ଖୋର୍ଦ୍ଧା: ପୁଣି ସମବାୟ ସମିତି ବିରୋଧରେ ତାତିଲେ ଚାଷୀ । ସମବାୟ ସମିତିରେ ତାଲା ପକାଇ ନାରାବାଜି କଲେ ଉତ୍ତ୍ୟକ୍ତ ଚାଷୀ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ ସଂପୁର ସେବା ସମବାୟ ସମିତିରେ । ଚାଷୀଙ୍କ ପ୍ରତି ସମବାୟ ସମିତି ପକ୍ଷରୁ ସବୁବେଳେ ଅବହେଳା କରାଯାଉଥିବାର ଅଭିଯୋଗ ହୋଇଆସୁଥିବା ବେଳେ ଏଥିରେ ଅତିଷ୍ଠ ହୋଇ ଶେଷରେ ଚାଷୀମାନେ ମିଳିତ ଭାବେ ସିମିତିରେ ତାଲା ପକାଇଛନ୍ତି ।
ଗତବର୍ଷ ମଣ୍ଡିରେ ଧାନ ବିକ୍ରିକୁ ନେଇ ପାତରଅନ୍ତର ଓ ଫସଲ ବୀମା ଟଙ୍କା ନପାଇବା ପ୍ରତିବାଦରେ ସ୍ଥାନୀୟ ଚାଷୀ ସମିତି କାର୍ଯ୍ୟାଳୟରେ ତାଲା ପକାଇ ଧାରଣାରେ ବସିଥିବା ଜଣାପଡ଼ିଛି । ଏହି ସମୟରେ ଚାଷୀମାନେ ନାରାବାଜି କରିବାରୁ ସମିତିର ସମ୍ପାଦକ ଜଣେ ଚାଷୀଙ୍କୁ ମାଡ଼ ମାରିବାକୁ ବି ପଛାଇନଥିଲେ । ଏନେଇ ବୋଲଗଡ଼ ଥାନାରେ ଚାଷୀଙ୍କ ପକ୍ଷରୁ ଅଭିଯୋଗ ମଧ୍ୟ କରାଯାଇଛି । ହେଲେ ପୋଲିସ କିନ୍ତୁ କାର୍ଯ୍ୟାନୁଷ୍ଠାନ ପାଇଁ ପଛ ଘୁଞ୍ଚା ଦେଉଛି । ସମିତି ସମ୍ପାଦକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଦାବିରେ ବାରମ୍ବାର ଜିଲ୍ଲା ପ୍ରଶାସନକୁ ଚାଷୀ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ ।
