
ଢେ଼ଙ୍କାନାଳ : ଢେ଼ଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ତରାଜଙ୍ଗ ଗ୍ରାମରେ ବିଦ୍ୟାଳୟ ମିଶ୍ରଣକୁ ନେଇ ୪ର୍ଥ ଦିନରେ ପହଞ୍ଚିଛି ଆମରଣ ଅନଶନ। ଅନଶନରେ ବସିଥିବା ୬ଜଣଙ୍କ ମଧ୍ୟରୁ ୨ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ କାମାକ୍ଷାନଗର ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ତରାଜଙ୍ଗ ଗ୍ରାମର ରେବତୀ ସେଣ୍ଢ ଓ ଦ୍ରୌପଦୀ ସେଣ୍ଢଙ୍କ ଅବସ୍ଥା ଗୁରୁତର ଥିବା ଦେଖିବାକୁ ମିଳିଛି ।
ସୂଚନା ଅନୁଯାୟୀ, ଆଜକୁ ଦେଢ଼ ବର୍ଷ ହେବ ତରାଜଙ୍ଗ ପ୍ରାଥମିକ ବିଦ୍ୟାଳୟକୁ ମକୁଆକାଟେଣୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମିଶ୍ରଣକୁ ନେଇ ଉତ୍ତେଜନା ଲାଗି ରହିଛି । ଗତ ୩ ତାରିଖ ଦିନ ଗ୍ରାମର ସମସ୍ତ ମହିଳା ଓ ପୁରୁଷ ବିଦ୍ୟାଳୟ ଫାଟକ ସାମ୍ନାରେ ଆମରଣ ଅନଶନରେ ବସିଥିଲେ । ସେମାନଙ୍କ ମଧ୍ୟରୁ ୬ ଜଣ ଗ୍ରାମବାସୀ ୪ଦିନ ହେବ ଆମରଣ ଅନଶନରେ ବସିଛନ୍ତି। ତେବେ ଏଯାଏଁ ପ୍ରଶାସନ ତରଫରୁ କୌଣସି ଅଧିକାରୀ କିମ୍ବା ଶିକ୍ଷା ବିଭାଗର ଅଧିକାରୀଙ୍କ ଦେଖା ମିଳିନି ।
ସରକାରଙ୍କ ଗାଇଡ଼ ଲାଇନ ଅନୁଯାୟୀ ଦୁଇଟି ପାଖାପାଖି ବିଦ୍ୟାଳୟକୁ ଏକତ୍ର ମିଶ୍ରଣ କରାଯିବ ବୋଲି ଥିବା ନିୟମକୁ ତରାଜଙ୍ଗ ଗ୍ରାମବାସୀ ଦେଢ଼ ବର୍ଷ ହେବ ବିରୋଧ କରି ଆସୁଥିଲେ। ୧୯୧୧ ମସିହାରେ ନିର୍ମିତ ହୋଇଥିବା ଏହି ସର୍ବ ପୁରାତନ ବିଦ୍ୟାଳୟକୁ ଅନ୍ୟ ଏକ ଗାଁର ବିଦ୍ୟାଳୟ ସହ ମିଶ୍ରଣ କରିବାକୁ ପସନ୍ଦ କରି ନାହାନ୍ତି ତରାଜଙ୍ଗ ଗ୍ରାମବାସୀ ।
