ଘର
ଭାରତ
ବାଂଲାଦେଶରେ ହିନ୍ଦୁଙ୍କ ଉପରେ ଅତ୍ୟାଚାରକୁ ଦୃଢ଼ ବିରୋଧ
ବାଂଲାଦେଶରେ ହିନ୍ଦୁଙ୍କ ଉପରେ ଅତ୍ୟାଚାରକୁ ଦୃଢ଼ ବିରୋଧ
by Swayangprajna Mishra
NEWS HIGHLIGHTS
- ସାରା ବିଶ୍ବରେ ତେଜୁଛି ପ୍ରତିବାଦର ସ୍ବର
- ବାଂଲାଦେଶରେ ହିନ୍ଦୁଙ୍କ ଉପରେ ଅତ୍ୟାଚାରକୁ ଦୃଢ଼ ବିରୋଧ
- ଦେଖି ପାରୁଛନ୍ତି ତ ୟୁନୁସ ସରକାର ?
- ବାଂଲାଦେଶରେ ୮୮ଟି ସ୍ଥାନରେ ହିନ୍ଦୁଙ୍କ ଉପରେ ଆକ୍ରମଣ
- ସଂଖ୍ୟାଲଘୁଙ୍କ ସୁରକ୍ଷା ପ୍ରତି ଆଖି ବୁଜି ଦେଇଛନ୍ତି ବାଂଲା ସରକାର
ଅର୍ଗସ ବ୍ୟୁରୋ : ବାଂଲାଦେଶରେ ଅସୁରକ୍ଷିତ ହିନ୍ଦୁ । ଢାକା ସ୍ଥିତ ଭାରତ ହାଇକମିଶନରଙ୍କ ଚେତାବନୀ ପରେ ବି ବଦଳିନି ସ୍ଥିତି । ଖୋଦ୍ ବାଂଲାଦେଶ ସରକାରଙ୍କ ରିପୋର୍ଟ ଅନୁସାରେ ଅଗଷ୍ଟ 5ରୁ ଅକ୍ଟୋବର 22 ମଧ୍ୟରେ 88ଟି ସ୍ଥାନରେ ହୋଇଛି ହିନ୍ଦୁଙ୍କ ଉପରେ ଆକ୍ରମଣ । ଭାରତ ସମେତ ସାରା ବିଶ୍ବରେ ହିନ୍ଦୁ ସୁରକ୍ଷାକୁ ତେଜୁଛି ସ୍ବର । ଗତ 9 ତାରିଖରେ ବୈଦେଶିକ ସଚିବ ବିକ୍ରମ ମିସ୍ତ୍ରି ବାଂଲାଦେଶ ପ୍ରତିପକ୍ଷଙ୍କ ସହ ହିନ୍ଦୁ ସୁରକ୍ଷା ନେଇ ଆଲୋଚନା କରିଛନ୍ତି । କିନ୍ତୁ କ୍ଷମତା ଲୋଭରେ ହିନ୍ଦୁ ବିରୋଧୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ତ ଦୂରର କଥା ହିଂସା ରୋକିବାକୁ କୌଣସି ପଦକ୍ଷେପ ଗ୍ରହଣ କରିନାହାନ୍ତି ୟୁନୁସ ସରକାର । ପ୍ରତିବାଦରେ ଟରୋଣ୍ଟୋସ୍ଥିତ ବାଂଲାଦେଶ କନସୁଲେଟ୍ ସମ୍ମୁଖରେ ତୀବ୍ର ବିକ୍ଷୋଭ କରିଛି ହିନ୍ଦୁ ସଂଗଠନ । ବାଂଲାଦେଶରେ ସଂଖ୍ୟାଲଘୁଙ୍କ ଉପରେ ଆକ୍ରମଣକୁ ଦୃଢ଼ ନିନ୍ଦା କରିବା ସହ କାର୍ଯ୍ୟାନୁଷ୍ଠାନ ଦାବି ଜୋର ଧରିଛି ।
ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନା ଗାଦିଚ୍ୟୁତ ହେବା ପରଠାରୁ ବାଂଲାଦେଶରେ ହିନ୍ଦୁଙ୍କୁ ଟାର୍ଗେଟ୍ କରାଯାଉଛି । ଗତ ମାସରେ ବାଂଲାଦେଶର ହିନ୍ଦୁ ନେତା ତଥା ଇସ୍କନ ସାଧୁ ଚିନ୍ମୟକୃଷ୍ଣ ଦାସଙ୍କୁ ଦେଶଦ୍ରୋହ ଅଭିଯୋଗରେ ଗିରଫ ପରଠାରୁ ହିନ୍ଦୁଙ୍କ ଉପରେ ଆକ୍ରମଣ ସଂଖ୍ୟା ବୃଦ୍ଧି ପାଉଛି । 4ରୁ ଅଧିକ ହିନ୍ଦୁ ମନ୍ଦିର ଉପରେ ହୋଇଛି ଆକ୍ରମଣ, ଶତାଧିକ ହିନ୍ଦୁଙ୍କ ଘର ଭାଙ୍ଗିବା ସହ ନିଆଁ ଲଗାଇଛନ୍ତି ଦଙ୍ଗାକାରୀ । ବାଂଲାଦେଶରେ ହିନ୍ଦୁ ଏକତା ମଞ୍ଚର ସ୍ବର ଦବାଇବା ପାଇଁ ହିନ୍ଦୁ ନେତାଙ୍କୁ ଟାର୍ଗେଟ୍ କରାଯାଉଛି । ମିଥ୍ୟା ମାମଲାରେ ଗିରଫ କରାଯାଉଛି । ଚିନ୍ମୟ କ୍ରିଷ୍ଣାଙ୍କ ଜାମିନ ଆବେଦନର ଶୁଣାଣି ଜାନୁଆରୀ 2 ଯାଏ ଘୁଞ୍ଚିଛି ।
ବାଂଲାଦେଶରେ ହିନ୍ଦୁ ସୁରକ୍ଷାକୁ ନେଇ ଭାରତ ସମେତ ସାରା ବିଶ୍ୱରେ ଥିବା ହିନ୍ଦୁମାନଙ୍କ ମଧ୍ୟରେ ପ୍ରବଳ ପ୍ରତିକ୍ରିୟା ପ୍ରକାଶ ପାଇଛି । ଦିଲ୍ଲୀ, ଲକ୍ଷ୍ନୌ, ଭୁବନେଶ୍ବର, କୋଲକାତା, ହରିଦ୍ବାର ସମେତ ସାରା ଦେଶରେ ହିନ୍ଦୁ ଜାଗରଣ ପାଇଁ ହିନ୍ଦୁ ସମାଜ ପକ୍ଷରୁ ଉଦ୍ୟମ ଜାରି ରହିଛି । ହିନ୍ଦୁ ସୁରକ୍ଷା ମଞ୍ଚ ପକ୍ଷରୁ ବିଶାଳ ବିକ୍ଷୋଭ ଓ ପଦଯାତ୍ରା କରାଯାଇ ସଂଖ୍ୟାଲଘୁଙ୍କ ଉପରେ ଅତ୍ୟାଚାର ବନ୍ଦ କରିବାକୁ ବାଂଲାଦେଶ ସରକାରଙ୍କୁ ଦିଆଯାଇଛି ଚେତାବନୀ । ସ୍ଥିତି ଉପରେ ସଜାଗ ଦୃଷ୍ଟି ରଖିଛି ବୈଦେଶିକ ମନ୍ତ୍ରଣାଳୟ ।