ଅର୍ଗସ ବ୍ୟୁରୋ: ପ୍ରଥମ ଥର ପାଇଁ ଓଡ଼ିଶା ପର୍ବରେ ପ୍ରଧାନମନ୍ତ୍ରୀ । ନୂଆଦିଲ୍ଲୀରେ ଆୟୋଜିତ ଓଡ଼ିଶା ପର୍ବରେ ସାମିଲ ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀଙ୍କୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ଓଡ଼ିଶା ପର୍ବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜୟ ଜଗନ୍ନାଥରୁ ନିଜ ଅଭିଭାଷଣ ଆରମ୍ଭ କରିଥିଲେ । ଓଡ଼ିଶା ପର୍ବ ପାଇଁ ସମସ୍ତଙ୍କୁ ଜଣାଇଥିଲେ ଅଭିନନ୍ଦନ । ମୋଦି କହିଛନ୍ତି, ଓଡ଼ିଶା ହେଉଛି ବିଦ୍ବାନମାନଙ୍କର ମାଟି । ଓଡ଼ିଆ ଭାଷା ମହାପ୍ରଭୁ ଜଗନ୍ନାଥଙ୍କ ସହ ଜଡ଼ିତ । ଏହାସହ ମହାପ୍ରଭୁ ଜଗନ୍ନାଥଙ୍କ ଗାଥା ବଖାଣିଲେ ମୋଦି । ଓଡ଼ିଶା ଆରମ୍ଭରୁ ସନ୍ଥ ଓ ବିଦ୍ବାନଙ୍କ ଧରିତ୍ରୀ । ଭୀମ ଭୋଇ କହିଥିଲେ ମୋ ଜୀବନ ପଛେ ନର୍କେ ପଡ଼ିଥାଉ, ଜଗତ ଉଦ୍ଧାର ହେଉ । ଏହା ହିଁ ଓଡ଼ିଶାର ସଂସ୍କୃତି ବୋଲି କହିଲେ ପ୍ରଧାନମନ୍ତ୍ରୀ । ସ୍ବାଧୀନତା ଆନ୍ଦୋଳନରେ ଓଡ଼ିଆ ବୀରଙ୍କ ଅବଦାନ ଅନେକ । ପାଇକ ବିଦ୍ରୋହ ଏହାର ଏକ ଉଦାହରଣ । ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁ ଦେଶର ରାଷ୍ଟ୍ରପତି, ଏହା ଗର୍ବର ବିଷୟ ବୋଲି କହିଲେ ପିଏମ୍ । ମହିଳାଙ୍କ ବିକାଶ ହେଲେ ଓଡ଼ିଶା ଆଗକୁ ବଢିବ । ସେଥିପାଇଁ ସୁଭଦ୍ରା ଯୋଜନାର ଶୁଭାରମ୍ଭ ହୋଇଛି ବୋଲି କହିଲେ ମୋଦି । ସେହିପରି ଓଡ଼ିଶା ପର୍ବରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମ୍ବୋଧନ ରଖି କହିଛନ୍ତି, ମହାପ୍ରଭୁଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ରହିଛି ଭାବପୂର୍ଣ୍ଣ ସମ୍ପର୍କ । ଓଡ଼ିଶା ସହିତ ରହିଛି ପ୍ରଧାନମନ୍ତ୍ରୀଙ୍କ ନିବିଡ଼ ସମ୍ପର୍କ । ଓଡ଼ିଆ ଅସ୍ମିତାର ରକ୍ଷକ ସାଜି ଓଡ଼ିଶାବାସୀଙ୍କୁ ଆହ୍ବାନ ଦେଇଥିଲେ ପ୍ରଧାନମନ୍ତ୍ରୀ । କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ବି ଯୋଗ ଦେଇଥିଲେ । କାର୍ଯ୍ୟକ୍ରମ ଆରମ୍ଭରେ ରଙ୍ଗବତୀ ଗୀତରେ ଝୁମିଥିଲେ ସମସ୍ତେ ।