
ଅର୍ଗସ୍ ବ୍ୟୁରୋ : ରୋସଣି ହୋଇ ବାଜା ବାଜି, ବାଣ ଫୁଟେଇ ବର ବାହା ହେବକୁ ଆଇଚି । ଆଉ କେଇ ମିନିଟ ପରେ ସିଏ ବାହା ବେଦିରେ ବସି ବାଡୁଅ ଦୋଷରୁ ମୁକ୍ତି ବି ପାଇଥାନ୍ତା। ଏପଟେ ବରଯାତ୍ରୀ ବି ମଉଜ କରି କରି ଭୋଜି ଖାଇ ବସିଲେଣି। ହେଲେ ଖଲିରେ ମଟନ୍ କାଇଁ ? ଖାଲି ରୋହି କଁ ଚଳିବ ! ଉଁ ହୁ….। ଥିଲା ଥିଲା କିଏ ଗୋଟେ ବଗୁଲିଆ ବରଯାତ୍ରୀ କହିଲା, ଆଦୌ ଚଳିବନି। ସାଙ୍ଗ ବାହାଘର ଟିକେ ମଟନ୍ ଖାଇବୁନି, ଲଜ୍ଜା…।
ମାଛ ପରସୁଥିବା ଲୋକକୁ ଡାକି ବରଯାତ୍ରୀ ପଚାରିଲେ ମାଲିକେ କ’ଣ ଛେଳି ହେଇନି ? ଜବାବ ମିଳିଲା ଖାଲି ରୋହି।
ତା ପରେ ତ ମହାଭାରତ।
ମଦୁଆ ବରାଯାତ୍ରୀ ଆଉ କିଛି ଶୁଣିଲେନି। ଆରମ୍ଭ ହେଲା ଖାଇବା ଫୋପଡା ଫିଙ୍ଗା।
ବରକାନକୁ କଥା ଗଲା। ତୋ ଶଶୁର ଘର ମଟନ୍ କରି ନାହାନ୍ତି, ଆମକୁ ବଡ ଅପମାନ ଲାଗିଲା। ବର ରମାକାନ୍ତ ବି ତାଙ୍କ କଥାରେ ମାତିଲେ। ଶଶୁର ମଟନ୍ କାଇଁ କରି ନାହାନ୍ତି ବୋଲି କୈଫତ୍ ମାଗିବା ପରେ ରୋକଠୋକ୍ କହିଦେଲେ ମୁଁ ତମ ଝିଅକୁ ବାହା ହେବିନି !
କି ଅବସ୍ଥା ହୋଇଥିବ ଆପଣ ଚିନ୍ତା କରିପାରୁଥିବେ। ଘଟଣାଟା ଯାଜପୁର ଜିଲ୍ଲା ସୁକିନ୍ଦ ବ୍ଲକ ଅଞ୍ଚଳର ଏକ ଗ୍ରାମର। ବୁଧବାର ଅପରାହ୍ନରେ ବର ଓ ବରଯାତ୍ରୀ ଏହି ଗାଁରେ ପହଞ୍ଚି ମଧ୍ୟାହ୍ନ ଭୋଜନ ପାଇଁ ଡାଇନିଂ ହଲକୁ ଯାଇଥିଲା। ଏପଟେ ଝିଅଘର ପକ୍ଷରୁ ମଟନ୍ ରନ୍ଧା ହୋଇ ନ ଥିଲା। ଫଳରେ ହଟ୍ଟେଗାଳ ହେଲା ଆଉ ତା ପରେ ପରିସ୍ଥିତି ଅସମ୍ଭାଳ ।
କନିଆର ପରିବାର ଲୋକେ ଯେତେ ନିବେଦନ କଲେ ବି ବର ଜିଦ୍ ଧରିଥିଲେ। ଶେଷରେ ବାହାଘର ବନ୍ଦ ହେଲା। କିନ୍ତୁ ବଡ଼କଥା ଶିଶୁପାଳ ହେଲେ ନାହିଁ ରମାକାନ୍ତ। ରାତି ତମାମ ସେହି ଗ୍ରାମରେ ରହି ଅନ୍ୟ ଜଣ ମହିଳାଙ୍କୁ ବାହାହୋଇ ଘରକୁ ନେଇଗଲେ।
ଖବରଟି ପଢିଲା ପରେ ଆମର ସେ ଝିଅଘର ପ୍ରତି ସମବେଦନା ନିଶ୍ଚିତ ରହିବ। କାରଣ ବାହା ବେଦୀରୁ ବର ଫେରିଲେ ସେ ଝିଅ ଆଉ ତା ଘର ଲୋକଙ୍କ ଉପରେ ଯେ, କେଉଁଭଳି ଚାପ ଥିବ ସେ କଥା ନ କହିବା ଭଲ। କିନ୍ତୁ ଏକଥା ମଧ୍ୟ ଆମ ମନକୁ ଆସୁଛି, ଯେ ଏଭଳି ଲୋଭି ଆଉ ବିଚାରହୀନ ପରିବାରରେ ଝିଅଟି ବାହା ନ ହୋଇ ଭଲ କରିଛି। କରୋନାରେ ସାରା ବିଶ୍ବ ତ୍ରସ୍ତ ହେଉଥିବା ବେଳେ, ମଣିଷ ମୃତ୍ୟୁର ଦୁଆରମୁହଁରେ ଥାଇ ଇଶ୍ବରଙ୍କୁ ହାତ ଟେକି ଦେଇଛି। ଏଭଳି ସମୟରେ ଏମିତି ହୀନ ବିଚାର ରଖୁଥିବା ଲୋକ(ବରପକ୍ଷ)ଙ୍କୁ ମୁର୍ଖ କହିଲେ କିଛି ଭୁଲ ହେବନି ବୋଲି କୁହାଯାଇପାରେ।
ଅବଶ୍ୟ ଆମର ଆଇନ୍ ଶୃଙ୍ଖଳା ପରିସ୍ଥିତି ଅଛି। ପୁଲିସ ପାଖରୁ ଖବର ଯାଇନି। ବୋଧହୁଏ ଲୋକଲଜ୍ଜା ଭୟରୁ କେହି ଥାନାର ଦ୍ବାରସ୍ଥ ହୋଇ ନାହାନ୍ତି। କିନ୍ତୁ ଉକ୍ତ ବରଘର ଲୋକ ଓ ସମ୍ପୃକ୍ତ ବରପାତ୍ରକୁ ସେ ଦୃଷ୍ଟାନ୍ତମୂଳକ ଦଣ୍ଡ ବିଧାନ ହେଉ ଏ କଥା ଆମେ ସମେସ୍ତ ଆଶା କରିବୁ।
