ଅର୍ଗସ ବ୍ୟୁରୋ: ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଟେଷ୍ଟରେ ବଡ଼ ରେକର୍ଡ ସୃଷ୍ଟି କରିଛନ୍ତି ଷ୍ଟାର ବୋଲର ଜଶପ୍ରୀତ ବୁମରାହ ଦ୍ୱିତୀୟ ଦିନ ଖେଳ ଶେଷ ସୁଦ୍ଧା ଅଷ୍ଟ୍ରେଲିଆ ୭ ୱିକେଟ ହରାଇ ୪୦୫ ରନ୍ ସଂଗ୍ରହ କରିଛି । ଟ୍ରାଭିସ ହେଡ ଏବଂ ଷ୍ଟିଭ ସ୍ମିଥଙ୍କ ଶତକୀୟ ଇନିଂସ ବଳରେ ଅଷ୍ଟ୍ରେଲିଆ ବିଶାଳକାୟ ସ୍କୋର ହାସଲ କରିଛି । ତେବେ ଏହି ମ୍ୟାଚରେ ବୁମରାହ ୫ଟି ୱିକେଟ ହାସଲ କରିଛନ୍ତି । ଏହାସହିତ ଏକ ମହାରେକର୍ଡ ଭାଙ୍ଗିବାରେ ସପଳ ହୋଇଛନ୍ତି ବୁମରାହ । ଆଜିର ମ୍ୟାଚରେ ୫ଟି ୱିକେଟ ହାସଲ କରିବା ପରେ ସେ ଭାରତର ପୂର୍ବତନ କ୍ରିକେଟର କପିଲ ଦେବଙ୍କୁ ମଧ୍ୟ ପଛରେ ପକାଇଛନ୍ତି ।
ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଟେଷ୍ଟରେ ୫ଟି ୱିକେଟ ହାସଲ କରି ବୁମରାହ କପିଲ ଦେବଙ୍କ ରେକର୍ଡ ଭାଙ୍ଗିଛନ୍ତି । ବର୍ତ୍ତମାନ ସେନା ଦେଶରେ ଭାରତ ପକ୍ଷରୁ ସର୍ବାଧିକ ଥର ୫ ୱିକେଟ ହଲ୍ ସଂଗ୍ରହ କରିଥିବା ବୋଲର ପାଲଟିଛନ୍ତି ବୁମରାହ । ଅଷ୍ଟମ ଥର ଏହି କାରନାମା କରି ଇତିହାସ ସୃଷ୍ଟି କରିଛନ୍ତି ଭାରତର ଷ୍ଟାର ବୋଲର । ବର୍ତ୍ତମାନ ପର୍ଯ୍ୟନ୍ତ ସେନା ଦେଶରେ କପିଲ ଦେବ ସର୍ବାଧିକ ୭ ଥର ୫ ୱିକେଟ ହଲ୍ ହାସଲ କରିବାରେ ସଫଳ ହୋଇଥିଲେ । କିନ୍ତୁ ଅଷ୍ଟ୍ରେଲିଆ ବିପକ୍ଷରେ ୫ ୱିକେଟ ହଲ୍ ହାସଲ କରି ବୁମରାହ କପିଲ ଦେବଙ୍କୁ ପଛରେ ପକାଇଛନ୍ତି । ତେବେ ବୁମରାହ ବର୍ତ୍ତମାନ ଏହି ତାଲିକାରେ ଶୀର୍ଷ ସ୍ଥାନ ହାସଲ କରିଥିବା ବେଳେ କପିଲ ଦେବ ଦ୍ୱିତୀୟ ସ୍ଥାନକୁ ଖସି ଆସିଛନ୍ତି । ଏହାପରେ ଜହିର ଖାନ୍ ନିଜ ଟେଷ୍ଟ କ୍ୟାରିୟରରେ ୬ ଥର ୫ ୱିକେଟ ହଲ୍ ହାସଲ କରି ତାଲିକାର ତୃତୀୟ ସ୍ଥାନରେ ରହିଛନ୍ତି।
ଏହି ଟେଷ୍ଟ ସିରିଜ ପୂର୍ବରୁ ବୁମରା ୫ ୱିକେଟ ହଲ୍ କରିବାରେ ସଫଳତା ହାସଲ କରିଥିଲେ । ଏହାପରେ ଆଜିର ମ୍ୟାଚରେ ୫ଟି ୱିକେଟ ନେଇ ଇତିହାସ ସୃଷ୍ଟି କରିଛନ୍ତି ବୁମରାହ । ଏହି ୫ ୱିକେଟ ହଲ୍ ସହିତ ବୁମରାହ ୧୨ ଥର କୌଣସି ଇନିଂସରେ ୫ଟି ୱିକେଟ ହାସଲ କରିଛନ୍ତି । ଏହାସହିତ ଭାରତ ବାହାରେ ବୁମରାହ ଦଶମ ଥର ଏହି କାରନାମା କରିବାରେ ସଫଳ ହୋଇଛନ୍ତି। ଏହି ଉପଲବ୍ଧିରେ ବୁମରା ପୂର୍ବତନ ଅଧିନାୟକ ଅନିଲ କୁମ୍ବଲେଙ୍କ ସମକକ୍ଷ ହୋଇଛନ୍ତି । ଏହାବ୍ୟତୀତ ଟିମ ଇଣ୍ଡିଆ ପାଇଁ ସର୍ବାଧିକ ୫ ୱିକେଟ ହଲ୍ ନେବାରେ ବୁମରା ଦ୍ୱିତୀୟ ପେସ୍ ବୋଲର ପାଲଟିଛନ୍ତି । ଏହି ତାଲିକାରେ ବୁମରା ପୂର୍ବତନ ବୋଲର ଜାହିର ଖାନଙ୍କୁ ପଛରେ ପକାଇଛନ୍ତି।
ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର