ଅର୍ଗସ ବ୍ୟୁରୋ : ନୂଆନୂଆ ବିଜେଡିରେ ସାମିଲ ହୋଇଥିବା ଗଣେଶ୍ୱରଙ୍କ ପାଇଁ କେନ୍ଦ୍ରାପଡ଼ା ବିଜେଡି ଏବେ ୪ ଫାଳ । ଦିନକୁ ଦିନ ତେଜୁଛି ବିଜେଡିରେ ଗୋଷ୍ଠୀ କନ୍ଦଳ । କଂଗ୍ରେସରୁ ଗଣେଶ୍ୱର ବେହେରା ବିଜେଡିରେ ମିଶିବା ପରେ ମୂଳ ବିଜେଡି ନେତାଙ୍କ ଭିତରେ ପ୍ରବଳ ଅସନ୍ତୋଷ । ଜୋନ୍ ସ୍ତରୀୟ ବିଜେଡି କର୍ମୀ ମାନେ ଆଜି, ଗଣେଶ୍ୱରଙ୍କ ବିରୋଧରେ ନାରାବାଜୀ କରିବା ସହ ଖୋଲାଖୋଲି ବିରୋଧ ଜଣାଇଛନ୍ତି ।
ହାତରେ ପୋଷ୍ଟର୍, ପ୍ଲାକାର୍ଡ ଧରି ‘ଗୋ ବ୍ୟାକ୍ ଗଣେଶ୍ୱର’ ନାରା ଦେଇଛନ୍ତି । ବାହାରୁ ଆସିଥିବା ନେତାଙ୍କୁ ନୁହେଁ ମୂଳ ବିଜେଡିରୁ ପ୍ରାର୍ଥୀ ଦେବାକୁ ଦାବି ହୋଇଛି । କେନ୍ଦ୍ରାପଡ଼ା ସାଂସଦ ପ୍ରାର୍ଥୀଙ୍କ ନାଁ ଘୋଷଣା ହୋଇଥିଲେ ବି କେନ୍ଦ୍ରାପଡ଼ା ବିଧାନସଭାରେ ପ୍ରାର୍ଥୀ ଦେଇପାରିନି ବିଜେଡି । ଆଉ ଏହାରି ଭିତରେ ପ୍ରତିଦିନ ବିଜେଡିରେ ବଢ଼ୁଥିବା ଗୋଷ୍ଠୀ କନ୍ଦଳ ଏବେ ଦଳ ପାଇଁ ଅଧିକ ଟେନସନ୍ ବଢ଼ାଇଛି ।
ଗୋଟିଏ ପଟେ ପୂର୍ବତନ ବିଧାୟକ କିଶୋର ତରାଇ ଓ ଅନ୍ୟ ପଟେ ସିପ୍ରା ମଲ୍ଲିକଙ୍କ ସମେତ ଯୁବନେତା ମୁରଲୀ ସେଠି ଓ ଜିଲ୍ଲାପରିଷଦ ସଭାପତି ଗୀତା ସେଠି । ନିଜ ସମର୍ଥକ ମାନେ ବିଭିନ୍ନ ପଞ୍ଚାୟତରେ ଗଣେଶଙ୍କ ବିରୁଦ୍ଧରେ ନାରାବାଜୀ ଦେଇ ଆମଦାନୀ ନେତା ହଟାଓ ସ୍ଲୋଗାନ ଦେଉଛନ୍ତି ।
ଗତ ୫ତାରିଖ ଶନିବାର ସନ୍ଧ୍ୟାରେ ପୂର୍ବତନ ବିଧାୟକ କିଶୋର ତରାଇ ଓ ସିପ୍ରା ମଲ୍ଲିକଙ୍କ ସମେତ ବିଜେଡି କର୍ମୀ ମାନେ ଏକଜୁଟ ହୋଇଥିଲେ । ଗଣେଶ୍ୱରଙ୍କୁ ବିଜେଡିରେ ମିଶାଇ ଦେବେ ନାହିଁ ବୋଲି ପ୍ରତିବାଦ ସଭା ମଧ୍ୟ କରିଥିଲେ । ତେବେ ପରଦିନ ଗଣେଶ୍ୱର କେନ୍ଦ୍ରାପଡ଼ାରୁ ହଜାର ହଜାର ସମର୍ଥକ ମାନଙ୍କୁ ନେଇ ବିଜେଡିରେ ମିଶିଥିଲେ । ଏବେ ରକ୍ତମୁଖା ହୋଇପଡିଛନ୍ତି ବିଜେଡ଼ି ନେତା ଓ କର୍ମୀ ।
ଏହାକୁ ପ୍ରତିବାଦ କରି କେନ୍ଦ୍ରାପଡ଼ା ବ୍ଲକ ଓ ମୁନିସିପାଲିଟର ବିଭିନ୍ନ ୱାର୍ଡରେ ବିଜେଡି କର୍ମୀ ମାନେ ବିଜେଡି ବିରୁଦ୍ଧରେ ନାରାବାଜୀ ଦେବା ସହ ଗଣେଶ୍ୱରଙ୍କୁ ଟିକେଟ ନ ଦେବାକୁ ଦାବି କରିଛନ୍ତି । ତେବେ ଯଦି ସୁପ୍ରିମୋ ଟିକେଟ ଦିଅନ୍ତି ଭୟାନକ ପରିସ୍ଥିତି ସୃଷ୍ଟିହେବ ବୋଲି କହିଛନ୍ତି । ଦେଖିବାକୁ ରହିଲା କେନ୍ଦ୍ରପଡ଼ା ରାଜନୀତି ପାଣିପାଗ କୁଆଡେ ଯାଉଛି । କାହାକୁ ଟିକେଟ ଦେଉଛନ୍ତି ବିଜେଡ଼ି ସୁପ୍ରିମୋ ।