ସେ ନିଜେ ଗୋଟେ କ୍ରିମିନାଲ । ତାଙ୍କ ନାଁ ରେ ତାଙ୍କ ସ୍ତ୍ରୀ କେସ୍ ଫାଇଲ କରିଛନ୍ତି । ମୁଁ ତାଙ୍କୁ ପ୍ରେମ କରୁଥିବାର କିଛି ଫୋଟ ଅଛି ? ଆକ୍ସିଡେଣ୍ଟ କେସ୍ କୁ ଫ୍ୟାମିଲି କେସ୍ କାହିଁକି କରାଯାଉଛି ?
ଗୋଟେ ହାତରେ ତାଳି ବାଜେନି । ଲେକ୍ଚର ହେଲେ କଣ ହେଲା । ତାଙ୍କ ସ୍ୱାମୀ ଗୋଟେ କ୍ରିମିନାଲ । ସ୍ତ୍ରୀକୁ ବହୁତ ମାଡ ମାରିଛନ୍ତି । ବାଡେଇକି ମୁହଁ ଫଟାଇଦେଇଛନ୍ତି । ସୁରେଷ ବାଗ୍ ନାଁରେ କେସ୍ କରିବି । ସେ ମତେ ଅପରାଧୀ ସଜେଇଛନ୍ତି, ତାଙ୍କ ନାଁରେ ମୁଁ ଡିଫମେସନ ଫାଇଲ୍ କରିବି ।
ଏହା କୌଣସି ଯାତ୍ରାର ସଂଳାପ ନୁହେଁ । ଏହି ଧମକାଦାର ଡାଇଲଗ ହେଉଛି ଅଜୟ ଜେଠୀଙ୍କର । ଇଏ ସେହି ଅଜୟ, ଯାହାଙ୍କର ଇନ୍ସପେକ୍ଟର ସ୍ନିଗ୍ଧାରାଣୀ ସୁନାଙ୍କ ସହ ପ୍ରେମ ସମ୍ପର୍କ ହାଟରେ ପଡି ଦାଣ୍ଡରେ ଗଡ଼ୁଛି ।
ସୋନପୁର-ବଲାଙ୍ଗୀର 57 ନମ୍ବର ଜାତୀୟ ରାଜପଥ ବଡବାହାଲି ଛକରେ ସୁନା ମ୍ୟାଡାମ୍ଙ୍କ ଗାଡ଼ି ଧକ୍କାରେ ୩ଜଣ ପ୍ରାଣ ହରାଇବା ଘଟଣାକୁ ନେଇ ଚର୍ଚ୍ଚା ଥମିବାର ନାଁ ନେଉନଥିବାବେଳେ, ଏହି ଘଟଣାରେ ଗିରଫ ହୋଇଥିବା ଗାଡ଼ିର ଚାଳକ ଅଜୟ ଜେଠୀଙ୍କ ସହ ଇନ୍ସପେକ୍ଟର ମ୍ୟାଡାମ୍ଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚା ଜୋର୍ ଧରିଛି । ଉଭୟଙ୍କ ସମ୍ପର୍କକୁ ନେଇ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସୁଛି ।
ସୁନ୍ଦରଗଡ ଜିଲ୍ଲାରେ ମହିଳା ଇନ୍ସପେକ୍ଟର ସ୍ନିଗ୍ଧାରାଣୀ ସୁନା ଆଇନ ଶୃଙ୍ଖଳା ରକ୍ଷା କରିବା ପରିବର୍ତ୍ତେ ଆଇନକୁ ଆଖିଠାର କରି ଗୋଟିଏ ପରେ ଗୋଟିଏ ବିବାଦୀୟ କାମ କରିଚାଲିଥିବାବେଳେ ତାଙ୍କ କାର୍ଯ୍ୟକାରିତା ଉପରେ ସୃଷ୍ଟି ହୋଇଛି ପ୍ରଶ୍ନବାଚୀ ।