୨୦୦୬ ଜୁଲାଇ ୧୯ ତାରିଖରେ ବେଦାନ୍ତ ଫାଉଣ୍ଡେସନ ସହ ଚୁକ୍ତିନାମା ସ୍ବାକ୍ଷର କରିଥିଲା ପୂର୍ବ ବିଜେଡ଼ି ସରକାର । ବେଦାନ୍ତ ଦ୍ଵାରା ପୁରୀରେ ବିଶ୍ବସ୍ତରୀୟ ବହୁମୁଖୀ ଆଧୁନିକ ବିଶ୍ଵବିଦ୍ୟାଳୟ ପ୍ରତିଷ୍ଠା ନେଇ ଘୋଷଣା ହୋଇଥିଲା । କିନ୍ତୁ MOU ହେବା ପରେ ତିନି ଥର ନାଁ ପରିବର୍ତ୍ତନ କରିଥିଲା ବେଦାନ୍ତ । ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା ପାଇଁ ୨୨ଟି ଗାଁ ସହ ସରକାରୀ ଜମି ଦେବାକୁ ଚୁକ୍ତି ହୋଇଥିଲା । ୪୧୭୮.୮୪ ଏକର ଘରୋଇ ଜମି ଅଧିଗ୍ରହଣ କରାଯାଇଥିବା ବେଳେ ୩୩୪୨.୫୩ ଏକର ଜମି ଦଖଲକୁ ନେଇଥିଲା ବେଦାନ୍ତ । ସେହିପରି ବିଶ୍ଵବିଦ୍ୟାଳୟ ପାଇଁ ୬୯୨.୦୨ ଏକର ସରକାରୀ ଜମିକୁ ଅନୁମୋଦନ ମିଳିଥିବା ବେଳେ ୪୯୪.୯୮ ଏକର ଦଖଲକୁ ନେଇଥିଲା ବେଦାନ୍ତ । ଏହା ବାଦ ଜଗନ୍ନାଥ ମହାପ୍ରଭୁଙ୍କ 13 ଶହ ଏକର ଜମି ବି ନେଇଥିଲା ବେଦାନ୍ତ
ହେଲେ ବାସଚ୍ୟୁତ ଲୋକଙ୍କ ମଧ୍ୟରୁ ୯ ଜଣ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବାରୁ ବିଶ୍ଵବିଦ୍ୟାଳୟ ପ୍ରତିଷ୍ଠା ନେଇ ପ୍ରଶ୍ନ ଉଠିଥିଲା । 2010ରେ ଜମି ଅଧିଗ୍ରହଣ ପ୍ରକ୍ରିୟାକୁ ଖାରଜ କରିଥିଲେ ହାଇକୋର୍ଟ । ଲୋକଙ୍କ ଜମି ଫେରାଇବା ସହ ସରକାରୀ ଜମି ଫେରସ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ । ଏହାକୁ ବିରୋଧ କରି ବେଦାନ୍ତ ସୁପ୍ରିମକୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲା । ସୁପ୍ରିମକୋର୍ଟ ହାଇକୋର୍ଟଙ୍କ ରାୟକୁ କାୟମ ରଖିଥିଲେ । ପୂର୍ବ ବିଜେଡ଼ି ସରକାର କୋର୍ଟଙ୍କ ଆଦେଶ ମାନିନଥିଲେ କି ଲୋକଙ୍କୁ ତାଙ୍କ ଜମି ଫେରାଇନଥିଲେ । କିନ୍ତୁ ବିଜେପି ସରକାର ଆସିବା ପରେ ଲୋକ ନିଜ ଫେରିପାଇବାର ବାଟ ଫିଟିଛି । 17 ବର୍ଷ ଧରି ଜମିରେ ଚାଷ କରିପାରି ନଥିବାରୁ କ୍ଷତି ପୂରଣ ଦାବି କରିଛନ୍ତି ଜମି ହରାଇଥିବା ଲୋକେ ।
ପୁରୀରେ ବିଶ୍ବବିଦ୍ୟାଳୟ କରିବାକୁ ବେଦାନ୍ତକୁ ଶାଗମାଛ ଦରରେ ହଜାର ହଜାର ଏକର ଜମି ଟେକିଦେଇଥିଲେ ପୂର୍ବ ସରକାର । ହାଇକୋର୍ଟ ଏହି ଅଧିଗ୍ରହଣକୁ ବେଆଇନ କହି ବେଦାନ୍ତକୁ 5 ଲକ୍ଷ ଟଙ୍କା ଜୋରିମାନା ବି କରିଥିଲା । ଏବେ ଏହି ଅଧିଗ୍ରହଣରେ ଦୁର୍ନୀତିର ଗନ୍ଧ ବାରି ତଦନ୍ତ ଇଶାରା ଦେଇଛନ୍ତି ସରକାର ।