ଭୁବନେଶ୍ୱର: ବାଲେଶ୍ୱରରେ ଚିଙ୍ଗୁଡ଼ି ପ୍ଲାଣ୍ଟ ଟ୍ରାଜେଡିକୁ ନେଇ ବିସ୍ଫୋରକ ବୟାନ ଦେଲେ ବରିଷ୍ଠ ନେତା ଦାମୋଦର ରାଉତ । coastal aquaculture development authority act 2005ର ଏହା ହେଉଛି ଖୋଲାଖୋଲି ଉଲ୍ଲଂଘନ । ଗୋଟିଏ ଜାଗାରେ ଦୁର୍ଘଟଣା ହୋଇଛି ଅନ୍ୟ ସ୍ଥାନରେ ବି ହୋଇପାରେ । 1971ରେ ଆସିଥିବା ଏକ ବାତ୍ୟାରେ ଲୁଣା ପ୍ଳାବଣ ହୋଇ ପ୍ରାୟ 1000 ଲୋକ ମୃତ୍ୟୁବରଣ କରିଥିଲେ । ଏହାର ତଦନ୍ତ ପରେ 450 ଏକର ଲୁଣା ଘେରି ବନ୍ଦ ହେଲା । ଉପରୋକ୍ତ ଆକ୍ଟ ଅନୁଯାୟୀ ସମୁଦ୍ର କୂଳରୁ ଦୁଇ କିଲୋମେଟର ଭିତରେ ଚିଙ୍ଗୁଡ଼ି ଘେରି ହେବା କଥା । ଯଦି ସେହି ଦୁଇ କିମି ଭିତରେ ଜନବସତି କି ଧାନ ବିଲ ଥିବ ତାହାଲେ 500 ମିଟର ଦୂରରେ ହେବ । ଉପକୂଳ ଅଂଚଳରେ ବର୍ତମାନ 15 ରୁ 20 କିଲୋମିଟର ପର୍ଯ୍ୟନ୍ତ ଚିଙ୍ଗୁଡ଼ି ଚାଷ ହେଉଛି । ନିୟମ ଉଲଂଘନ କଲେ 3 ମାସ ଜେଲ ଏବଂ 1 ଲକ୍ଷ ଜରିମାନାର ଦଣ୍ଡ ବିଧାନର ନିୟମ ରହିଛି । ସବୁ ଜାଣି ଅଫିସର ମାନେ ଚୁପ ରହୁଛନ୍ତି ବୋଲି ଅଭିଯୋଗ କରିଛନ୍ତି ପୂର୍ବତନ ପଶୁ ଏବଂ ମତ୍ସ୍ୟ ସମ୍ପଦ ମନ୍ତ୍ରୀ ଦାମ ରାଉତ ।
ଏହାସହ ସେ ଆହୁରି ମଧ୍ୟ କହିଛନ୍ତି, ଏଥିରେ ଫାଲକନକୁ ଦୋଷ ଦେଇ ଲାଭ ନାହିଁ । ପୂର୍ବଭାରତରେ ଅଧିକ ପରିମାଣରେ ଚିଙ୍ଗୁଡ଼ି ରପ୍ତାନୀ କରୁଥିବା କମ୍ପାନୀ ହେଲା ଫାଲକନ୍ । କିନ୍ତୁ କ୍ଲୋରିନ ଗ୍ୟାସ ନିର୍ଗତ ହେବା ସମୟରେ ସେଠାରେ ଚିଙ୍ଗୁଡ଼ି ଆସିଲା କେଉଁଠୁ? ବଡ଼ ବଡ଼ ପଇସା ବାଲା ଲୋକ ଗରିବ ଚାଷୀଙ୍କୁ ଟର୍ଗେଟ କରି ବର୍ଷକୁ 30 ହଜାର ପର୍ଯ୍ୟନ୍ତ ଟଙ୍କା ଦେଇ ସେମାନଙ୍କ ପାଖରୁ ଜମି ଲିଜ ନେଇଯାଉଛନ୍ତି । ସେଥିରେ ପୋଖରୀ କରି ଚିଙ୍ଗୁଡ଼ି ଚାଷ କରୁଛନ୍ତି । ଚିଙ୍ଗୁଡ଼ି ଚାଷ ନହେଲେ ସେମାନେ ଜମି ଛାଡ଼ି ଦେଉଛନ୍ତି । ପୋଖରୀ ହୋଇଥିବା ଜମିରେ ଧାନଚାଷ ହୋଇପାରୁନି । ଏହାକୁ ନେଇ ଚାଷୀ ଅଡ଼ୁଆରେ ପଡ଼ୁଛନ୍ତି । ସେହିଭଳି ଭାବେ ଆକ୍ଟକୁ ଅଫିସରମାନେ ଯେଉଁଭଳି ଉଲ୍ଲଂଘନ କରୁଛନ୍ତି ସରକାର ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ଏବଂ ବେଆଇନ ଚିଙ୍ଗୁଡ଼ି ଚାଷକୁ ବନ୍ଦ କରନ୍ତୁ । ନଚେତ ସବୁ ଛାରଖାର ହୋଇଯିବ ବୋଲି କହିଛନ୍ତି ଦାମ ରାଉତ ।
