ଅର୍ଗସ ବ୍ୟୁରୋ: ଢୋଲ ମୃଦଙ୍ଗ ଭଳି ପାରମ୍ପରିକ ବାଦ୍ୟଯନ୍ତ୍ରର ବ୍ୟବହାର ବେଶ ପୁରାତନ । ବାହାଘର ହେଉ କିମ୍ବା ବ୍ରତଘର ବିଭିନ୍ନ ମାଙ୍ଗଳିକ କାର୍ଯ୍ୟରେ ଏହାର ଆବଶ୍ୟକତା ପଡିଥାଏ । କିନ୍ତୁ ଏହି ବାଦ୍ୟଯନ୍ତ୍ରକୁ ତିଆରି କରି ପରିବାର ପୋଷୁଥିବା ଲୋକେ ଏବେ ଦୁର୍ଦ୍ଦିନରେ ଦିନ କାଟୁଛନ୍ତି । ବଲାଙ୍ଗୀର ଜିଲ୍ଲା ପୁଇଁନ୍ତଳା ବ୍ଲକ କୁଟେନପାଳି ଗାଁରୁ ଦେଖିବା ଏହି ରିପୋର୍ଟ।
କାହିଁ କେଉଁ କାଳରୁ ପୂଜା ପାର୍ବଣରେ ଲୋକବାଦ୍ୟର ବ୍ୟବହାର କରାଯାଉଛି । ହେଲେ ଏହି ଲୋକ ବାଦ୍ୟ ତିଆରି କରୁଥିବା କାରିଗର ମାନେ ଅନ୍ଧାରରେ ଦିନ କାଟୁଛନ୍ତି । ପରିବାର ପ୍ରତିପୋଷଣ ପାଇଁ କୌଳିକ ବୃତ୍ତିକୁ ଆପଣେଇ ଆର୍ଥିକ ଅନାଟନରେ ଜୀବନ କାଟୁଛନ୍ତି । ବଲାଙ୍ଗୀର ଜିଲ୍ଲା କୁଟେନପାଳି ଗାଁରେ ପ୍ରାୟ ପରିବାରଙ୍କ ହାତର ସ୍ପର୍ଶରେ ତିଆରି ହୁଏ ସୁନ୍ଦର ସୁନ୍ଦର ବାଦ୍ୟଯନ୍ତ୍ର । ଏ କଳା ଏମାନଙ୍କୁ ଏକ ସ୍ବତନ୍ତ୍ର ପରିଚୟ ଦେଇଛି ,ଖାଲି ବଲାଙ୍ଗୀର ନୁହେଁ ଏମାନଙ୍କ ଦ୍ବାରା ନିର୍ମିତ ମୃଦଙ୍ଗ,ଟମକ, ଢୋଲ, ନିଶାନ, ତାସାର ଚାହିଦା ସାରା ଓଡ଼ିଶାରେ ରହିଛି କିନ୍ତୁ ଏମାନଙ୍କ ଆର୍ଥିକ ସ୍ଥିତିରେ ଆଜିବି ସୁଧାର ଆସିନି। କଳା ଓ କୁଟୀର ଶିଳ୍ପକୁ ନେଇ ଓଡିଶା ସରକାରଙ୍କ ତରଫରୁ ଅନେକ ଯୋଜନା ରହିଛି କିନ୍ତୁ ଏହି ସବୁ ଯୋଜନା ଠାରୁ ବହୁ ଦୂରରେ ରହୁଛନ୍ତି ଲୋକ କାଳର ବିନ୍ଧାଣି ।
ପୀଢ଼ି ପରେ ପୀଢ଼ି ଏହି ବୃତ୍ତିକୁ ଆପଣେଇ ଆମ ସଂସ୍କୃତିକୁ ବଞ୍ଚାଇ ରଖିଛନ୍ତି । ହେଲେ କାମ ଅନୁସାରେ ପାରିଶ୍ରମିକ ମିଳୁନଥିବାରୁ ଅସନ୍ତୋଷ ବ୍ୟକ୍ତ କରିଛନ୍ତି କାରିଗର । ଏହି ବାଦ୍ୟଯନ୍ତ୍ର ବଜାଇ କଳାକାର ମାନେ କଳାକାର ଭତ୍ତା ପାଉଥିବା ବେଳେ କାରିଗର ମାନଙ୍କୁ କିଛି ପ୍ରୋତ୍ସାହନ ମିଳୁନଥିବାରୁ ଦୁଃଖ ପ୍ରକାଶ କରିଛନ୍ତି କାରିଗର ।
ଦିନକୁ ଦିନ ଲୋପ ପାଇବାରେ ବସିଛି ଲୋକକଳା । ତୁରନ୍ତ ରାଜ୍ୟ ସରକାର ଲୋକକଳାର କାରିଗର ମାନଙ୍କୁ ସହାୟତା ଯୋଗାଇଦେବାକୁ ଦାବି କରିଛନ୍ତି କାରିଗର।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର