ଯଦି ଗତ 6 ମାସର ହିସାବ ଦେଖାଯାଏ ତେବେ ଡବଲ୍ ହେଲମେଟ୍ ଜରିମାନା ବାବଦକୁ କଟକରେ 65 ଲକ୍ଷ ଟଙ୍କା ଜରିମାନା ଆଦାୟ କରାଯାଇସାରିଲାଣି ।
ମୋଟର ଭେଇକିଲ ଆଇନ-1988ର ଧାରା 129ରେ ଜଣେ ଗାଡି ଚାଳକ ଏବଂ ତାଙ୍କ ସହ ବସିଥିବା ଅନ୍ୟ ଜଣେ ବ୍ୟକ୍ତିଙ୍କ ପାଇଁ ଦୁଇଟି ହେଲମେଟ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି । ପ୍ରତ୍ୟେକ ଗୋଟେ ଗୋଟେ ହେଲମେଟ୍ ପିନ୍ଧିବେ । ଚାରି ବର୍ଷରୁ ଅଧିକ ପିଲାଙ୍କ କ୍ଷେତ୍ରରେ ହେଲମେଟ୍ ପିନ୍ଧିବାକୁ ଏହି ନିୟମରେ କୁହାଯାଇଛି । ଯଦି ଗାଡି ଚାଳକ କିମ୍ବା ତାଙ୍କ ସହ ବସିଥିବା ବ୍ୟକ୍ତି ହେଲମେଟ୍ ପିନ୍ଧିନଥାନ୍ତି ତାହେଲେ ମୋଟର ଆଇନର ଧାରା 194(ଡି)ରେ 1 ହଜାର ଟଙ୍କାର ଜରିମାନା ଏବଂ 3 ମାସ ଲାଗି ଲାଇସେନ୍ସକୁ ବାତିଲ୍ କରାଯିବ ବୋଲି କୁହାଯାଇଛି । କଟକ ସହରରେ ଗତ ଛଅ ମାସରେ ଡବଲ୍ ହେଲମେଟ୍ ପିନ୍ଧିନଥିବା ଅଭିଯୋଗରେ ଅର୍ଥାତ ଗାଡି ଚାଳକ ହେଲେମେଟ୍ ପିନ୍ଧିଥିବାବେଳେ ଚାଙ୍କ ପଛରେ ବସିଥିବା ବ୍ୟକ୍ତି ଯଦି ହେଲମେଟ୍ ପିନ୍ଧିଥାନ୍ତି ସେହିଭଳି ବ୍ୟକ୍ତି ତଥା 6545 ଜଣ ଗାଡି ଚାଳକଙ୍କ ବିରୋଧରେ ଚାଲାଣ କଟାଯାଇଛି । ଗତ ଜାନୁଆରୀରେ ଡବଲ୍ ହେଲମେଟ୍ ପିନ୍ଧିନଥିବା କାରଣରୁ 350ଟି ଚାଲାଣ କଟାଯାଇଥିବାବେଳେ ଫେବ୍ରୁଆରୀରେ 851ଟି, ମାର୍ଚ୍ଚରେ 982ଟି,ଏପ୍ରିଲରେ 991ଟି, ମେ ରେ 1876ଟି ଏବଂ ଜୁନରେ 1495ଟି ଚାଲାଣ କଟାଯାଇଛି ।
ସାଧାରମଣ ଗାଡି ଚାଳକଙ୍କ କହିବା କଥା ଯେ କୌଣସି ନିୟମ ଲାଗୁ କରାଯିବାର ଯଥେଷ୍ଟ ପୂର୍ବରୁ ଲୋକଙ୍କୁ ସେ ସମ୍ପର୍କରେ ସଚେତନ କରାଯିବା କଥା । କିନ୍ତୁ କଟକ ସହରରେ ଡବଲ ହେଲମେଟ୍ ନିୟମ ସମ୍ପର୍କରେ କୌଣସି ଭାବରେ ସଚେତନ କରାଯାଇ ନାହିଁ । ସଚେତନତା ଅଭାବରୁ ଲୋକେ ଜରିମାନା ଗଣିବାକୁ ବାଧ୍ୟ ହେଉଛନ୍ତି ।