ଶିକ୍ଷା ମନ୍ତ୍ରଣାଳୟ ଅଧୀନରେ ଥିବା ସ୍କୁଲ ଶିକ୍ଷା ଓ ଉଚ୍ଚଶିକ୍ଷାର ଅଗ୍ରଗତି ସମ୍ପର୍କରେ ଶ୍ରୀ ପ୍ରଧାନ ଆଲୋକପାତ କରି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଗତ ୧୦ ବର୍ଷ ମଧ୍ୟରେ ସ୍କୁଲ ଭିତ୍ତିଭୂମି ମଜଭୁତ୍ ହେବା ସହ ସ୍କୁଲରେ ଛାତ୍ରଛାତ୍ରୀଙ୍କ ସୁବିଧାରେ ବ୍ୟାପକ ବୃଦ୍ଧି ପାଇଛି । ବିଦ୍ୟାଳୟ ଭିତ୍ତିଭୂମି ଏବଂ ଡିଜିଟାଲ ଅନ୍ତର୍ଭୁକ୍ତୀକରଣରେ ଉନ୍ନତି ଠାରୁ ଆରମ୍ଭ କରି ନାରୀଶକ୍ତିର ସଶକ୍ତୀକରଣ ଏବଂ ଭାରତୀୟ ଭାଷାକୁ ପ୍ରୋତ୍ସାହିତ କରିବା ପର୍ଯ୍ୟନ୍ତ ପ୍ରତ୍ୟେକ ପଦକ୍ଷେପ ଗୁଣାତ୍ମକ, ସର୍ବବ୍ୟାପୀ ଏବଂ ସାମଗ୍ରିକ ବିକାଶ ପ୍ରତି ପ୍ରତିବଦ୍ଧତା ଦ୍ୱାରା ପରିଚାଳିତ ହୋଇଛି ।
ଏହାର ବିସ୍ତୁତ ସୂଚନା ଦେଇ ସେ କହିଛନ୍ତି ଯେ ୨୦୧୩-୧୪ରେ ଦେଶର ୫୩ ପ୍ରତିଶତ ସ୍କୁଲରେ ବିଜୁଳି ଥିବା ବେଳେ ୨୦୨୩-୨୪ରେ ୯୧.୮ ପ୍ରତିଶତ ସ୍କୁଲରେ ବିଜୁଳି ପହଞ୍ଚିଛି । କମ୍ପ୍ୟୁଟର, ପାଠାଗାର, ଖେଳ ପଡ଼ିଆ ଭଳି ମୌଳିକ ସୁବିଧାରେ ମଧ୍ୟ ଅଭୂତପୂର୍ବ ବୃଦ୍ଧି ଘଟିଛି । ୨୦୧୩-୧୪ରେ ମାତ୍ର ୭.୧% ସ୍କୁଲରେ ଇଣ୍ଟରନେଟ୍ ସଂଯୋଗ ଥିବା ବେଳେ ୨୦୨୩-୨୪ରେ ୫୪% ସ୍କୁଲରେ ଇଣ୍ଟରନେଟ୍ ସଂଯୋଗ କରାଯାଇଛି। ଏବେ ଶତ ପ୍ରତିଶତ ସ୍କୁଲରେ ବାଳିକା ଶୌଚାଳୟ ରହିଛି।
ସ୍ୱଚ୍ଛତାର ମାନଦଣ୍ଡରେ ଆମେ ପ୍ରାୟ ୧୦୦% ଆଡକୁ ଅଗ୍ରସର ହେଉଛୁ। ୨୦୧୩-୧୪ ତୁଳନାରେ ବିଶେଷ ଆବଶ୍ୟକତା ଥିବା ପିଲାଙ୍କ ପାଇଁ ଅଧିକ ପ୍ରତିଶତ ସ୍କୁଲ ରହିଛି । ୨୦୧୩-୧୪ରେ ଏହା ୫୬.୮% ଥିବାବେଳେ ୨୦୨୩-୨୪ରେ ଏହା ୭୭%କୁ ବୃଦ୍ଧି ପାଇଛି । ଶିକ୍ଷା କ୍ଷେତ୍ରରେ ପ୍ରତିବନ୍ଧକକୁ ଦୂର କରିବା ଏବଂ ଭିନ୍ନକ୍ଷମ ପିଲାଙ୍କ ପାଇଁ ଶତ ପ୍ରତିଶତ ଉପଲବ୍ଧତା ଦିଗରେ ଆମେ କାର୍ଯ୍ୟ କରୁଛୁ । ଗତ ୧୦ ବର୍ଷ ମଧ୍ୟରେ ଛାତ୍ରଛାତ୍ରୀଙ୍କ ମୁଣ୍ଡ ପିଛା ପିଛା ଖର୍ଚ୍ଚ ୧୩୦% ବୃଦ୍ଧି ପାଇଛି। ୨୦୧୩-୧୪ ବଜେଟରେ ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କ ପାଇଁ ଖର୍ଚ୍ଚର ପରିମାଣ ୧୦,୭୮୦ ଟଙ୍କା ଥିବା ବେଳେ ୨୦୨୧-୨୨ ବଜେଟରେ ଏହା ୨୫,୦୪୩ ଟଙ୍କାକୁ ବୃଦ୍ଧି ପାଇଛି ।
ଆଜିକାଲି ଭାରତର ସମସ୍ତ ଅନୁସୂଚିତ ଭାଷାରେ ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀ ପାଇଁ ଡିଜିଟାଲ ବହି ଉପଲବ୍ଧ ହୋଇଛି । ବିଗତ ୧୦ ବର୍ଷ ମଧ୍ୟରେ ସ୍କୁଲ ବୋର୍ଡରେ ଗୁଣାତ୍ମକ ଓ ମାତ୍ରାତ୍ମକ ଉନ୍ନତି ଘଟିଛି। ୨୦୧୩-୧୪ରେ ଦଶମ ଶ୍ରେଣୀର ପାସ୍ ହାର ୫୮% ଥିବା ବେଳେ ଆଜି ତାହା ୯୫.୫%କୁ ବୃଦ୍ଧି ପାଇଛି। ଦଶମ ଶ୍ରେଣୀର ପାସ୍ ଅନୁପାତରେ ୬୪% ବୃଦ୍ଧି ଘଟିଛି। ଦଶମ ଶ୍ରେଣୀରେ ଛାତ୍ରୀଙ୍କ ପାସ୍ ଅନୁପାତରେ ୭୨% ବୃଦ୍ଧି ଘଟିଛି। ଗତ ୧୦ ବର୍ଷ ମଧ୍ୟରେ ମହିଳା ଶିକ୍ଷୟିତ୍ରୀଙ୍କ ସଂଖ୍ୟା ୩୦ ପ୍ରତିଶତରୁ ଅଧିକ ବୃଦ୍ଧି ପାଇଛି । ସେହିପରି ପିଏମ୍ ପୋଷଣରେ କେନ୍ଦ୍ର ସରକାରଙ୍କ ନିବେଶ ଯଥେଷ୍ଟ ବୃଦ୍ଧି ପାଇଛି । ଏହି ଯୋଜନାରେ ୨୦୧୪-୨୦୨୪ ମଧ୍ୟରେ ୧.୦୪ ଲକ୍ଷ କୋଟିରୁ ଅଧିକ ଆବଣ୍ଟନ କରାଯାଇଛି, ଯାହା ପୂର୍ବ ଦଶନ୍ଧିରେ ୭୧,୫୨୫ କୋଟି ଟଙ୍କା ଥିଲା । ପ୍ରାଥମିକ ଓ ବାଲବାଟିକା ଶ୍ରେଣୀ ପାଇଁ ଭୋଜନର ସାମଗ୍ରୀ ମୂଲ୍ୟ ୫.୪୫ ଟଙ୍କାରୁ ୬.୧୯ ଟଙ୍କା କରାଯାଇଛି ଏବଂ ଉଚ୍ଚ ପ୍ରାଥମିକ ଶ୍ରେଣୀ ପାଇଁ ୮.୧୭ ଟଙ୍କାରୁ ୯.୨୯ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଏହି ବୃଦ୍ଧି ଯୋଗୁଁ ୨୪-୨୫ ଆର୍ଥିକ ବର୍ଷରେ କେନ୍ଦ୍ର ସରକାର ୪୨୫.୬୨ କୋଟି ଟଙ୍କାର ଅତିରିକ୍ତ ଖର୍ଚ୍ଚ ବହନ କରିବେ ।
ଉଚ୍ଚ ଶିକ୍ଷା କ୍ଷେତ୍ର ଉପରେ ଆଲୋକପାତ କରି ଶ୍ରୀ ପ୍ରଧାନ କହିଛନ୍ତି ଯେ ମୋଦୀ ସରକାରରେ ଦେଶରେ ଉଚ୍ଚ ଶିକ୍ଷାନୁଷ୍ଠାନର ସଂଖ୍ୟା ୧୪% ବୃଦ୍ଧି ପାଇଛି । ୨୦୧୪-୧୫ ଶିକ୍ଷାବର୍ଷରେ ଉଚ୍ଚ ଶିକ୍ଷାନୁଷ୍ଠାନ ସଂଖ୍ୟା ୫୧,୫୩୪ ଥିବା ବେଳେ ୨୦୨୨-୨୩ରେ ଏହି ସଂଖ୍ୟା ରହିଛି ୫୮,୬୩୪ । ୨୦୧୪ରୁ ୨୦୨୪ ମଧ୍ୟରେ ୮ ଟି ନୂଆ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ, ୭ ଟି ନୂଆ ଆଇଆଇଟି, ୮ ଟି ନୂଆ ଆଇଆଇଏମ୍, ୨ଟି ଆଇଜର ଏବଂ ଆଇଆଇଏସସି, ଗୋଟିଏ ଲେଖାଁଏ ଏନଆଇଟି ଏବଂ ଆଇଆଇଇଏସଟି ଏବଂ ୧୬ଟି ତ୍ରିପଲ ଆଇଆଇଟି ସ୍ଥାପିତ ହୋଇଛି । ଗତ ୧୦ ବର୍ଷ ମଧ୍ୟରେ ମୋଟ ୪୨ଟି ନୂତନ କେନ୍ଦ୍ରୀୟ ଅନୁଦାନପ୍ରାପ୍ତ ଉଚ୍ଚ ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା କରାଯାଇଛି ।
ଉଚ୍ଚଶିକ୍ଷାରେ ଛାତ୍ରଛାତ୍ରୀଙ୍କ ନାମଲେଖାରେ ୩୦% ବୃଦ୍ଧି ଘଟିଛି । ପୂର୍ବରୁ ୨୦୧୪-୧୫ରେ ଏହି ସଂଖ୍ୟା ୩.୪୨ କୋଟି ଥିବା ବେଳେ ୨୦୨୨-୨୩ରେ ଏହା ୪.୪୬ କୋଟିକୁ ବୃଦ୍ଧି ପାଇଛି । ମହିଳା ନାମଲେଖା .୫୭ କୋଟିରୁ ୨.୧୮ କୋଟିକୁ ବୃଦ୍ଧି ପାଇଛି ତଥା ୩୮.୪% ଅଭୂତପୂର୍ବ ସଫଳତା ହାସଲ କରିଛି। ସେହିପରି ଷ୍ଟେମ୍ ପାଠ୍ୟକ୍ରମରେ ମହିଳା ନାମଲେଖା ୩୫.୧୪ ଲକ୍ଷରୁ ୪୩.୦୩ ଲକ୍ଷକୁ ବୃଦ୍ଧି ପାଇଛି, ଯାହା କି ୨୩% ବୃଦ୍ଧି ପାଇଛି। ଶିଳ୍ପ-ଶିକ୍ଷା ସହଯୋଗ ବୃଦ୍ଧି ହୋଇଛି । ୬ଟି ରିସର୍ଚ୍ଚ ପାର୍କ ପ୍ରତିଷ୍ଠା, ୧୩ଟି ନୂଆ ଗବେଷଣା ପାର୍କ ନିର୍ମାଣାଧୀନ ରହିଛି । ଶିକ୍ଷା କ୍ଷେତ୍ରରେ ବୃଦ୍ଧି ଉପରେ ବିଶ୍ୱସ୍ତରୀୟ ସ୍ୱୀକୃତି ମିଳିଛି । କ୍ୟୁଏସ୍ ୱାର୍ଲ୍ଡ ୟୁନିଭର୍ସିଟି ରାଙ୍କିଙ୍ଗ ୨୦୨୫ରେ ୪୬ ଜଣ ଭାରତୀୟ ଉଚ୍ଚଶିକ୍ଷାନୁଷ୍ଠାନ ସ୍ଥାନ ପାଇଛି । ୨୦୧୫ ତୁଳନାରେ ୩୧୮% ବୃଦ୍ଧି ହୋଇଛି । ସେହିପରି ପ୍ରଧାନମନ୍ତ୍ରୀଙ୍କ ପରିକଳ୍ପନାରେ ସ୍ମାର୍ଟ ଇଣ୍ଡିଆ ହାକାଥନର ଶୁଭାରମ୍ଭ ହୋଇଛି ବୋଲି କେନ୍ଦ୍ର ଶିକ୍ଷା ମନ୍ତ୍ରୀ କହିଛନ୍ତି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର