ସମ୍ବଲପୁର ବିଜେପି କାର୍ଯ୍ୟଳାୟରେ କର୍ମୀଙ୍କ ଗହଣରେ ହୋଲି ପାଳିଥିଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଚାନ୍ଦବାଲିରେ ଲୋକଙ୍କ ସହ ରାଜ୍ୟସଭାପତି ହୋଲି ପାଳିଥିବା ବେଳେ ପୁରୀ ଲୋକସଭା ପ୍ରାର୍ଥୀ ସମ୍ବିତ ପାତ୍ର ପୁରୀରେ ହୋଲି ମନାଇଥିଲେ । ରାଇରଙ୍ଗପୁରରେ ମୟୁରଭଞ୍ଜ ଲୋକସଭା ପ୍ରାର୍ଥୀ ନବଚରଣ ମାଝୀ କର୍ମୀଙ୍କ ଗହଣରେ ହୋଲି ପାଳିଥିବା ଧାମନଗରରେ ବିଧାୟକ ସୂର୍ଯ୍ୟବଂଶୀ ସୁରଜ ମନାଇଥିଲେ ରଙ୍ଗର ପର୍ବ ।
ଏପଟେ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ସଂଗଠନ ସଂପାଦକ ମାନସ ମହାନ୍ତିଙ୍କ ସହ ସାଧାରଣ ସଂପାଦକ ଯତୀନ ମହାନ୍ତି, ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ, ବିଜେପି ନେତା ଜଗନ୍ନାଥ ପ୍ରଧାନ ପ୍ରମୁଖ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ହୋଲି ମନାଇଥିଲେ । ହୋଲିରେ ଓଡ଼ିଶା ବାସୀଙ୍କୁ ଶୁଭେଚ୍ଛା ଜଣାଇବା ସହ ଆଗାମୀ ଦିନରେ ଗେରୁଆ ଲହର ଆସିବ ବୋଲି କହିଛନ୍ତି ବିଜେପି ନେତା ।
ସେହିଭଳି ଶଙ୍ଖ ଭବନରେ ବି ହୋଲିର ଧୁମ । ଭୁବନେଶ୍ୱର ମେୟର ସୁଲୋଚନା ଦାସ, ଭୁବନେଶ୍ୱର ଊତ୍ତର ବିଧାୟକ ସୁଶାନ୍ତ ରାଉତ, ଧର୍ମଶାଳା ବିଧାୟକ ପ୍ରଣବ ବଳ ବନ୍ତରାୟ ଓ ବାଙ୍କି ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ ଙ୍କ ଉପସ୍ଥିତିରେ ବିଜେଡ଼ି କର୍ମୀ ଧୁମ୍ ଧାମରେ ପାଳନ କରିଛନ୍ତି ରଙ୍ଗର ପର୍ବକୁ । ଛାତ୍ର, ଯୁବ ଓ ମହିଳା କର୍ମୀ ଏକାଠି ହୋଇ ନବୀନ ଙ୍କୁ ବିପୁଳ ଭୋଟରେ ଜିତାଇବାକୁ ନେଇଛନ୍ତି ଶପଥ । ମନ୍ତ୍ରୀ ଅଶୋକ ପଣ୍ଡା ଏବଂ ବରିଷ୍ଠ ନେତା ସଞ୍ଜୟ ଦାସବର୍ମା ନିଜ ବାସଭବନ ରେ ହୋଲି ଉତ୍ସବ ଆୟୋଜନ କରି ସମର୍ଥକଙ୍କୁ ଏକଜୁଟ କରିଛନ୍ତି । କଟକରେ ମେୟର ସୁବାସ ସିଂ ପାଳିଥିଲେ ହୋଲି ।
ଅଧିକ ପଢନ୍ତୁ ଓଡ଼ିଶା ଖବର
କଂଗ୍ରେସ ଭବନରେ ବି ଉତ୍ସବର ମାହୋଲ ଦେଖିବାକୁ ମିଳିଥିଲା । ବିଧାୟକ ସୁରେଶ ରାଉତରାୟଙ୍କ ଉପସ୍ଥିତିରେ ବାଜା ବଜାଇ ମିଠା ଖୁଆଇ ନିର୍ବାଚନ ପାଇଁ ପ୍ରସ୍ତୁତିକୁ ଜୋରଦାର କରିଛନ୍ତି । ଜୟପୁରରେ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି କର୍ମୀଙ୍କ ଗହଣରେ ପାଳିଥିଲେ ହୋଲି । ନିର୍ବାଚନକୁ କମ୍ ସମୟ । ତାରି ଭିତରେ ରାଜନୈତିକ ବୟାନ ବାଜି ଜୋର୍ ଧରିଛି । ତା ପୁଣି ହୋଲି ମାଧ୍ୟମରେ । ତେବେ ଭୋଟର୍ କାହା ଉପରେ ସୁନା କଳସ ଢାଳୁଛନ୍ତି ତା ଉପରେ ନଜର ।