ଘର
ଓଡ଼ିଶା
ଦେଶୀ ବିହନର ସୁରକ୍ଷା ସାଙ୍ଗକୁ ପ୍ରସାର
ଦେଶୀ ବିହନର ସୁରକ୍ଷା ସାଙ୍ଗକୁ ପ୍ରସାର
by Banajyotshna Ray
ଅର୍ଗସ ବ୍ୟୁରୋ: ସ୍ୱଦେଶୀ ବିହନ ଜରିଆରେ ଚାଷୀଙ୍କ ଉନ୍ନତି ସମ୍ଭବ । ଏହାର ପ୍ରସାର ଘଟିଲେ ସେମାନଙ୍କୁ ଋଣ ମୁକ୍ତ କରିବା ସହଜ । କୃଷି ପଦ୍ଧତିରେ ଏଭଳି ବିଚାରକୁ ପ୍ରୟୋଗ କରିବା କାମରେ ପରିଣତ ବୟସରେ ଅଂଟା ଭିଡିଛନ୍ତି ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ ମଦେଇଗାଁର ଜଣାଶୁଣା ଦେଶୀ ଧାନ ସଂରକ୍ଷକ ଶଙ୍କର ପଟ୍ଟନାୟକ । ଶଙ୍କର ଶିକ୍ଷକତା ବୃତ୍ତିରୁ ଅବସର ନେବା ପରେ ଆରମ୍ଭ କରିଛନ୍ତି ଦେଶୀ ବିହନର ସୁରକ୍ଷା ସାଙ୍ଗକୁ ପ୍ରସାର । ଗାଁ କୁ ଗାଁ ଓ କ୍ଷେତକୁ କ୍ଷେତ ବୁଲି ସେ ଏହି କାମରେ ଲାଗିଛନ୍ତି । ୨୦୧୪ ମସିହାରୁ ସେ ଆରମ୍ଭ କରିଥିବା ଏହି ଯାତ୍ରା ଏବେ ଶହ ଶହ ଚାଷୀ ଓ ଗବେଷକଙ୍କ ପାଇଁ ପାଲଟିଛି ପ୍ରେରଣା । ପ୍ରଥମେ ସେ ନିଜ ଗାଁରୁ ୬ ପ୍ରକାର ଦେଶୀ ବିହନକୁ ଏ ଯାତ୍ରା ଆରମ୍ଭ କରିଥିଲେ । ଏବେ ଏହି ସଂଖ୍ୟା ୯୦୦ରେ ପହଂଚିଛି । ୯୦୦ ପ୍ରକାରର ଦେଶୀ ଧାନ ବିହନ ସଂଗ୍ରହ ପାଇଁ ସେ ଦଶ ବର୍ଷର ସମୟ ସହିତ ବିନିଯୋଗ କରିଛନ୍ତି ବହୁ ମୂଲ୍ୟବାନ ସମୟ ଓ ସମ୍ବଳ । ବହୁ ମୂଲ୍ୟବାନ ଦେଶୀ ବିହନକୁ ସୁରକ୍ଷା କରି ଶଙ୍କର ବାବୁ ଜିଲ୍ଲା ପାଇଁ ଗର୍ବ ଆଣିଥିବା କୃଷି ଅଧିକାରୀ କହିଥିବା ବେଳେ ଶଙ୍କର ବାବୁ ଯେଉଁଠି ନୂଆ ପ୍ରଜାତି ଦେଖନ୍ତି ଖୋଜି ଲୋଡି ଆଣିଥାନ୍ତି ବୋଲି କହିଛନ୍ତି ପତ୍ନୀ ।
ଶଙ୍କର ବାବୁଙ୍କ ଘର ପାଲଟିଛି ମିନି ସଂଗ୍ରହାଳୟ । ଘରସାରା ସଜ୍ଜିତ ହୋଇ ରହିଛି ନାନା କିସମର ଧାନ କେଣ୍ଡା । ଓହଳି ରହିଥିବା କେଣ୍ଡା ଗୁଡିକରେ ଧାନର ନାଁ ଓ ଗୁଣ ଲେଖା ହୋଇ ରହିଛି । କେବଳ ଏତିକି ନୁହଁ ଶଙ୍କର ବାବୁ ପୃଥକ ଭାବେ ପ୍ଲାଷ୍ଟିକ ଡବା ଗୁଡିକରେ ଧାନକୁ ସାଇତି ରଖିବା ସହିତ ଏହାର ବିସ୍ତୃତ ତଥ୍ୟକୁ ପର ପିଢିଙ୍କ ପାଇଁ କାଗଜରେ ଲେଖି ରଖିଛନ୍ତି । ଶଙ୍କର ବାବୁଙ୍କ ନିକଟରେ ଏବେ ୩୦ ପ୍ରକାର ମାଣ୍ଡିଆ ବିହନ ସହିତ ରହିଛି ୬ ପ୍ରକାର କଳାଜିରା ଧାନ ପ୍ରଜାତି ଓ ଲୋପ ପାଇଯାଇଥିବା ଆଉ କେତେ କେତେ ପ୍ରଜାତି । କଳାଜିରା , ବାସ ଭୋଗ ,ମାଛକଣ୍ଟା ,ନଡ଼ିଆ ଫୁଲ ,କଲା ଡୁବରାଜ ଭଳି ୯୦୦ ପ୍ରଜାତିର ସୁରକ୍ଷା ସହିତ ଏହାକୁ ଚାଷ କରିବା ପାଇଁ ସେ ୩୦୦ ରୁ ଅଧିକ ଚାଷୀଙ୍କୁ ପ୍ରଦାନ କରିଛନ୍ତି । ଅବସର ପରେ ବିଶ୍ରାମ ବଦଳରେ ପରିଣତ ବୟସରେ ଶଙ୍କର ବାବୁ କ୍ଷେତ ଗୁଡିକରେ ବୁଲି ତଦାରଖ କରିବା ସହିତ ଚାଷୀଙ୍କୁ ମାର୍ଗଦର୍ଶନ ଦେଇଥାନ୍ତି । ମଦେଇ ଗାଁର ୧୦/୧୫ ଚାଷୀ ଶଙ୍କର ବାବୁଙ୍କ ଠାରୁ ଦେଶୀ ବିହନ ନେଇ ଚାଷ କରୁଥିବା କହିଥିବା ବେଳେ ଶଙ୍କର ବାବୁ କହନ୍ତି ସ୍ବଦେଶୀ ଜୈବିକ କୃଷି ଚାଷୀଙ୍କୁ ଋଣ ମୁକ୍ତ କରିପାରିବ ।
ଅଧିକ ପଢ଼ନ୍ତୁ ଓଡିଶା ଖବର: