ବିଶ୍ଵର ସବୁଠାରୁ ପ୍ରତିଭାଶାଳୀ ଛାତ୍ରୀ ହେଲେ ଭାରତୀୟ ଛାତ୍ରୀ
ମତିଭ୍ରମ କାରଣରୁ ସବୁ ଭୁଲିଯାଉଛନ୍ତି ନବୀନ: ଧର୍ମେନ୍ଦ୍ର
ଜଗତସିଂହପୁର: ୧୯୯୯ର ମହାବାତ୍ୟାରେ କେନ୍ଦ୍ରୀୟ ଅବହେଳା କହି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ରର ବିଜେପି ଓ ମୋଦି ସରକାରଙ୍କୁ ଟାର୍ଗେଟ୍ କରିଥିଲେ । ତେବେ ଏହାର କଡା ଜବାବ୍ ଦେଇ ଓଲଟା ଟାର୍ଗେଟ୍ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଜଗତସିଂହପୁର ଜିଲ୍ଲା ବାଲିକୁଦା-ଏରସମା ନିର୍ବାଚନ ମଣ୍ଡଳିର ଏରସମା ଓ ବୋରିକିନା ଠାରେ ଆୟୋଜିତ ବିଜେପି ବିଜୟ ସଂକଳ୍ପ ସଭାରେ ଯୋଗଦେଇ ଧର୍ମେନ୍ଦ୍ର ନବୀନଙ୍କୁ କରିଛନ୍ତି ଟାର୍ଗେଟ୍ ।
କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ଏ ଅଂଚଳକୁ ମୁଖ୍ୟମନ୍ତ୍ରୀ ଆସି ୧୯୯୯ ମହାବାତ୍ୟାରେ କେନ୍ଦ୍ରୀୟ ଅବହେଳା ପ୍ରସଙ୍ଗ ଉଠାଇଛନ୍ତି । ୧୯୯୯ ମସିହାରେ ଦେଶରେ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀ ପ୍ରଧାନମନ୍ତ୍ରୀ ଦାୟିତ୍ୱରେ ଥିଲେ । ବାତ୍ୟାରେ ଓଡିଶା ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଓଡିଶାର ପୁନଃନିର୍ମାଣ ପାଇଁ ଟଙ୍କାର ଅଭାବ ରହିବ ନାହିଁ ବୋଲି ବାଜପେୟୀ କହିଥିଲେ । ସେ ସମୟରେ ଓଡିଶାକୁ ଇନ୍ଦିରା ଆବାସରେ ୭ ଲକ୍ଷ ଘର, ୧୨୦୦ କୋଟି ଟଙ୍କାର ଦାୟିତ୍ୱ ଓଡିଶା ପୁନରୁଦ୍ଧାର କରିବା ପାଇଁ ବାଜପେୟୀ ନେଇଥିଲେ । ଏଥିରେ ମୁଖ୍ୟମନ୍ତ୍ରୀ କେନ୍ଦ୍ରୀୟ ଅବହେଳା କଥା କହୁଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ମତିଭ୍ରମ କାରଣରୁ ଏସବୁ ସେ ଭୂଲି ଯାଉଥିବା ସେ କହିଛନ୍ତି ।
ସେ ପୁଣି କହିଛନ୍ତି ଯେ ୧୯ ବର୍ଷର ଶାସନରେ ବୋରିକିନାର ଦୂର୍ଗା ପଡିଆ ଯେ ଡାକ୍ତର ରଖିପାରେ ନାହିଁ ସେ କଣ ଓଡ଼ିଶା କଥା ଚିନ୍ତା କରିବ ? ସେହିପରି ଓଡିଶା ଅନ୍ୟ ରାଜ୍ୟ ମାନଙ୍କର ଦାୟିତ୍ୱ ନେବା କଥା ମୁଖ୍ୟମନ୍ତ୍ରୀ କହୁଛନ୍ତି । ଯେଉଁ ସରକାର ୧୯ ବର୍ଷରେ ପ୍ରଜା ମାନଙ୍କୁ ଆଳୁ ରୋଜଗାର ଦେଇପାରେ ନାହିଁ, ପଶ୍ଚିମବଙ୍ଗ ଉପରେ ନିର୍ଭର କରିବାକୁ ପଡେ ସେ ରାଜ୍ୟକୁ ସ୍ୱୟଂ ସମ୍ପନ୍ନ କରିବା କଥା କହୁଛି ବୋଲି କଟାକ୍ଷ କରିଛନ୍ତି ଧର୍ମେନ୍ଦ୍ର ।
ଧର୍ମେନ୍ଦ୍ର କହିଛନ୍ତି, ରାଜ୍ୟରେ ବ୍ୟଭିଚାର, ଦୁର୍ନୀତି, ଗୁଣ୍ଡାରାଜ ବଢିଥିବା ବେଳେ ଏଠାକାର ଯୁବକ ବାହାରକୁ ଦାଦନ ଖଟିବାକୁ ଯାଉଛି । ଏ ଅଂଚଳର ଯୁବକ ବାହାରେ କାମ କରି ଅନ୍ୟମାନଙ୍କୁ ରୋଜଗାର ଦେଇପାରୁଥିବା ବେଳେ ୧୯ ବର୍ଷରେ ଏଠାରେ ରୋଜଗାର ସୁବିଧା ଉପଲବ୍ଧ ହୋଇପାରିନାହିଁ ।
ସେ ଆହୁରି ମଧ୍ୟ କହିଛନ୍ତି, ପାରାଦୀପ, ଜଗତସିଂହପୁର ଏରସିମା, ବାଲିକୁଦା ପୂର୍ବ ଭାରତର ବିକାଶର କେନ୍ଦ୍ରସ୍ଥଳ ହେବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି । ଡ. ଦାମଦୋର ରାଉତ କୃଷି ମନ୍ତ୍ରୀ ଦାୟିତ୍ୱରେ ଥିବା ବେଳେ ମୟୂରଭଞ୍ଜ ଜିଲ୍ଲାରେ ଚାରା ଘୋଟାଲାରେ ତଦନ୍ତ ନିର୍ଦ୍ଦେଶ ଦେଇ ତୃତୀୟ ମହଲା ସଂରକ୍ଷକ ଦେଉଥିବା ଜିଲ୍ଲାର ଜଣେ ଅଧିକାରୀଙ୍କୁ ନିଲମ୍ବିତ କରିଥିଲେ । ମାତ୍ର ଦାମ ବାବୁ ଏହି ପଦକ୍ଷେପ ନେବା ପରେ ପରେ ସେ ମନ୍ତ୍ରୀ ପଦରୁ ବହିଷ୍କାର ହେଲେ । ଓଡ଼ିଶାରେ ନରେନ୍ଦ୍ର ମୋଦିଙ୍କ ଡବଲ ଇଞ୍ଜିନ ସରକାର ହେଲେ ଏପରି ଦୁର୍ନୀତିଗ୍ରସ୍ତ ଲୋକଙ୍କୁ ଜେଲ୍ ପଠାଯିବ ବୋଲି ଧର୍ମେନ୍ଦ୍ର କହିଛନ୍ତି ।
ଗୋପାଳପୁରରରୁ ଦୀଘା ପର୍ଯ୍ୟନ୍ତ ୧୦ ହଜାର କୋଟି ଟଙ୍କା ବ୍ୟୟରେ ୪୦୦ କିମିର କୋଷ୍ଟାଲ ହାଇୱେକୁ ରାଜ୍ୟ ସରକାର ବିରୋଧ କରୁଛନ୍ତି । ମୋଦିଙ୍କ ଉପରେ ଇର୍ଷାନ୍ୱିତ ହୋଇ ରାଜ୍ୟ ସରକାର ଏହି କାମରେ ଅସହଯୋଗ କରୁଥିବା ଧର୍ମେନ୍ଦ୍ର ଅଭିଯୋଗ କରିଛନ୍ତି ।
ଧର୍ମେନ୍ଦ୍ର କହିଛନ୍ତି, ମହାପ୍ରଭୁ ରତ୍ନଭଣ୍ଡାର ଚାବି କହୁଥିବା ବେଳେ ମୁଖ୍ୟମନ୍ତ୍ରୀ ଦିଲ୍ଲୀ ଶାସନର ଚାବିକାଠି ରଖିବେ ବୋଲି କହୁଛନ୍ତି । ଦେଶରେ ଅସ୍ଥିର ସରକାର କରିବା କଥା ସେ କହୁଛନ୍ତି । ସେ କହଛନ୍ତି ଯେ ଦଳେ କଳାପାହାଡ ଓଡିଶାକୁ ଘେରିବା ପାଇଁ ଚାହୁଛନ୍ତି । ତାର ଜବାବ ସାଢେ ୪ କୋଟି ଓଡିଆ ଲୋକ ଦେବେ ।
ଏଥର ନିର୍ବାଚନ ସାଂସଦ ଓ ବିଧାୟକ ପାଇ ନୁହେଁ, ଏଥର ନିର୍ବାଚନ ସାଢେ ୪ କୋଟି ଓଡିଆଙ୍କ ଲଢେଇ, ଓଡିଆ ସ୍ୱାଭିମାନର ଲଢେଇ ବୋଲି କହି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଜନତାଙ୍କୁ ଆହ୍ୱାନ କରିଛନ୍ତି ।



Download Argus News App
