ଆଜି ସଂସଦରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଅବସରରେ ବିରୋଧୀଙ୍କ ଉପରେ ଖୁବ ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ବକ୍ତବ୍ୟ ଆରମ୍ଭରୁ ରାଷ୍ଟ୍ରପତିଙ୍କୁ ପ୍ରଶଂସା କରିଥିଲେ ପ୍ରଧାନମନ୍ତ୍ରୀ । ଗଣତନ୍ତ୍ରର ମୁଖିଆ ହିସାବରେ ରାଷ୍ଟ୍ରପତିଙ୍କ ଉପସ୍ଥିତି ଐତିହାସିକ କହିବା ସହ, ରାଷ୍ଟ୍ରପତିଙ୍କ ଅଭିଭାଷଣକୁ ୧୪୦ କୋଟି ଜନତା ଉତ୍ସବ ରୂପେ ପାଳନ କରିଥିବା କହିଛନ୍ତି ପ୍ରଧାନମନ୍ତ୍ରୀ । ସେହିପରି ଜଣେ ବଡ଼ ନେତା ରାଷ୍ଟ୍ରପତିଙ୍କୁ ଅପମାନ କରିଥିବା କହିଛନ୍ତି ମୋଦି ।
ଏତେ ବଡ଼ ମହାମାରୀରେ ବିଭାଜିତ ବିଶ୍ୱ, ଯୁଦ୍ଧର ବିନାଶ ମଧ୍ୟରେ ଅନେକ ଦେଶ ଅସ୍ଥିର ହୋଇପଡ଼ିଛନ୍ତି । ଅନେକ ଦେଶରେ ଦରବୃଦ୍ଧି ଆକାଶଛୁଆଁ ହୋଇଛି । ଖାଦ୍ୟ ପାନୀୟର ଘୋର ସଙ୍କଟ ଜାରି ରହିଛି । ବେରୋଜଗାରୀକୁ ନେଇ ଚିନ୍ତାରେ ଅଛନ୍ତି ଅନେକ ଦେଶ । ଆଉ ଏଭଳି ସମୟରେ ଭାରତ ଆତ୍ମବିଶ୍ୱାସରେ ଭରି ରହିଛି, ବିକାଶ ମାର୍ଗରେ ଅଗ୍ରସର ହେଉଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।
ସେହିପରି ରାହୁଲ ଗାନ୍ଧିଙ୍କ ନାଁ ନନେଇ କଡ଼ା ଜବାବ ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ମଙ୍ଗଳବାର ରାହୁଲ ଗାନ୍ଧି ପିଏମଙ୍କ ଉପରେ ଲଗାଇଥିବା ପ୍ରତିଟି ଆରୋପର କଡ଼ା ଉତ୍ତର ଦେଇଛନ୍ତି ପିଏମ୍ । କିଛି ଲୋକଙ୍କୁ ଦେଶର ପ୍ରଗତୀ ଅସ୍ୱକାର୍ଯ୍ୟ ବୋଲି ସେ କହିଛନ୍ତି । ମୋଦିଙ୍କ ବ୍ୟକ୍ତବ୍ୟ ଶୁଣି ଗୃହରେ ରହିପାରିନଥିଲେ କିଛି କଂଗ୍ରେସ ସାଂସଦ । ମୋଦିଙ୍କ ଆକ୍ରମଣରେ ତାଙ୍କୁ ଗୃହ ତ୍ୟାଗ କରିବାକୁ ପଡ଼ିଥିଲା ।