କି ପଦମପୁର, କି ପାଇକମାଲ, କି ଝାରବନ୍ଧ । ସବୁଠି ସବୁ ମଣ୍ଡିରେ ଦଲାଲ ରାଜ୍, ମିଲରଙ୍କ ପ୍ରାଦୁର୍ଭାବ । ଅନ୍ୟାନ୍ୟ ସୁବିଧା ସୁଯୋଗ କଥା ଛାଡ଼ନ୍ତୁ । ମଣ୍ଡିରେ ଧାନ ରଖିବା ପାଇଁ ନାହିଁ ଉପଯୁକ୍ତ ବ୍ୟବସ୍ଥା । ସୱାରୀ ଅପନେ ସାମାନ କି ଜିମ୍ମେଦାର ଭଳି ଧାନର ସୁରକ୍ଷା ଚାଷୀ କାନ୍ଧରେ । ଶହଶହ ବସ୍ତା ଧାନ ପଡ଼ିଛି । ହେଲେ ଉଠିବାର ନାଁ ନାହିଁ । ଏମିତି ସମୟ ଗଡ଼ିଗଡ଼ି ଟୋକନ ଲାପ୍ସ ହୋଇଗଲେ ମିଲର ତା’ର ଅସଲ ରଙ୍ଗ ଦେଖାଇବ ।2 ହଜାର 40 ଟଙ୍କା ବଦଳରେ ଧାନ ଉଠିବ ମାତ୍ର ୧୨ ଶହ ଟଙ୍କାରେ ।
ସେଇ ବରଗଡ଼ ଜିଲ୍ଲାରେ ସୋହେଲା ସମାବେଶରେ ମୁଖ୍ୟମନ୍ତ୍ରୀ ଚାଷୀଙ୍କୁ ଶହେ ଟଙ୍କା ବୋନସର ଘୋଷଣା କରିଥିଲେ । ପଦମପୁର ସନ୍ନିକଟ ଛତିଶଗଡ଼ରେ ଚାଷୀଙ୍କୁ ୫ ଶହ ଟଙ୍କା ବୋନସ ମିଳୁଥିବା ବେଳେ ଓଡ଼ିଶାରେ ସବୁକିଛି ଘୋଷଣାରେ ହିଁ ସୀମିତ । ଧାନ ବିକିବା ପାଇଁ ରେଜିଷ୍ଟ୍ରେସନ ହୋଇଥିବା ମୋବାଇଲ ହଜିଯିବା ଯୋଗୁଁ ମଧ୍ୟ ଚାଷୀ ମାତ୍ର ୧୨ ଶହ ଟଙ୍କାରେ ଧାନ ବିକିବାକୁ ଝାରବନ୍ଧରେ ବାଧ୍ୟ ହେଉଛନ୍ତି।
ଏଇ କ’ଣ ପଦମପୁରରେ ଛାତି ଫୁଲେଇ ବୁଲୁଥିବା କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କର ପାରିବାପଣିଆ ? ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ପଦମପୁରରେ ବିଜେଡି ବିକାଶର ଗାଥା ଗାଉଥିବା ବେଳେ ତାଙ୍କ ଆଖିକୁ କ’ଣ ଚାଷୀଙ୍କ ଲୁହ ଦେଖାଯାଉନି । ବରଗଡ଼ରେ ମିଲରମାନଙ୍କର ଏତେ ଦୌରାତ୍ମ୍ୟ ବଢ଼ିଯାଇଛି, ପିସିରେ ଧାନକିଣା ବ୍ୟବସ୍ଥାକୁ ଏମିତି ବୁଡ଼େଇ ରଖିଛନ୍ତି ଯେ ସରକାରୀ ନିର୍ଦ୍ଦେଶକୁ ବି ସେମାନେ ଫୁ କରି ଉଡ଼ାଇ ଦେଉଛନ୍ତି।