଲକ୍ ଡେଭପଲମେଣ୍ଟ ଅଫିସ (BDO) ବାହାରେ ଏସଆଇଆର ଯୋଗୁଁ ଭୋଟର ତାଲିକାରେ କିଛି ଲୋକଙ୍କ ନାମ ହଟିଯାଇଥିଲା, ଏହାକୁ ନେଇ ଜୋରଦାର ଆନ୍ଦୋଳନ ହୋଇଥିଲା । ବିକ୍ଷୋଭକାରୀମାନେ ନ୍ୟାୟିକ ଅଧିକାରୀଙ୍କୁ ଭେଟିବା ଲାଗି ଦାବି କରିଥିଲେ । ଏହାରି ମଧ୍ୟରେ ସେମାନେ ବୁଧବାର ଅପରାହ୍ନ ୩.୩୦ଟାରେ ୭ ଜଣ ନ୍ୟାୟିକ ଅଧିକାରୀଙ୍କୁ ଘେରିଯାଇଥିଲେ, ଯେଉଁଥିରେ ୩ ଜଣ ମହିଳା ନ୍ୟାୟିକ ଅଧିକାରୀ ଥିଲେ । ଏହି ଅଧିକାରୀମାନଙ୍କୁ ବିଡିଓ ଅଫିସରେ ୯ ଘଣ୍ଟା ପର୍ଯ୍ୟନ୍ତ ଅଟକ ରଖାଯାଇଥିଲା ।

  • ରାତି ୧ଟାରେ ଅଧିକାରୀଙ୍କୁ ଉଦ୍ଧାର
ପ୍ରାୟ ୯ ଘଣ୍ଟା ବିଡିଓ ଅଫିସରେ ଅଟକ ରହିବା ପରେ ରାତି ପ୍ରାୟ ୧ଟାରେ ପୋଲିସ ଓ ଅର୍ଦ୍ଧସାମିରକ ବାହିନୀ ନ୍ୟାୟିକ ଅଧିକାରୀମାନଙ୍କୁ ଉଦ୍ଧାର କରିଥିଲା । ଏହି ସମୟରେ ମଧ୍ୟ ଆନ୍ଦୋଳନକାରୀମାନେ ଅଧିକାରୀଙ୍କୁ ଗାଡ଼ି ଉପରକୁ ଢେଲା ପଥର ମାଡ଼ କରିଥିଲେ, ଯାହା ଫଳରେ ସେମାନଙ୍କ ଗାଡ଼ି କାଚ ଭାଙ୍ଗିଯାଇଛି । ସେପଟେ ପୁରା ଘଟଣା ଉପରେ ଥିଲା ଭାରତର ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତଙ୍କ ନଜର । ନ୍ୟାୟିକ ଅଧିକାରୀ ସୁରକ୍ଷିତ ଭାବେ ଉଦ୍ଧାର ନ ହେବା ପର୍ଯ୍ୟନ୍ତ ପ୍ରାୟ ରାତି ୨ଟା ଯାଏଁ ଚେଇଁ ରହିଥିଲେ ସିଜେଆଇ । ସେ କୋଲକାତା ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କୁ ଅଟକ ରହିଥିବା ନ୍ୟାୟିକ ଅଧିକାରୀଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବା ଲାଗି ଯୋଗାଯୋଗ କରିଥିଲେ ।

ପଢନ୍ତୁ ଏହି ଖବର: ନିର୍ବାଚନ ଲଢିପାରିବେ ନାହିଁ ଟିଏମସି ନେତା ଗୁଲାମ ରବାନୀ; ସାମ୍ନାକୁ ଆସିଲା କାରଣ

  • ସୁପ୍ରିମକୋର୍ଟଙ୍କ କଡା ଭର୍ତ୍ସନା
ଏହି ମାମଲାର ଶୁଣାଣି ସମୟରେ ସିଜେଇ ସୂର୍ଯ୍ୟକାନ୍ତ ଓ ଜଷ୍ଟିମ ଜୋୟମାଲ୍ୟ ବାଗଚିଙ୍କ ଖଣ୍ଡପୀଠ ପଶ୍ଚିମବଙ୍ଗ ସରକାର ଓ ପ୍ରଶାସନକୁ ଭର୍ତ୍ସନା କରିଛନ୍ତି । ସିଜେଆଇ ସୂର୍ଯ୍ୟକାନ୍ତ କହିଛନ୍ତି, "ଏହି ଘଟଣା କେବଳ ନ୍ୟାୟିକ ଅଧିକାରୀଙ୍କୁ ଡରାଇବା ବା ଧମକାଇବାର ଉଦ୍ୟମ ନୁହେଁ, ବରଂ ଏହା ଅଦାଲତକୁ ସିଧାସଳଖ ଚ୍ୟାଲେଞ୍ଜ କରିଛି । ଏହି ଘଟଣା ନ୍ୟାୟିକ ଅଧିକାରୀଙ୍କ ମନୋବଳକୁ ଆଘାତ ପହଞ୍ଚାଇବା ସହ ଆଇନ ପ୍ରକ୍ରିୟାକୁ ଦୁର୍ବଳ କରିବା ପାଇଁ ଏକ ସୁଚିନ୍ତିତ ଷଡ଼ଯନ୍ତ୍ର ।" ପଶ୍ଚିମବଙ୍ଗ ଏପରି ଏକ ରାଜ୍ୟ ଯେଉଁଠି ସମସ୍ତେ ରାଜନୀତିର ଭାଷା କୁହନ୍ତି ବୋଲି ସୁପ୍ରିମକୋର୍ଟ କହିଛନ୍ତି ।

  • ମମତା ସରକାରଙ୍କ ଉପରେ ବର୍ଷିଲେ ସୁପ୍ରିମକୋର୍ଟ
ଯେତେବେଳେ ପଶ୍ଚିମବଙ୍ଗ ଆଇନଜୀବୀ ଜେନେରାଲ କିଶୋର ଦତ୍ତା କହିଥିଲେ ଯେ ଆଚରଣ ବିଧି ଲାଗୁ ହେବା ପରେ ନିର୍ବାଚନ ଆୟୋଗଙ୍କୁ ଏକପାଖିଆ ଭାବେ କାମ କରିବା ଉଚିତ ନୁହେଁ, ସେତେବେଳେ ସିଜେଆଇ ମମତା ସରକାରଙ୍କ ଉପରେ ବର୍ଷିଥିଲେ । ରାଜ୍ୟ ସରକାର ନିଜର କର୍ତ୍ତବ୍ୟ ପାଳନ କରିବାରେ ସମ୍ପୂର୍ଣ୍ଣ ଫେଲ୍ ମାରିଛନ୍ତି ବୋଲି ସିଜେଇ କଡ଼ା ଭାଷାରେ କହିଥିଲେ । ସୂଚନା ମିଳିବା ପରେ ଅଧିକାରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବାରେ କାହିଁକି ବିଳମ୍ବ ହେଲା ବୋଲି ସିଜେଆଇ ପ୍ରଶ୍ନ କରିଛନ୍ତି । ସେହିପରି ଜଷ୍ଟିସ ଜୋୟମାଲ୍ୟ ବାଗଚି ଏହା ସ୍ପଷ୍ଟ କରିଥିଲେ ଯେ ସ୍ଵତନ୍ତ୍ର ଅଧିକାରୀମାନେ ସୁପ୍ରିମକୋର୍ଟଙ୍କ ଆଦେଶ ପରେ ହିଁ ନିଜର ଡ୍ୟୁଟି କରୁଛନ୍ତି, ଏଣୁ ସେମାନଙ୍କୁ ସୁରକ୍ଷା ପ୍ରଦାନ କରିବା ଅଦାଲତଙ୍କ କର୍ତ୍ତବ୍ୟ ।

  • ଯାଞ୍ଚ ପାଇଁ CBI ଓ NIAକୁ ନିର୍ଦ୍ଦେଶ
ସୁପ୍ରିମକୋର୍ଟ ଏହି ଘଟଣାରେ ନିର୍ବାଚନ ଆୟୋଗ (ECI)କୁ ନିର୍ଦ୍ଦେଶ ଦେଇଛନ୍ତି ଯେ ଯାଞ୍ଚ ପାଇଁ CBI ଓ NIAକୁ ନିର୍ଦ୍ଦେଶ ଦିଆଯାଉ । ଯାଞ୍ଚ ଏଜେନ୍ସି ସିଧାସଳଖ ଏହାର ପ୍ରାରମ୍ଭିକ ରିପୋର୍ଟ ସୁପ୍ରିମକୋର୍ଟକୁ ହସ୍ତାନ୍ତର କରିବ ବୋଲି ସିଜେଆଇ କହିଛନ୍ତି । ଏହି ମାମଲାର ଶୁଣାଣି ସମୟରେ କେବଳ ୨-୩ ଜଣ ବ୍ୟକ୍ତିଙ୍କୁ ଉପସ୍ଥିତ ରହିବାକୁ ଅନୁମତି ରହିବ । ସେହିପରି ନ୍ୟାୟିକ ଅଧିକାରୀ ନିଜ କାମ ସମ୍ପୂର୍ଣ୍ଣ କରିବା ମଧ୍ୟରେ ତାଙ୍କୁ ସୁରକ୍ଷା ଯୋଗାଇଦେବାକୁ ଗୃହ ସଚିବ, ଡିଜିପି ଓ ଜିଲ୍ଲା ମାଜିଷ୍ଟ୍ରେଟଙ୍କୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ପଢନ୍ତୁ ଏହି ଖବର: ଭୟଙ୍କର ତ୍ରୁଟି, ଗୋଟିଏ ଭୋଟରର ୧୦ ବାପା ! ତାହାଲେ ଏମିତି ଜିତୁଥିଲେ ମମତା..?

  • ଘଟଣା ସମ୍ପର୍କରେ ଜାଣିନଥିବା କହିଲେ ମମତା
ଏହି ଘଟଣାରେ ଆଜି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପ୍ରତିକ୍ରିୟା ଆସିଛି । ୭ ଜଣ ନ୍ୟାୟିକ ଅଧିକାରୀଙ୍କୁ ଅଟକ ରଖିବା ଘଟଣା ସମ୍ପର୍କରେ ସେ ଜାଣିନଥିଲେ ବୋଲି କହିଛନ୍ତି । ସେ ଆହୁରି କହିଛନ୍ତି, "ଘଟଣାକୁ ନେଇ କିଏ ଦାୟୀ ମୁଁ ଜାଣିନାହିଁ । ମୋତେ କେହି ସୂଚିତ କରିନଥିଲେ । ଏବେ ପ୍ରଶାସନ ମୋ ହାତରେ ନାହିଁ । ନିର୍ବାଚନ ଆୟୋଗ ରାଜ୍ୟରେ ଆଇନ ଶୃଙ୍ଖଳା ନିୟନ୍ତ୍ରଣ କରୁଛନ୍ତି । ଏହି ଘଟଣା ସମ୍ପର୍କରେ ମୁଁ ଜଣେ ସାମ୍ବାଦିକଙ୍କଠାରୁ ଜାଣିବାକୁ ପାଇଲି ।"



  • ଅସନ୍ତୋଷ ପ୍ରକାଶ କଲା ବିଜେପି
ଏହି ଘଟଣାକୁ ନେଇ ବିଜେପି ପକ୍ଷରୁ ଅସନ୍ତୋଷ ପ୍ରକାଶ କରାଯାଇଛି । ଏ ନେଇ ବିଜେପି ଆଇଟି ସେଲର ଅମିତ ମାଲବିୟ ଏକ ସୋସିଆଲ ମିଡିଆ ପୋଷ୍ଟରେ କହିଛନ୍ତି, "କାଲିଚକ-୨ ବିଡିଓ କାର୍ଯ୍ୟାଳୟରେ ନ୍ୟାୟିକ ଅଧିକାରୀଙ୍କୁ ଅଟକ ରଖିବା ଘଟଣା ନିନ୍ଦନୀୟ । ଆଇନ ବ୍ୟବସ୍ଥାକୁ ଏପରି ଭାବେ ଧ୍ଵଂସ କରିବା ଉଚିତ ନୁହେଁ । ଏପରି ସ୍ଥିତିରେ ଜିଲ୍ଲା ଓ ପୋଲିସ ପ୍ରଶାସନ ତୁରନ୍ତ ହସ୍ତକ୍ଷେପ କରିବାର ଆବଶ୍ୟକ ଥିଲା ।"

ଅଧିକ ଖବର ପଢନ୍ତୁ...


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Judicial Officers Held Hostage in Bengal: Supreme Court Seeks Response from Mamata Banerjee Government | Argus News