ଏହି ଆଶ୍ରମ ସାଧାରଣରେ ନୁରି ହୋତା ଆଶ୍ରମ ନାଁରେ ବେଶି ପରିଚିତ। ଖୁବ୍ କମ ସ୍ଥାନରେ ଆରମ୍ଭ ହୋଇଥିବା ଏହି ଆଶ୍ରମ ଉପରେ କିନ୍ତୁ ଖଳ ପ୍ରକୃତିର ଲୋକଙ୍କ କୋପ ପଡ଼ିଥିଲା। କେତେବେଳେ ଆଶ୍ରମ ପୋଡାଯାଇଛି ତ ଆଉ କେତେବେଳେ ଭାଙ୍ଗି ଆକ୍ରମଣ କରାଯାଇଛି। ପୁଣି କେତେବେଳେ ଆଶ୍ରମକୁ ବଦନାମ କରିବା ପାଇଁ ଉଦ୍ୟମ କରାଯାଇଛି। କିନ୍ତୁ ନରସିଂହ ହୋତା ବା ନୂରି ହୋତା କେବେ ହାର ମାନି ନାହାନ୍ତି କି ପଛକୁ ଫେରିନାହନ୍ତି। ସମୟ ସ୍ରୋତରେ ଏହି ଆଶ୍ରମର ନବକଳେବର ହୋଇଛି।
ସାଇ ଆଶ୍ରମରେ ବର୍ତ୍ତମାନ ୩୯ ଜଣ ଅନାଥ ପିଲା ରହି ପାଠ ପଢ଼ୁଛନ୍ତି। ସେମାନଙ୍କ ଭିତରେ ୨୩ ଝିଅ ଓ ୧୬ ଜଣ ପୁଅ ଅଛନ୍ତି। ମଣିଷ ତିଆରି କାରଖାନା ପାଲଟିଛି ଆଶ୍ରମ। ପୂର୍ବରୁ ଆଶ୍ରମରେ ଖେଳି, ପଢ଼ି ବଡ ହୋଇ ଅନେକ ମଣିଷ ହୋଇ ନିଜ ନିଜର ଜୀବିକା ଉପାର୍ଜନ କରିବା ସହ ପ୍ରତିଷ୍ଠିତ ବ୍ୟକ୍ତି ହୋଇପାରିଛନ୍ତି। ପ୍ରତିଦିନ ସକାଳୁ ନିତ୍ୟକର୍ମ ଶେଷ ପରେ ପ୍ରାର୍ଥନା,ବଗିଚା କାମ ,ପାଠ ପଢା,ଖେଳ କୁଦ,ନୃତ୍ୟ ସହିତ ଭଲ ମଣିଷ ହେବାର ଶିକ୍ଷା ଦିଆଯାଉଛି ଆଶ୍ରମରେ। ଖୁବ୍ କମ ବୟସରୁ ନିଜ ନିଜ ବାପା,ମାଙ୍କୁ ଜାଣିନଥିବା ପିଲାଙ୍କୁ ବାପା,ମାର ସ୍ନେହ,ମମତା ଦିଆଯିବା ଉତ୍ତମ ଶିକ୍ଷାଦାନ ପାଇଁ ସହ ଗୁରୁଙ୍କ ବ୍ୟବସ୍ଥା ମଧ୍ୟ ହୋଇଛି ।
ଆଶ୍ରମ ପ୍ରତି ସହାୟତାର ହାତ ବଢାଇଛନ୍ତି ଅନେକ ବଦାନ୍ୟ ବ୍ୟକ୍ତି ଓ ଅନୁଷ୍ଠାନ । ଅଧ୍ୟାପକ ପୂର୍ଣ୍ଣଚନ୍ଦ୍ର ମହାପାତ୍ର ନିଜ ମା ତୁଳସୀ ପ୍ରିୟା ଦେବୀଙ୍କ ଇଚ୍ଛା ପୂରଣ କରିବା ପାଇଁ ଆଶ୍ରମର ସମସ୍ତ ଅନ୍ତେବାସୀଙ୍କୁ ଉନ୍ନତ ମାନର ଖାଦ୍ୟ ଖୁଆଇଛନ୍ତି। ସେମାନଙ୍କ ମୁହଁରେ ଏହି ହସ ଓ ଖୁସି ଦେଖି ପୂର୍ଣ୍ଣଚନ୍ଦ୍ର ମହାପାତ୍ର ଓ ତାଙ୍କ ଧର୍ମପତ୍ନୀ ସଂଧ୍ୟା ମହାପାତ୍ର ଭାବବିହ୍ବଳ ହୋଇପଡ଼ିଥିଲେ। ସେହିପରି ରୋଟାରୀ କ୍ଲବ ପକ୍ଷରୁ ଆଶ୍ରମକୁ ଏକ ଜେନେରେଟର, ଅକ୍ସିଜେନ୍ ସିଲିଣ୍ଡର,ୱାଟର ଫିଲଟର ଓ ଶିଶୁଙ୍କ ଖାଦ୍ୟ ସାମଗ୍ରୀ ଯୋଗାଇଦିଆଯାଇଛି।
ଆଶ୍ରମରେ ୨୪ ଘଣ୍ଟା ପିଲା ଏକ ଘରୋଇ ପରିବେଶରେ ରହୁଛନ୍ତି। ଆଶ୍ରମ ନିକଟରେ ସ୍କୁଲ ଓ ହସ୍ପିଟାଲ ରହିଛି। ଆଶ୍ରମ ପରିଚାଳନା ଓ ପିଲାଙ୍କ କଥା ବୁଝିବା ପାଇଁ ୧୧ ଜଣ କର୍ମଚାରୀ ଅଛନ୍ତି। ୩୯ ଜଣ ଅନ୍ତେବାସୀଙ୍କ ପାଇଁ ନିୟମିତ ରୁଟିନର ବ୍ୟବସ୍ଥା ହୋଇଛି। ସମସ୍ତ ପିଲା ଏକ ଅନୁଶାସନରେ ବନ୍ଧା ହୋଇଛନ୍ତି। ଖାଇବା ସମୟରେ ନିଜ ନିଜ ଖାଇବା ବାସନ ଓ ଆସନ ଧରି ଶୃଙ୍ଖଳିତ ଭାବେ ଖାଇ ନିଜ ବାସନ ମାଜୁଛନ୍ତି। ପାଠ ପଢା ସରିଲେ କ୍ୟାରମ୍ , ଚେସ୍ ଆଦି ଖେଳ ସହ ଟିଭି ମାଧ୍ୟମରେ ଖବର ଦେଖୁଛନ୍ତି।
ଏଥିସହ ପିଲାଙ୍କ ରୁଚିକୁ ଦେଖି ନୃତ୍ୟ, ଗୀତ ପାଇଁ ଶିକ୍ଷକଙ୍କ ବ୍ୟବସ୍ଥା ମଧ୍ୟ ହୋଇଛି। ଯାହାକୁ ନେଇ ବେଶ୍ ଖୁସି ପ୍ରକଟ କରିଛନ୍ତି ଆଶ୍ରମରେ ରହୁଥିବା ପିଲାମାନେ। ସେପଟେ ଏହି ଆଶ୍ରମ ସହର ଠାରୁ ନଜର ଆଢୁଆଳରେ ରହୁଥିବା ବେଳେ ଏହାର ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିବାକୁ ଦାବି ହୋଇଛି। ସାଇ ଆଶ୍ରମର ଅନ୍ତେବାସୀଙ୍କ ପାଇଁ ରାଜ୍ୟ ସରକାର ଅନୁଦାନ ଯୋଗାଉଛନ୍ତି ।୯୦ ବର୍ଷ ବୟସରେ ମଧ୍ୟ ନରସିଂହ ହୋତା ସଂଘର୍ଷ କରି କରିଥିବା ଆଶ୍ରମରେ ନିଜେ ରହି ପିଲାଙ୍କ କଥା ବୁଝୁଛନ୍ତି। ସ୍ନେହରେ ସବୁ ପିଲାଙ୍କ ନାଁ ଦେଇ ଡାକିବା ମାତ୍ର ପିଲା ତାଙ୍କ ବୋଲ ମାନିଥାନ୍ତି।
ଓଡିଶା ଖବର ଆହୁରି ପଢନ୍ତୁ