ଏମିତି ଏକ ଘଟଣା ସାମ୍ନାକୁ ଆସିଛି କେରଳରେ। ଚାନ୍ଦା ନ ଦେବା କାରଣରୁ ଜଣେ ପରିବା ଦୋକାନିକୁ ପିଟିଛନ୍ତି କଂଗ୍ରେସ କର୍ମୀ। ଦୋକାନ ଭାଙ୍ଗିଛନ୍ତି, ପରିବାକୁ ରାସ୍ତା ଉପରକୁ ଫିଙ୍ଗି ଦେଇଛନ୍ତି। ଭିଡିଓ ସାମ୍ନାକୁ ଆସିବା ପରେ ଏବେ ବ୍ୟାକଫୁଟରେ କଂଗ୍ରେସ। ୩ ଜଣଙ୍କୁ ସସପେଣ୍ଡ କରିଛନ୍ତି ରାଜ୍ୟ ପିସିସି ସଭାପତି।
ରାହୁଲ ଗାନ୍ଧୀଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ଭାରତ ଯୋଡୋ ଯାତ୍ରା ପୁଣି ଥରେ ଚର୍ଚ୍ଚାରେ । ଭାରତକୁ ଯୋଡିବା କଥା କହି କଂଗ୍ରେସ ଆରମ୍ଭ କରିଥିବା ଏହି ଯାତ୍ରା ପାଇଁ ଜୋର ଜବରଦସ୍ତି ଚାନ୍ଦା ଆଦାୟ କରା ଯାଉଥିବା ଓ ଚାନ୍ଦା ନ ଦେଇ ପାରିବା କାରଣରୁ ଜଣେ ପରିବା ବେପାରୀଙ୍କ ଦୋକାନକୁ କଂଗ୍ରେସ କର୍ମୀ ମାନେ ଭଙ୍ଗାରୁଜା କରିବା ଭଳି ଘଟଣା ସାମନାକୁ ଆସିଛି ।
ଘଟଣାଟି କେରଳର କୋଲ୍ଲାମ ଜିଲ୍ଲାର । କୋଲାମ ଜିଲ୍ଲାର ଜଣେ ପରିବା ବ୍ୟବସାୟୀ କଂଗ୍ରେସ କର୍ମୀ ମାନଙ୍କୁ ଏହି ଯ।ତ୍ରା ପାଇଁ ସେମାନଙ୍କ ଦାବି ଅନୁଯାୟୀ ଚାନ୍ଦା ଦେଇ ନ ପାରି ନ ଥିବା କାରଣରୁ ତାଙ୍କ ଉପରେ ଜୁଲମ କରିଥି୍ବା ଦେଖି୍ବାକୁ ମିଳିଛି । ଏହି ପରିବା ବେପାରୀର ନାମ ଏସ ଫବାଜ । ତାଙ୍କର ଦୋକାନ ଭଙ୍ଗାରୁଜା କରାଯାଉଥିବା ଭିଡିଓ ସାମନାକୁ ଆସିବା ପରେ କଂଗ୍ରେସ ବ୍ୟାକଫୁଟରେ ଆସି ଯାଇଛି । ପିସିସି ସଭାପତି ସୁଧାକରନ ଭଙ୍ଗା ରୁଜା କରିଥିବା ତିନି ଜଣ କଂଗ୍ରେସ କର୍ମୀଙ୍କୁ ଦଳରୁ ସସପେଣ୍ଡ କରି ଦେଇଛନ୍ତି ।
ପରିବା ବିକାଳୀ ଏସ ଫବାଜ ସ୍ଥାନୀୟ ଗଣମାଧ୍ୟମକୁ କହିଛନ୍ତି ଯେ ଗତ ସେପ୍ଟେମ୍ବର ୧୪ ତାରିଖ ଦିନ ତାଙ୍କର ପରିବା ଦୋକାନକୁ କିଛି ସ୍ଥାନୀୟ କଂଗ୍ରେସ ନେତା ଆସି ଭାରତ ଯୋଡୋ କାର୍ଯ୍ୟକ୍ରମ ପାଇଁ ଚାନ୍ଦା ମାଗିଥିଲେ । ସେ ତାଙ୍କୁ 5 ଶହ ଟଙ୍କା ଚାନ୍ଦା ଦେଇଥିଲେ । ହେଲେ ସ୍ଥାନୀୟ କଂଗ୍ରେସ ନେତା ମାନେ 2 ହଜାର ଟଙ୍କା ଚାନ୍ଦା ଦେବାକୁ ଦାବି କରିଥିଲେ । ଯେତେବେଳେ ସେ ଏତେ ଟଙ୍କା ଦେଇ ପାରିବେ ନାହିଁ ବୋଲି କହିଲେ ସେତେବେଳେ କଂଗ୍ରେସ ନେତା ମାନେ ଉତକ୍ଷିପ୍ତ ହୋଇ ପଡିଥିଲେ । ସେମାନେ ପରିବା ଦୋକାନକୁ ଭଙ୍ଗା ରୁଜା କରିବା ସହ ଦୋକାନରେ ଥିବା ପରିବାକୁ ଫିଙ୍ଗି ଦେଇଥିଲେ ।
ଏହି ଘଟଣା ଘଟିବା ପରେ ପୀଡିତ ଦୋକାନୀ ସ୍ଥାନୀୟ କୁନିକୋଡି ଥାନାରେ ଲିଖିତ ଅଭିଯୋଗ କରିଥିଲେ । ସେ ଏଥିରେ ଅଭିଯୋଗ କରିଥିଲେ ଯେ ସ୍ଥାନୀୟ ଯୁବ କଂଗ୍ରେସର ମହାସଚିବ ଆନିସ ଖାନ ପାଂଚ ଜଣ କଂଗ୍ରେସକର୍ମୀଙ୍କୁ ଆସି ଏହି ଜୁଲମ କରିଛନ୍ତି ।
ପରେ ଏହି କଂଗ୍ରେସକର୍ମୀଙ୍କ ଆକ୍ରମଣ ଓ ପରିବା ଫିଙ୍ଗାର ଭିଡିଓ ଭାଇରାଲ ହେବା ପରେ ପ୍ରଦେଶ କଂଗ୍ରେସ ସଭାପତି ସୁଧାକରନ ତିନି ଜଣ କଂଗ୍ରେସ ନେତାଙ୍କୁ ପାର୍ଟିରୁ ନିଲମ୍ବିତ କରିଛନ୍ତି । ସେ କହିଛନ୍ତି ଯେ କାର୍ଯକର୍ତା ମାନଙ୍କର ଏପରି ବ୍ୟବହାରକୁ ସ୍ୱୀକାର କରାଯିବ ନାହିଁ । ଆମେ ଅନ୍ୟ ଦଳ ମାନଙ୍କ ଭଳି କର୍ପୋରେଟ ଫଣ୍ଡିଂ ନେଉ ନାହିଁ । ଆମେ ଛୋଟ ଛୋଟ ଚାନ୍ଦା ଲୋକ ମାନଙ୍କୁ ଠାରୁ ନେଇଥାଉ । ସେମାନେ ଯେତେ ତାଙ୍କ ସ୍ୱଇଚ୍ଛାରେ ଦିଅନ୍ତି ସେତିକି ଗ୍ରହଣ କରିଥାଉ । ତେଣୁ କଂଗ୍ରେସ କର୍ମୀଙ୍କ ଏଭଳି ବ୍ୟବହାର ଆଦୌ ସ୍ୱୀକାର୍ଯ୍ୟ ନୁହେଁ ।
ଭାରତ ଯୋଡ଼ୋ ଯାତ୍ରାକୁ ନେଇ ପ୍ରଥମ ଥର ଯେ ବିବାଦ ଦେଖା ଦେଇଛି ତା ନୁହେଁ । ଏହି ଯାତ୍ରା ଆରମ୍ଭ ହେବା ଦିନରୁ ବିବାଦ ଏହା ସହ ଯୋଡି ହୋଇ ରହିଛି ।
ପ୍ରଥମେ ରାହୁଲ ଗାନ୍ଧୀ କନ୍ୟାକୁମାରୀର ଜଣେ ବିବାଦୀୟ ପାଦ୍ରୀଙ୍କୁ ଭେଟିଥିଲେ ଓ ସେଥିରେ ଉକ୍ତ ପାଦ୍ରୀ ଜଣଙ୍କ କେବଳ ଯୀଶୁ ହିଁ ଭଗବାନ ଓ ଅନ୍ୟ କେହି ଭଗବାନ ନୁହେଁ ବୋଲି କହିବା ପରେ ବିବାଦ ଦେଖା ଦେଇଥିଲା । ଏହାକୁ ନେଇ କଂଗ୍ରେସ ଓ ରାହୁଲ ଗାନ୍ଧୀଙ୍କୁ ଅନେକ ସମାଲୋଚନାର ଶୀକାର ହେବାକୁ ପଡିଥିଲା ।
ସେହିପରି ଏହି ଯାତ୍ରା ସମୟରେ କଂଗ୍ରେସର ଟ୍ୱିଟର ହ୍ୟାଣ୍ଡେଲରୁ ଆରଏସଏସର ଗଣବେଶ ପ୍ୟାଣ୍ଟରେ ନିଆଁ ଲଗାଇ ଦିଆଯାଇଥିବା ଭଳି ଚିତ୍ର ମଧ୍ୟ ଶେୟାର କରା ଯାଇଥିଲା । ଏହାକୁ ନେଇ ମଧ୍ୟ ପ୍ରବଳ ବିବାଦ ଦେଖା ଯାଇଥିଲା । ଏବେ ଯାତ୍ରା ପାଇଁ ଚାନ୍ଦା ଆଦାୟ ନାଁରେ ଗରୀବ ପରିବା ଦୋକାନୀ ଉପରେ ଜୁଲମ ମାମଲା ସାମନାକୁ ଆସିଛି ।
ରାଜନୀତି ଖବର ଆହୁରି ପଢନ୍ତୁ ।