ଅନୁଗୁଳ: ଦିନକୁ ଦିନ ହାତୀ ଆତଙ୍କ ବଢିବାରେ ଲାଗିଛି । ହାତୀ ଆକ୍ରମଣରୁ ବହୁ ଲୋକଙ୍କ ପ୍ରାଣ ମଧ୍ୟ ଚାଲି ଗଲାଣି । ଅନୁଗୁଳ ଜିଲ୍ଲା କଣିହାଁ ବନାଞ୍ଚଳ ସୁଲେଇପାଳେ ଗାଁରେ ହାତୀଙ୍କ ଉପଦ୍ରବ । ପୁଣି ହାତୀ ଆକ୍ରମଣରେ ୨ଜଣଙ୍କର ମୃତ୍ୟୁ ହୋଇଛି ।

ସୁଚନାଯୋଗ୍ୟ, ସୁଲେଇପାଲେ ଗାଁର ଦେବ ସାମଲ(୭୦)ବିଲକୁ କାମ କରିବାକୁ ଯାଇଥିବାବେଳେ ହାତୀ ଆକ୍ରମଣର ଶିକାର ହୋଇଥିଲେ । ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା । ସେହି ଭଳି ସୁଧାକର ମହାନ୍ତି (୭୦)ଜଙ୍ଗଲକୁ କାଠ ପାଇଁ ଯାଇଥିବା ସମୟରେ ସେ ମଧ୍ୟ ହାତୀ ଆକ୍ରମଣର ଶିକାର ହୋଇଥିଲେ । ତାଙ୍କର ମଧ୍ୟ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲା । ଏସଂମ୍ପର୍କରେ କଣିହାଁ ବନାଞ୍ଚଳ ଅଧିକାରୀଙ୍କୁ କହିବା ପରେ ସେ କହିଛନ୍ତି ଏଅଞ୍ଚଳରେ ହାତୀ ନାହିଁ । କେତେ ଜଣଙ୍କ ମୃତୁ୍ୟ ହୋଇଛି ତାହା ତଦନ୍ତ ପରେ ଜଣାପଡିବ ବୋଲି କହିଛନ୍ତି ।
ଏହା ପୂର୍ବରୁ, ମୟୁରଭଞ୍ଜ ଜିଲ୍ଲା ହଳଦୀପାଳ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଡାଙ୍ଗରବିଲା ଅଞ୍ଚଳର ଜଣେ ବ୍ୟକ୍ତି ହାତୀ ଆକ୍ରମଣରେ ମୃତ୍ୟୁବରଣ କରିଛନ୍ତି । ମୃତ ବ୍ୟକ୍ତିଜଣକ ହେଉଛନ୍ତି ୫୨ ବର୍ଷିୟ ହରିଆ ସୋରେନ୍ । ସକାଳ ପ୍ରାୟ ୬. ୩୦ ମିନିଟ୍ ସମୟରେ ହରିଆ ଶୌଚ ହେବା ପାଇଁ ଯାଇଥିଲେ । ସେତେବେଳେ ସେ ବାଟ ଦେଇ ପଶ୍ଚିମବଙ୍ଗରୁ ଚାଲି ଆସିଥିବା ହାତୀପଲ ଫେରୁଥିଲେ । ହାତୀ ପଲରୁ ଗୋଟାଏ ହାତୀ ବାହାରି ଆସି ତାଙ୍କୁ କଚାଡ଼ି ମାରି ପକାଇଲା ।
