ଭରତପୁର ଥାନାରେ ପୋଲିସ, ସେନା ଅଧିକାରୀ ଓ ତାଙ୍କ ବାନ୍ଧବୀଙ୍କ ସହ ହୋଇଥିବା ବିବାଦ ଘଟଣାକୁ ନେଇ ସିସିଟିଭି କ୍ୟାମେରା ନଥିବା ଯୋଗୁଁ ତୁମ୍ବି ତୋଫାନ ହୋଇଥିଲା । ପୂର୍ବ ବିଜେଡି ସରକାର ଭରତପୁର ଥାନାକୁ ଆଦର୍ଶ ଥାନା କରିଥିଲେ, ହେଲେ ଉକ୍ତ ଥାନାରେ କାର୍ଯ୍ୟକ୍ଷମ ହେଉନଥିଲା ସିସିଟିଭି କ୍ୟାମେରା । କେବଳ ଏତିକି ନୁହେଁ ରାଜ୍ୟର ଅଧିକାଂଶ ଥାନା ଓ ଫାଣ୍ଡିରେ ନଥିଲା ସିସିଟିଭି କ୍ୟାମେରା । ତେବେ ହାଇକୋର୍ଟ ଏ ନେଇ ନିଜ ଆଡୁ ଜନସ୍ବାର୍ଥ ମାମଲା ରୁଜୁ କରି ଶୁଣାଣି ଆରମ୍ଭ କରିଥିଲେ । ବର୍ତ୍ତମାନର ମୋହନ ସରକାର ଏ ମାମଲାକୁ ଗୁରୁତର ସହ ନେବା ସହିତ ଜୋରଦାର କାର୍ଯ୍ୟକାରୀ ମଧ୍ୟ କରୁଛନ୍ତି ।
ରାଜ୍ୟର ସମୁଦାୟ ୩୬ ଟି ପୋଲିସ ଜିଲ୍ଳା ମଧ୍ୟରୁ ୯୬ ପ୍ରତିଶତ ଥାନାରେ ସିସିଟିଭି କ୍ୟାମେରା କାର୍ଯ୍ୟକ୍ଷମ ହୋଇଥିବାବେଳେ ଚଳିତ ମାସ ଶେଷ ସୁଦ୍ଧା ବାକି ୪ ପ୍ରତିଶତ ଥାନାରେ ସିସିଟିଭି କ୍ୟାମେରା କାର୍ଯ୍ୟକ୍ଷମ ହେବ ବୋଲି ଷ୍ଟାଟସ ରିପୋର୍ଟରେ କୋର୍ଟଙ୍କୁ ଦର୍ଶାଇଛନ୍ତି ରାଜ୍ୟ ସରକାର । ଏହା ସହ ଆସନ୍ତା ବର୍ଷ ମାର୍ଚ୍ଚ ମାସ ଶେଷ ସୁଦ୍ଧା ୨୯୫ ଟି ପୋଲିସ ଫାଣ୍ଡିରେ ସିସିଟିଭି କ୍ୟାମେରା କାର୍ଯ୍ୟକ୍ଷମ ହେବ ବୋଲି କୋର୍ଟଙ୍କୁ କହିଛନ୍ତି ରାଜ୍ୟ ସରକାର ।
ଅନ୍ୟପଟେ ବିଭିନ୍ନ ମାମଲାରେ ପୋଲିସ ଷ୍ଟେସନ ଆସୁଥିବା ସେନା କର୍ମଚାରୀଙ୍କ ସହ ବ୍ୟବହାର ନେଇ ଏସଓପି ଜାରି କରିଛନ୍ତି ରାଜ୍ୟ ସରକାର । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ନୂତନ ଏସଓପିକୁ ମଧ୍ୟ ଅନୁମୋଦନ ଦେଇଛନ୍ତି । କୌଣସି ସେନା କର୍ମଚାରୀ ଡ୍ୟୁଟିରେ ରୁହନ୍ତୁ କିମ୍ବା ନରୁହନ୍ତୁ, ସେମାନେ ପୋଲିସ ଷ୍ଟେସନରେ କୌଣସି ଅଭିଯୋଗ କଲେ ତୁରନ୍ତ ତା ଉପରେ କାର୍ଯ୍ୟକାରୀ କରିବେ ପୋଲିସ ଅଧିକାରୀ
- ସେନା କର୍ମଚାରୀଙ୍କ ଅଭିଯୋଗ ଓ ଅସୁବିଧାକୁ ଗୁରୁତର ସହ ନେବା ସହିତ ଆଇନ ଅନୁଯାୟୀ ପଦକ୍ଷେପ ନେବେ ପୋଲିସ ଅଧିକାରୀ
- ସେନା କର୍ମଚାରୀ ଲିଖିତ ଅଭିଯୋଗ କଲେ ତାକୁ ଆଇନ ଅନୁଯାୟୀ ଅଧିକ ପ୍ରାଧାନ୍ୟ ଦେଇ ତୁରନ୍ତ ପଦକ୍ଷେପ ନେବେ ପୋଲିସ ଅଧିକାରୀ
- ସେନା କର୍ମଚାରୀ ଏତଲା ଲେଖିବା ସମୟରେ ସେମାନଙ୍କୁ ସମସ୍ତ ପ୍ରକାରର ସାହାଯ୍ୟ କରିବେ ପୋଲିସ ଅଧିକାରୀ
- କୌଣସି ସେନା କର୍ମଚାରୀ କୌଣସି ସଙ୍ଗୀନ ଅପରାଧ ସମ୍ପର୍କରେ ମୌଖିକ ଭାବେ ଅଭିଯୋଗ କଲେ ତାଙ୍କୁ ଲିଖିତ ଏତଲା ଦେବା ପାଇଁ ନକହି ପୋଲିସ ଅଧିକାରୀ ନିଜେ ଏତଲା ଲେଖି ପଦକ୍ଷେପ ନେବେ
- କୌଣସି ଆର୍ମୀ, ନେଭି ଓ ଏୟାର ଫୋର୍ସ କର୍ମଚାରୀ ଡ୍ୟୁଟିରେ ଥିଲେ କେନ୍ଦ୍ର ସରକାରଙ୍କ ବିନା ଅନୁମତିରେ ସେମାନଙ୍କୁ ଗିରଫ କରି ପାରିବେ ନାହିଁ ପୋଲିସ
- ସେନା କର୍ମଚାରୀଙ୍କୁ ଗିରଫ କରିବା ପାଇଁ ନିକଟସ୍ଥ ଷ୍ଟେସନ କମାଣ୍ଡର ମେଜର ରାଙ୍କ ଅଧିକାରୀଙ୍କ ଠାରୁ ଅନୁମତି ନେବାକୁ ପଡ଼ିବ। ଅନୁମତି ନମିଳିଲେ ପୋଲିସ ଉକ୍ତ ସେନା କର୍ମଚାରୀଙ୍କୁ ଅଟକ ରଖି ସେନା ପୋଲିସକୁ ହସ୍ତାନ୍ତର କରିବ
- କେବଳ ଦୁଷ୍କର୍ମ, ହତ୍ୟା, ଅପହରଣ ପରି ଜଘନ୍ୟ ଅପରାଧୀକ ଘଟଣାରେ ହିଁ ଡ୍ୟୁଟିରେ ଥିବା ସେନା କର୍ମଚାରୀଙ୍କୁ ବିନା ଅନୁମତିରେ ଗିରଫ କରି ପାରିବ ପୋଲିସ । ଯଦି ଜଘନ୍ୟ ଅପରାଧ ସହ ସେମାନଙ୍କ ସଂପୃକ୍ତି ନଥିବ, ତା ହେଲେ ବିନା ଅନୁମତିରେ ସେମାନଙ୍କୁ ଗିରଫ କରି ପାରିବ ନାହିଁ ପୋଲିସ
- ସେନା କର୍ମଚାରୀଙ୍କୁ ସେମାନଙ୍କ ଡ୍ୟୁଟି ବ୍ୟତୀତ ଅନ୍ୟ କୌଣସି ଘଟଣାରେ ଗିରଫ କରିବାକୁ ହେଲେ ନିକଟରେ ଥିବା ସେନା ପୋଲିସ ମୁଖ୍ୟାଳୟକୁ ସୂଚନା ଘଟଣାସ୍ଥଳ, ତାରିଖ, ଦିନ ସମ୍ପର୍କରେ ଜଣେଇବେ ପୋଲିସ ଅଧିକାରୀ
- ସେନା କର୍ମଚାରୀଙ୍କ ବିରୋଧରେ ଆସୁଥିବା ଅଭିଯୋଗକୁ ଗୁରୁତର ସହ ବିଚାର କରିବେ ପୋଲିସ। ଏ ନେଇ ସେନା କମାଣ୍ଡରଙ୍କୁ ମଧ୍ୟ ଜଣେଇବେ
- ସେନା କର୍ମଚାରୀଙ୍କୁ ଗିରଫ କରିବା ସମୟରେ ସେମାନଙ୍କୁ ହାତକଡି ପିନ୍ଧେଇବେ ନାହିଁ ପୋଲିସ। ସେମାନଙ୍କ ଶରୀରକୁ କ୍ଷତ ପହଞ୍ଚେଇବା ଭଳି କୌଣସି ପଦକ୍ଷେପ ନେବେ ନାହିଁ ପୋଲିସ
- ସେନା କର୍ମଚାରୀଙ୍କ ବିରୋଧରେ ମାମଲାର ବିଚାର ପାଇଁ BNS ର ଧାରା ୫୨୧ ଏବଂ କ୍ରିମିନାଲ କୋର୍ଟ ରୁଲ ୩.୩ ଓ କୋର୍ଟ ମାର୍ଶିଆଲ ନିୟମ ୧୯୭୮ କୁ ଧ୍ୟାନ ରଖିବେ କୋର୍ଟ