ଶ୍ରୀ ପ୍ରଧାନ ଶନିବାର ଆଠମଲ୍ଲିକ ନିର୍ବାଚନମଣ୍ଡଳୀର ଅନ୍ତୁଳିଆରେ ଆୟୋଜିତ ହଜାର ହଜାର ଲୋକଙ୍କ ସହ ବିଶାଳ ପଦଯାତ୍ରାରେ ଯୋଗଦେଇ ଦଳୀୟ ପ୍ରାର୍ଥୀଙ୍କ ସମର୍ଥନରେ ପ୍ରଚାର କରିଛନ୍ତି । ସେଠାରେ ଅନୁଷ୍ଠିତ କର୍ମୀ ସମ୍ମିଳନୀରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ କହିଛନ୍ତି, ବିରୋଧୀମାନେ ବିକାଶକୁ ପାରୁନଥିବା ମୁଖ୍ୟମନ୍ତ୍ରୀ କହୁଛନ୍ତି । ଓଡ଼ିଶାର ଗାଁରେ ପିଇବା ପାଣି ନାହିଁ । ଚାଷ ଜମିରେ ପାଣି ନାହିଁ । ଡାକ୍ତରଖାନାରେ ଡାକ୍ତର ନାହାନ୍ତି । ସ୍କୁଲ ଗୁଡିକରେ ଶିକ୍ଷକ ନାହାନ୍ତି । ପିଲାମାନେ ଅଧାରୁ ପାଠପଢା ଛାଡୁଛନ୍ତି । ଗାଁରେ ଗାଁରେ କାମ ଧନ୍ଦା ଆଶାରେ ଲୋକମାନେ ବାହାରକୁ ଦାଦନ ଖଟିବାକୁ ଯାଉଛନ୍ତି । ଓଡ଼ିଶାରେ ୬୦ ପ୍ରତିଶତ ମହିଳା ରକ୍ତହୀନତା ଏବଂ ଶିଶୁମାନେ ଅପପୁଷ୍ଟିର ଶୀକାର । ଏହାକୁ ମୁଖ୍ୟମନ୍ତ୍ରୀ ବିକାଶ କହୁଛନ୍ତି କି ?
ମୁଖ୍ୟମନ୍ତ୍ରୀ ଭିଡିଓରେ ଅଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ରିମୋର୍ଟ କଣ୍ଟ୍ରୋଲ ଅଣଓଡ଼ିଆ ଗୁମାସ୍ତା ପାଖରେ ପହଞ୍ଚିଲାଣି । ଏହା ଓଡ଼ିଆ ଅସ୍ମିତାର ପ୍ରଶ୍ନ । ଓଡ଼ିଶା କାହାର ବ୍ୟକ୍ତିଗତ ସମ୍ପତ୍ତି ନୁହେଁ । ଏକଛତ୍ରବାଦ କିମ୍ବା ରାଜତନ୍ତ୍ର ନୁହେଁ । ଏହା ଗଣତନ୍ତ୍ର । ଲୋକମାନେ ଯାହାକୁ ଚାହିଁବେ ତାକୁ ଜିତିବେ । ଓଡ଼ିଆ ଲୋକଙ୍କ କର ଖଜଣାରେ ଯେଉଁ ସରକାରୀ ବାବୁ ଦରମା ନେଇ ଓଡ଼ିଶାକୁ କବଜା କରିବାକୁ ଚାହୁଁଛନ୍ତି, ତାହା ବିରୁଦ୍ଧରେ ଜନମତ ହେବ ।
ଆମ ରାଜ୍ୟରେ ଓଡ଼ିଆ ଭାଷା, ସଂସ୍କୃତି ଏବଂ ଓଡ଼ିଆ ଲୋକଙ୍କର ଭବିଷ୍ୟତ ଆଜି ଅନ୍ଧାରରେ । ଆମ ରାଜ୍ୟର ନେତା ଓଡ଼ିଆ ଲୋକ ହେବା ଦରକାର । ଓଡ଼ିଶାରେ ଭ୍ରଷ୍ଟ, ଦୁର୍ନୀତିଗ୍ରସ୍ତ ଓ ଅତ୍ୟାଚାରୀ ସରକାରକୁ ବଦଳାଇବା ଦରକାର । ଓଡ଼ିଆ ଭାଷା, ଅସ୍ମିତା ଓ ସ୍ୱାଭିମାନକୁ ବଞ୍ଚାଇବା ପାଇଁ ଆମେ ସମସ୍ତେ ପଦ୍ମଫୁଲରେ ଭୋଟ୍ ଦେବା । ଓଡ଼ିଶା ଏବଂ ଦେଶରେ ବିଜେପି ସରକାର ଗଠନ କରିବା ପାଇଁ ଉପସ୍ଥିତ ଜନସାଧାରଣଙ୍କୁ ନିବେଦନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ସେ ଆହୁରି କହିଛନ୍ତି ଯେ ଆଜି ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରତି ଲୋକପ୍ରିୟତା କ୍ରମାଗତ ଭାବେ ବଢିବାରେ ଲାଗିଛି । ନିର୍ବାଚନ ଯେତେ ପାଖେଇ ଆସିବ, ମୋଦୀଙ୍କ ପ୍ରତି ସମର୍ଥନ ସେତେମାତ୍ରାରେ ବୃଦ୍ଧି ପାଉଥିବ । ଲୋକସଭାକୁ ଏଥର ସର୍ବାଧିକ ସିଟ୍ ଓଡ଼ିଶା ଦେବ । ବିଧାନସଭାରେ ପଟ୍ଟ ପରିବର୍ତ୍ତନ ହେବ । ଭୁବନେଶ୍ୱରରେ ପ୍ରଥମ ଥର ଓ ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସରକାର ହେବ । ପ୍ରଚାର କାଳରେ ଶ୍ରୀ ପ୍ରଧାନ ଓଗୀ ସ୍ଥିତ ମା’ ବନଦୁର୍ଗା ମନ୍ଦିରରେ ଦର୍ଶନ କରିଥିଲେ । ପଦଯାତ୍ରାରେ ଶତାଧିକ ଜନସାଧାରଣ, ମାତୃଶକ୍ତି ଓ ଯୁବବର୍ଗମାନେ କେନ୍ଦ୍ରମନ୍ତ୍ରୀଙ୍କୁ ସ୍ୱାଗତ କରିଥିଲେ ।