ସେପଟେ କୁଦଭଟା ଅଞ୍ଚଳର ଚାଷୀଙ୍କ ଅବସ୍ଥା ମଧ୍ୟ ସମାନ। ଏଠିମଧ୍ୟ ଜମିରେ ଜଳସେଚନର ବ୍ୟବସ୍ଥା ନଥିବାରୁ ଚାଷୀଙ୍କ ଜମି ମରୁଡି ପଡିଛି । ଧାର କରଜ କରିବା ସାଙ୍ଗକୁ ବ୍ୟାଙ୍କରୁ ଋଣ ଆଣି ଚାଷୀ ଚାଷକାର୍ଯ୍ୟ କରିଥିବା ବେଳେ , ଏବେ ଅମଳ ପୂର୍ବରୁ ପାଣି ଅଭାବ ଯୋଗୁଁ ଚାଷଜମି ଫାଟି ଆଁ କରିଛି । ଆଉ ପାଣି ଅଭାବ ଯୋଗୁଁ ଫସଲ ଗୁଡିକ ବର୍ଷବର୍ଷ ଧରି ମରୁଡି ପଡୁଛି । ଯାହାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ଅଞ୍ଚଳର ଚାଷୀ । ସବୁଠାରୁ ବଡକଥା ହେଲା , ଦିର୍ଘ ପଚିଷ ବର୍ଷଧରି ଅଞ୍ଚଳରେ ଏକ ଚେକଡ୍ୟାମ ନିର୍ମାଣ ପାଇଁ ପୂର୍ବ ବିଜେଡି ସରକାରଙ୍କ ନେତାମନ୍ତ୍ରୀଙ୍କ ପାଖରେ ଦାବି କରି ଆଶୁଥିଲେ ଅଞ୍ଚଳବାସୀ। ଦାବି ମୁତାବକ ନିର୍ବାଚନ ସମୟରେ ଅଞ୍ଚଳରେ ଚେକଡ୍ୟାମ୍ ନିର୍ମାଣ ନିମନ୍ତେ ଟେଣ୍ଡର ହୋଇଥିବା କହି ନେତାମନ୍ତ୍ରୀ ଓ ପ୍ରଶାସନ ଯାଇ ଲୋକଙ୍କୁ ପ୍ରତିସୂତି ମଧ୍ୟ ଦେଇଥିଲେ । ହେଲେ ରାଜନୈତିକ ଛକାପଞ୍ଜା ଓ ପ୍ରଶାସନର ଅବହେଳା ଯୋଗୁଁ ଚେକଡ୍ୟାମ ନିର୍ମାଣ ନିମନ୍ତେ ହୋଇଥିବା ଟେଣ୍ଡରର କୌଣସି ଆତାପାତା ନାହିଁ । ଯାହାଫଳରେ ଚେକଡ୍ୟାମ ନିର୍ମାଣ ନହେବାରୁ ଏବେ ଦୁର୍ଦଶା ଭୋଗୁଥିବା କହିଛନ୍ତି ଅଞ୍ଚଳର ଚାଷୀ ।
ତିନି ବର୍ଷ ହେବ ପାଣି ଅଭାବରୁ ଜିଲ୍ଲାରେ ମରୁଡି ପରିସ୍ଥିତି ଦେଖା ଦେଉଛି। ବର୍ଷସାରା କଷ୍ଟକରି ଧାରକରଜ କରି ପରିବାର ପାଇଁ ଦୁଇମୁଠା ଫସଲ ଉପାର୍ଜିତ କରିବା ଆଶାରେ ରହିଥିବା ଚାଷୀ ଲଗାତାର ତିନିବର୍ଷ ଧରି ଏପରି ମରୁଡି ପରିସ୍ଥିତିକୁ ସାମ୍ନାକରି ଆର୍ଥିକ ମେରୁଦଣ୍ଡ ଭାଙ୍ଗିଯାଇଥିବା ବେଳେ,ଏବେ ପରିବାର ପ୍ରତିପୋଷଣ ଓ ଋଣଚିନ୍ତାରେ ଦାଦନ ଯିବାପାଇଁ ମନସ୍ତ କଲେଣି ଚାଷୀ । ସେପଟେ ଚାଷ ନ ହୋଇ ଜମି ଗୁଡିକ ଏବେ ଗୋରୁଗାଇଙ୍କ ଆଶ୍ରୟସ୍ଥଳି ପାଲଟିଛି । ତେବେ ବଡପ୍ରଶ୍ନ ବର୍ଷ ବର୍ଷ ଧରି ଚାଷ ଜମିରେ ଜଳସେଚନର ଅଭାବ ଲାଗି ରହିଥିବା ସତ୍ତ୍ବେ , କାହିଁକି ଚାଷୀଙ୍କ ସମସ୍ୟାକୁ ଗୁରୁତ୍ତ୍ବ ଦେଉନି ପ୍ରଶାସନ। କେବେ ହେବ ଜଳସେଚନର ସୁବିଧା ?