ବର୍ଷକୁ ଥରେ ଆମ ତମ ଭଳି ମଣିଷଙ୍କ ପରି ପ୍ରେତାତ୍ମାମାନେ ମଧ୍ୟ ଚାହିଁ ବସିଥାନ୍ତି ରଥଯାତ୍ରାକୁ । ଅତୃପ୍ତ ଆତ୍ମା ତୃପ୍ତ ହୋଇଯାଆନ୍ତି । ଅଶରିରୀମାନେ ମୁକ୍ତି ପାଆନ୍ତି । ଅଧରପଣାକୁ ନେଇ ଏମିତି ଅନେକ ଲୋକକଥା ଆପଣ ଶୁଣିଥିବେ । ଆଜି ଜଣା ଅଜଣା ବିଷୟରେ ଆସନ୍ତୁ ଜାଣିବା କଣ ଏହି ଲୋକ କଥା ସତ ? ଅଧର ପଣା ପଛରେ କ’ଣ ରହିଛି ରହସ୍ୟ ?
କାଳିଆକୁ ଟିକେ ପାଖରୁ ପାଇବାକୁ , ତାକୁ ଟିକେ ଛୁଇଁ ଦେବାକୁ, ତା ଚକା ଡୋଳାକୁ ଟିକେ ମନ ପୂରେଇ ଦେଖିବାକୁ ଆମେ ଯେମିତି ରଥଯାତ୍ରାକୁ ଅପେକ୍ଷା କରିଥାଉ...ଠିକ୍ ସେମିତି ପ୍ରେତାତ୍ମା ବା ଅତୃପ୍ତ ଶରୀର ଗୁଡିକ ମଧ୍ୟ ଅପେକ୍ଷା କରିଥାନ୍ତି । ଖାସ୍ ସେହିମାନଙ୍କ ପାଇଁ ରଥ ଉପରେ ଅନୁଷ୍ଠିତ ହୁଏ ଅଧରପଣା ନୀତି ।
ଅଧର ଅର୍ଥାତ ମହାପ୍ରଭୁଙ୍କ ରଙ୍ଗା ଅଧର ବା ଓଠ। ଏହାକୁ ଚୁଆଇଁ ଯେଉଁ ପଣା ଲାଗି ହୁଏ ତାହାକୁ କୁହନ୍ତି ଅଧରପଣା। ଚଣ୍ଡି, ଚାମଣ୍ଡା, ପ୍ରେତମାନଙ୍କ ଉଦ୍ଦେଶ୍ୟରେ ଏହି ପଣା ହାଣ୍ଡି ଭାଙ୍ଗି ଦିଆଯାଏ ରଥ ଉପରେ। ଏଥିପାଇଁ ରଥ ସିଂହାସନରେ ବିରାଜିତ ଶ୍ରୀବିଗ୍ରହଙ୍କ ଅଧର ଉଚ୍ଚର ହାଣ୍ଡି ପ୍ରସ୍ତୁତ ହୋଇଥାଏ । ବିଧି ମୁତାବକ ତିନି ରଥରେ ମୋଟ ୯ଟି ମାଟି ପାତ୍ରରେ ପଣା ହାଣ୍ଡିରେ ହୋଇଥାଏ । ସିଂହଦ୍ୱାର ସମ୍ମୁଖ ଛାଉଣୀ ମଠ କୂଅରୁ ପାଣି ଆସିବା ପରେ ପ୍ରସ୍ତୁତ ହୁଏ ପଣା । ବଡବଡିଆ ମଠ ଓ ରାଘବ ଦାସ ମଠ ପକ୍ଷରୁ କ୍ଷୀର, ସର, କଦଳୀ, ଛେନା, ଗୋଲମରିଚ, କର୍ପୁର, ଜାଇଫଳ,ନବାତ ଆଦି ମିଶ୍ରଣରେ ଏହି ପଣା ପ୍ରସ୍ତୁତ ହୋଇଥାଏ । ଏହି ପଣା ଶ୍ରୀଜିଉଙ୍କଠାରେ ଭୋଗ ଲାଗି ହେବା ପରେ ରଥ ଉପରେ ହାଣ୍ଡିକୁ ଭଙ୍ଗାଯାଇଥାଏ । ଆଉ ତାଟକ ପରି ଚାହିଁ ବସିଥିବା ପ୍ରେତାତ୍ମାମାନେ ପଣା ଟିକକ ପାଇଁ ଧାଇଁ ଆସନ୍ତି । ଯେଉଁମାନଙ୍କ ଉଦ୍ଦେଶ୍ୟରେ ଶ୍ରାଦ୍ଧ ଦିଆଯାଏନି ସେହି ମାନଙ୍କ ଆତ୍ମାର ମୁକ୍ତି ପାଇଁ ଜଗନ୍ନାଥ ସଂସ୍କୃତିରେ ଏହି ନୀତି ଅନୁଷ୍ଠିତ ହୋଇଥାଏ ।
ଜାଣିଛନ୍ତି, ବାସ୍ତବରେ ପୂର୍ବରୁ ଏହି ୧୨ ହାଣ୍ଡି ପଣା ବାହୁଡାଠାରୁ ନିଳାଦ୍ରୀ ବିଜେ ମଧ୍ୟରେ ଲାଗି ହେଉଥିଲା। ହେଲେ ରଥ ଠିକ୍ ସମୟରେ ସିଂହଦ୍ବାରରେ ପହଞ୍ଚି ନ ପାରିବାରୁ ଏହାକୁ ପରବର୍ତ୍ତି ସମୟରେ ଦ୍ବାଦଶୀ ତିଥିରେ ନିର୍ଦ୍ଧାରିତ ହୋଇଛି।
ତଥ୍ୟ/ପ୍ରସ୍ତୁତି : ମିହିର ପଟ୍ଟନାୟକ