
ନୂଆଦିଲ୍ଲୀ: ମୁଖ୍ୟ ବିଚାରପତି ରଂଜନ ଗୋଗାଇଙ୍କ ଉପରେ ଲାଗିଥିବା ଯୌନ ନିର୍ଯ୍ୟାତନା ଅଭିଯୋଗର ଆଜି ଶୁଣାଣି କରିଛନ୍ତି ସୁପ୍ରିମକୋର୍ଟ । ନ୍ୟାୟପାଳିକା ଉପରେ ଜାଣିଶୁଣି ଷଡଯନ୍ତ୍ର ପୂର୍ବକ ଆକ୍ଷେପ ଲଗାଯାଇଥିବା କହିଛନ୍ତି ସୁପ୍ରିମକୋର୍ଟ । ଏନେଇ ସୁପ୍ରିମକୋର୍ଟ ଅସନ୍ତୋଷ ପ୍ରକାଶ କରିବା ସହ ଦେଶର ଧନୀ ଏବଂ ଶକ୍ତିଶାଳୀ ବ୍ୟକ୍ତି ନିଆଁ ସହ ଖେଳୁଛନ୍ତି ବୋଲି ପ୍ରକାଶ କରିବା ସହ ଏହାକୁ ତୁରନ୍ତ ବନ୍ଦ କରାଯିବା ଉଚିତ ବୋଲି କହିଛନ୍ତି । ତେବେ ସୁପ୍ରିମ୍କୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍ ଅନଙ୍ଗ କୁମାର ପଟ୍ଟନାୟକ ଏହି ଷଡଯନ୍ତ୍ରର ତଦନ୍ତ କରିବେ ବୋଲି ସୁପ୍ରିମ୍କୋର୍ଟଙ୍କ ସ୍ୱତନ୍ତ୍ର ଖଣ୍ଡପୀଠ ଆଜି ଅପରାହ୍ନରେ ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି ।
ସୂଚନା ଯେ, ତଦନ୍ତ କାଳରେ ଦିଲ୍ଲୀ ପୁଲିସ୍ କମିସନର, ସିବିଆଇ ନିର୍ଦ୍ଦେଶକ ଓ ଗୁଇନ୍ଦା ବିଭାଗ ମୁଖ୍ୟ ତଦନ୍ତ କରୁଥିବା ଜଷ୍ଟିସ୍ ଅନଙ୍ଗ କୁମାର ପଟ୍ଟନାୟକଙ୍କୁ ସମସ୍ତ ପ୍ରକାରର ସାହାଯ୍ୟ ସହଯୋଗ କରିବାକୁ ମଧ୍ୟ ସୁପ୍ରିମ୍କୋର୍ଟଙ୍କ ଏହି ସ୍ୱତନ୍ତ୍ର ଖଣ୍ଡପୀଠ କହିଛନ୍ତି । ପ୍ରଧାନ ବିଚାରପତି ଜଷ୍ଟିସ୍ ଗୋଗେଇଙ୍କ ବିରୋଧରେ ଆସିଥିବା ଯୌନ ନିର୍ଯାତନା ପଛରେ ଏକ ଗଭୀର ଷଡ଼ଯନ୍ତ୍ର ରଚନା କରାଯାଇଥିବା ନେଇ ସୁପ୍ରିମ୍କୋର୍ଟର ଜନୈକ ବରିଷ୍ଠ ଆଇନଜୀବୀ ଗତକାଲି ସୁପ୍ରିମ୍କୋର୍ଟଙ୍କର ଏହି ସ୍ୱତନ୍ତ୍ର ଖଣ୍ଡପୀଠ ନିକଟରେ ଅଭିଯୋଗ କରି ତଥ୍ୟ ପ୍ରମାଣ ଦେବା ପରେ ସୁପ୍ରିମ୍କୋର୍ଟଙ୍କ ସ୍ୱତନ୍ତ୍ର ଖଣ୍ଡପୀଠ ଆଜି ଏହି ନିର୍ଦ୍ଦେଶ ଦେଇଛନ୍ତି । ଏଥିସହିତ ସ୍ୱତନ୍ତ୍ର ଖଣ୍ଡପୀଠ ସାବଧାନ କରାଇ କହିଛନ୍ତି, ଦେଶର ଧନୀ ଓ କ୍ଷମତାଶାଳୀମାନଙ୍କୁ ଏବେ ସତର୍କ କରାଇ ଦେବାକୁ ସମୟ ଆସି ଯାଇଛି ଯେ ସେମାନେ ନିଆଁ ସାଙ୍ଗରେ ଖେଳୁଛନ୍ତି । ତାହା ସେମାନେ କରନ୍ତୁ ନାହିଁ ।
ସୁପ୍ରିମକୋର୍ଟଙ୍କ ବିଚାରପତି ଅରୁଣ ମିଶ୍ର, ଆରଏଫ ନରିମନ, ଦୀପକ ଗୁପ୍ତାଙ୍କୁ ନେଇ ଗଠିତ ପୀଠ କହିଛନ୍ତି ଯେ, ଗତ କିଛି ବର୍ଷ ହେବ ସୁପ୍ରିମକୋର୍ଟ ସହ ଠିକ୍ ଆଚରଣ ପ୍ରଦର୍ଶନ କରାଯାଉ ନାହିଁ । ଯାହା ନିନ୍ଦନୀୟ । ଯଦି ଏପରି ହେବ ତେବେ କାମ କରିବା ସମ୍ଭବ ନୁହେଁ । ପ୍ରକାଶ ଥାଉ କି, ଗତ ବୁଧବାର ଦିନ ଅଧିବକ୍ତା ଉତ୍ସବ ସିଂ ଏକ ଯାଚିକା ଦାୟର କରିଥିଲେ । ଯେଉଁଥିରେ କୋର୍ଟର କିଛି ଅସାଧୁ କର୍ମଚାରୀ ପ୍ରଧାନ ବିଚାରପତି ରଂଜନ ଗୋଗାଇଙ୍କୁ ମିଛ ଯୌନ ନିର୍ଯ୍ୟାତନା ମାମଲାରେ ଫସାଇ ଦେଇଥିବା ଉଲ୍ଲେଖ ହୋଇଥିଲା । ଏହାସହ ସେ କିଛି ପ୍ରମାଣ ମଧ୍ୟ ଦାଖଲ କରିଥିଲେ ।
