ଆସନ୍ତାକାଲି ବାହୁଡା ଯାତ୍ରା । ଜନ୍ମବେଦୀରୁ ଲୀଳାଖେଳ ସାରି ଶ୍ରୀମନ୍ଦିର ଫେରିଯିବେ ମହାପ୍ରଭୁ । ଆଜି ସଂଧ୍ୟା ସୁଦ୍ଧା ଚାରମାଳ ବନ୍ଦା ହୋଇ ସେନାପେଟା ଲାଗି କରାଯିବ । ଭୋର ୪ଟାରେ ମହାପ୍ରଭୁଙ୍କ ନୀତିକାନ୍ତି ଆରମ୍ଭ ହେବ । ଭୋର ୪.୧୫ରେ ମଇଲମ, ଭୋର ସାଢେ ୪ଟାରେ ତଡପ ଲାଗି ଓ ରୋଷହୋମ ଅନୁଷ୍ଠିତ ହେବ । ୫ଟାରେ ଅବକାଶ, ୫ଟା ୧୫ରେ ଅବକାଶ, ଭୋର ୫ଟା୧୫ରେ ସୂର୍ୟ୍ୟପୂଜା ଅନୁଷ୍ଠିତ ହେବ । ସାଢେ ୫ଟାରେ ଦ୍ୱାରପାଳ ପୂଜା ଓ ବେଶ ଶେଷ ଅନୁଷ୍ଠିତ ହେବ । ଭୋର ୫ଟା ୪୫ରେ ଗୋପାଳ ବଲ୍ଳଭ ଓ ସକାଳ ଧୂପ ନୀତି ଅନୁଷ୍ଠିତ ହେବ । ୭ଟାରେ ସେନାପଟା ଲାଗି ଅନୁଷ୍ଠିତ ହେବ । ୭ଟା ୪୫ରେ ମଙ୍ଗଳାର୍ପଣ, ୮ଟାରୁ ବାହୁଡା ପହଣ୍ଡି ଅନୁଷ୍ଠିତ ହେବ । ସାଢେ ୧୦ଟାରେ ଛେରା ପହଁରା, ୧୧ଟାରୁ ୧୨ଟା ମଧ୍ୟରେ ଚାରମାଳ ଫିଟିବା ଓ ଘୋଡା ଲାଗିବା ନୀତିକାନ୍ତି ରହିଥିବା ବେଳେ ୧୨ଟାରୁ ରଥଟଣା ଆରମ୍ଭ ହେବ ।
ଆଜି ନବମୀ ସନ୍ଧ୍ୟା ଦର୍ଶନ ରହିଥିବା ବେଳେ ଏଥର ବନ୍ଦ ରହିଛି । କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଆଜି ରାତି ୧୦ଟାରୁ ଦୁଇ ତାରିଖ ରାତି ୧୦ଟା ଯାଏଁ ପୁରୀ ଜିଲ୍ଲାରେ କର୍ଫ୍ୟୁ ଜାରି ହେବ । କେବଳ ଜରୁରୀକାଳୀନ ସେବାକୁ ବାଦ ଦେଲେ ଆଉ କାହାରିକୁ ଛଡ଼ାଯିବ ନାହିଁ । ବଡ଼ଦାଣ୍ଡରେ କୌଣସି ଗାଡି ଗଡ଼ିବ ନାହିଁ । ସହରର ସମସ୍ତ ପ୍ରବେଶ ପଥ ସିଲ ହେବ । ସହର ବାସିନ୍ଦା ନିଜ ପରିବାରକୁ ବାଦ ଦେଲେ ଛାତ ବା କୋଠା ଉପରେ କାହାରିକୁ ବସେଇପାରିବେ ନାହିଁ । କୋଭିଡ-୧୯ ନେଗେଟିଭ ରିପୋର୍ଟ ଥିବା ବ୍ୟକ୍ତି ହିଁ ବାହୁଡା ଯାତ୍ରାରେ ସାମିଲ ହେବେ । ପୁରୀରେ ସେରୋଲୋଜିକାଲ ପରୀକ୍ଷା କରାଯାଇଥିବାବେଳେ ଆଜି ବଳକା ସେବାୟତଙ୍କ କୋଭିଡ-୧୯ ପରୀକ୍ଷା କରାଯିବ ।