ଅବକାଶ ବେଶ
ପ୍ରତ୍ୟେହ ସକାଳ ସମୟରେ ଶ୍ରୀଜୀଉମାନଙ୍କ ମଙ୍ଗଳ ଆଳତି ଓ ମଇଲମ ନୀତି ଶେଷ ହେବା ପରେ ଅବକାଶ (ସ୍ନାନ) ନୀତି ହୋଇଥାଏ । ଶ୍ରୀମନ୍ଦିର ସ୍ୱତ୍ୱଲିପି ଅନୁଯାୟୀ ସାଧାରଣତଃ ଠାକୁରମାନଙ୍କ ଦନ୍ତମାର୍ଜନ ଓ ସ୍ନାନ ବିଧିକୁ ଅବକାଶ କୁହାଯାଏ । ପୂର୍ବ ରାତ୍ରର ବଡ଼ସିଂହାର ବେଶରେ ରତ୍ନ ସିଂହାସନସ୍ଥ ଦାରୁ ବିଗ୍ରହମାନଙ୍କ ପରିଧାନ କରିଥିବା ଗୀତ ଗୋବିନ୍ଦ ଖଣ୍ଡୁଆ ବସ୍ତ୍ର ଓ ପୁଷ୍ପ ଅଳଙ୍କାର ଇତ୍ୟାଦି ମଙ୍ଗଳ ଆଳତି ନୀତି ଶେଷ ହେବା ପରେ ମଇଲମ (ଓଲାଗି) ହୋଇଥାଏ ।
ପୁଷ୍ପାଳକ ସେବକ ଶ୍ରୀଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ତିନି ବିଗ୍ରହଙ୍କୁ ତିନିଗୋଟି ତଡ଼ପ ଓ ସୁଦର୍ଶନଙ୍କୁ ଏକ ଗୋଟି ତଡ଼ପ ବସ୍ତ୍ର ଏବଂ ଶ୍ରୀବଳଭଦ୍ର ଓ ଶ୍ରୀଜଗନ୍ନାଥଙ୍କୁ ଦୁଇଟି ଉତ୍ତରୀୟ ବସ୍ତ୍ର ଲାଗି କରନ୍ତି । ଏହି ତଡ଼ପ ଓ ଉତ୍ତରୀୟ ସୂତା ବସ୍ତ୍ରଗୁଡିକ ପାରମ୍ପାରିକ କୁଶଳୀ ବୁଣାକାରମାନଙ୍କ ଦ୍ୱାରା ଏକ ନିର୍ଦ୍ଧିଷ୍ଟ ମାପରେ ନିର୍ମିତ ହୋଇଥାଏ ।