ଅର୍ଗସ ବ୍ୟୁରୋ: ୨୦୨୦ ସେପ୍ଟେମ୍ବର ମାସରେ ବଲିଉଡ ଅଭିନେତ୍ରୀ କଙ୍ଗନା ରାନାୱତଙ୍କ ଘରକୁ କିଛି ଏପରି ଢଙ୍ଗରେ ଭାଙ୍ଗିଦିଆଯାଇଥିଲା । ଆଉ ସେତେବେଳେ କଙ୍ଗନା କହିଥିଲେ ଆଜି ମୋର ଘର ଭାଙ୍ଗିଛି କାଲି ତୁମର ବି ଅହଂକାର ଭାଙ୍ଗିବ । ଆଉ ଯେତେବେଳେ ମହାରାଷ୍ଟ୍ରରେ ଉଦ୍ଧବ ସରକାର ମହାସଂକଟରେ ପଡିଛନ୍ତି ସେତେବେଳେ ବଲିଉଡ ଅଭିନେତ୍ରୀ କଙ୍ଗନା ରାନାୱତଙ୍କ ଏକ ପୁରୁଣା ଭିଡିଓ ଭାଇରାଲ ହେଉଛି । ଶିବସେନା ବିଧାୟକ ତଥା ମନ୍ତ୍ରୀ ଏକନାଥ ସିନ୍ଧେ ନିଜ ସାଥିରେ ୨୬ ବିଧାୟକଙ୍କୁ ନେଇ ଗାୟବ ହୋଇଯିବା ଏବଂ ମହାରାଷ୍ଟ୍ର ସରକାରକୁ ସଂକଟରେ ପକାଇବା ଘଟଣା ଉପରେ ସାରା ଦେଶର ନଜର ରହିଛି ।
ରାଜନୈତିକ ବିଶେଷଜ୍ଞଙ୍କ ଆକଳନ ଉଦ୍ଧବ ସରକାର ଭାଙ୍ଗି ନୂଆ ସରକାର ହୋଇପାରେ । ଆଉ ଏପରି ସମୟରେ କଙ୍ଗନାଙ୍କ ପୁରୁଣା କଥା ସତ ହେବାକୁ ଯାଉନି ତ । ଉଦ୍ଧବ ସରକାର ସେତେବେଳେ କଙ୍ଗନାଙ୍କ ଘର ଭାଙ୍ଗିବା ପାଇଁ ଯେଉଁ ନିଷ୍ପତି ନେଇଥିଲେ ସମୟ ଚକ୍ରରେ ତାର ପରିଣାମ ଏବେ ଭୋଗୁନାହାନ୍ତି ତ ।
ଟୁଇଟର ରେ ଶିବସେନା ନେତା ସଂଜୟ ରାଉତ ଓ କଙ୍ଗନାଙ୍କ ମଧ୍ୟରେ କଥା କଟାକଟି ପରେ କଙ୍ଗନାଙ୍କ ଘର ଭଙ୍ଗା ଯାଇଥିଲା । ଆଉ ସେତେବେଳେ କଙ୍ଗନା କହିଥିଲେ, ଆଜି ମୋର ଘର ଭାଙ୍ଗିଛି କାଲି ତୁମର ଅହଂକାର ଭାଙ୍ଗିବ ।