ରାଷ୍ଟ୍ରପତି ଡିସେମ୍ବର ୩ ତାରିଖରେ ରାଷ୍ଟ୍ରପତି ଭବନରୁ ବାହାରି ଭୁବନେଶ୍ୱର ସ୍ଥିତ ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପହଞ୍ଚିବେ । ୩ ଦିନ ଧରି ଭୁବନେଶ୍ଵର ଓ ପୁରୀ ଠାରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ । ୬ ତାରିଖ ପୂର୍ବାହ୍ନ ୧୧ଟାରେ ମୟୂରଭଞ୍ଜ ବାଦାମପାହାଡ଼ସ୍ଥିତ ରଙ୍ଗାମାଟିଆ ଅସ୍ଥାୟୀ ହେଲିପ୍ୟାଡ୍ରେ ଅବତରଣ କରିବା ପରେ ଜନ୍ମମାଟି ଉପରବେଡ଼ା ଯିବେ । ସେଠାରେ ରାଷ୍ଟ୍ରପତି ପାଠ ପଢୁଥିବା ଉପରବେଡ଼ା ସରକାରୀ ପ୍ରାଥମିକ ବିଦ୍ୟାଳୟକୁ ଯାଇ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହ ଭାବ ବିନିମୟ କରିବେ ।
ସେଠାରୁ ବାହାରି ନିଜ ବାପଘରକୁ ଯାଇ ପରିବାର ଓ ଗ୍ରାମବାସୀଙ୍କ ସହ ଆଲୋଚନା କରିବେ । ଅପରାହ୍ନ ୩ଟାରେ ବାହାରି ସଡ଼କ ପଥରେ ରାଇରଙ୍ଗପୁର ସ୍ଥିତ ବାସଭବନରେ ପହଞ୍ଚିବେ । ପରେ ଉପଖଣ୍ଡ ଚିକିତ୍ସାଳୟରେ ନିଜ ସ୍ବାମୀ ଓ ଦୁଇ ପୁତ୍ରଙ୍କ ସ୍ମୃତି ରେ ନିର୍ମାଣ ହୋଇଥିବା ଏସ୍ଏଲ୍ଏସ୍ ଟ୍ରଷ୍ଟ ପକ୍ଷରୁ ଏକ ଯାନକୁ ସାମୁହିକ ସେବାରେ ଲୋକାର୍ପଣ କରିବେ । ଏହାପରେ ରାଇରଙ୍ଗପୁର ସ୍ଥିତ ମହିଳା ମହାବିଦ୍ୟାଳୟରେ ଛାତ୍ରୀ ଓ ଶିକ୍ଷକଙ୍କ ସହ ଆଲୋଚନା କରିବେ । ସେଠାରୁ ବାହାରି ପୂର୍ଣ୍ଣେଶ୍ବର ମହାଦେବ ମନ୍ଦିରରେ ଦେବ ଦର୍ଶନ କରିବା ସହ ନୂତନ ଭାବେ ସ୍ଥାପିତ ଗଣେଶଙ୍କୁ ଆଳତି କରିବେ । ପରେ ରାଇରଙ୍ଗପୁର ସ୍ଥିତ ବାସଭବନରେ ରାତ୍ରଯାପନ କରିବେ ।
ତା’ ପରଦିନ ରାଇରଙ୍ଗପୁର ଠାରେ ଥିବା ଦାଣ୍ଡବୋଷ ଏୟାରଷ୍ଟ୍ରିପର ଉନ୍ନତିକରଣ , ୧୦୦ବେଡେଡ୍ ଏସ୍.ଡି.ଏଚ୍ ରାଇରଙ୍ଗପୁର ହସପିଟାଲ ବିଲ୍ଡିଂ , ଟ୍ରାଇବାଲ ରିସୋର୍ସ ସେଣ୍ଟର ସହ ଗୋରୁମହିଷାଣୀ ଠାରେ (ବାଙ୍ଗରିପୋଷୀ -ଗୋରୁମହିଷାଣୀ, ବୁଢାମରା-ଚାକୁଳିଆ ଓ ବାଦାମପାହାଡ-କେନ୍ଦୁଝର ) ତିନୋଟି ରେଳ ପ୍ରକଳ୍ପର ଭିତ୍ତିପ୍ରସ୍ତ ରଖିବେ ରାଷ୍ଟ୍ରପତି ମୁର୍ମୁ । ଏହାପରେ ରାଷ୍ଟ୍ରପତିଙ୍କ ଦିଲ୍ଲୀ ଫେରିଯିବାର କାର୍ଯ୍ୟକ୍ରମ ରହିଛି ।