ଅର୍ଗସ ବ୍ୟୁରୋ: କେନ୍ଦ୍ରମନ୍ତ୍ରୀଙ୍କୁ ଟାର୍ଗେଟ୍ କରୁଥିଲେ ସମ୍ବଲପୁର ବିଜେଡି ପ୍ରାର୍ଥୀ ସାଂସଦ ପ୍ରଣବ ପ୍ରକାଶ ଦାସ, ହେଲେ ନିଜେ ଟାର୍ଗେଟ୍ ହୋଇଗଲେ । ସୋସିଆଲ ମିଡ଼ିଆରେ ବବିଙ୍କୁ ଜୟନାରାୟଣ ପୂରା ଧୋଇ ଦେଲେ । ଖାଲି ଏତିକି ନୁହେଁ ବରଂ ସବୁ ପ୍ରଶ୍ନର ଗୋଟି ଗୋଟି ଉତ୍ତର ଦେଲେ । ହେଲେ ଯେଉଁ ପରି ଢଙ୍ଗରେ ଜୟନାରାୟଣ ଉତ୍ତର ଦେଲେ ତାହାକୁ ନେଇ ଚର୍ଚ୍ଚା ଚାଲିଛି । କାରଣ ବବି ଭାବିଥିଲେ କେନ୍ଦ୍ର ବିରୋଧରେ ମିଛ କହି ଖସିଯିବେ ବୋଲି, କିନ୍ତୁ ସତ କହି ସବୁ ଗୁମର ଖୋଲିଦେଲେ ଜୟନାରାୟଣ ।
ପୂର୍ବରୁ ତ ଯାହା ମିଛ କହୁଥିଲେ କହୁଥିଲେ ଏବେ ଷଡ଼ଯନ୍ତ୍ର କରି ମିଛ କହୁଛନ୍ତି । ବିନା ତଥ୍ୟରେ, ବିନା ଦସ୍ତାବିଜ୍ରେ ଗୁଜବ ପ୍ରଚାର କରିବାକୁ ଚକ୍ରାନ୍ତ କରିଥିଲେ । ବବିଙ୍କ ଅଭିଯୋଗ ଅନୁସାରେ, ଯେତେବେଳେ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିର୍ବାଚନ ଲଢ଼ିବା ପାଇଁ ସ୍ଥିର କଲେ, ମିଶନ ଶକ୍ତି ମା'ଙ୍କ ଦୁବାଇ ଯିବା ବନ୍ଦ କରିଦେଲେ । ଆଉ ଯେବେ ସେ ନାମାଙ୍କନ ଦାଖଲ କଲେ ମିଶନ ଶକ୍ତି ସଚିବ, କେନ୍ଦ୍ରାପଡ଼ାର ଝିଅ ସୁଜାତା ରାଉତଙ୍କୁ ବାହାର କରିଦେଲେ । ବାସ୍ କିଛି ଏମିତି ମିଛ ଗପ ଲେଖିଛନ୍ତି ବବି । ଯାହାକୁ ନେଇ ସୋସିଆଲ ମିଡିଆରେ ଏବେ ଚର୍ଚ୍ଚା ଜୋର । ହେଲେ ବବି ବୁଝିବା ଦରକାର, ମିଶନ ଶକ୍ତି ବିଭାଗ କେନ୍ଦ୍ର ନୁହେଁ ବରଂ ରାଜ୍ୟ ସରକାରଙ୍କ ଅଧୀନରେ ଆସୁଛି । ତେଣୁ ଧର୍ମେନ୍ଦ୍ରଙ୍କ ସହ ଏହି ବିଭାଗ ସହ କୌଣସି ସମ୍ପର୍କ ହିଁ ନାହିଁ । ଏହା ପରେ ବି କେନ୍ଦ୍ରମନ୍ତ୍ରୀଙ୍କୁ ସେ ଯେମିତି ପ୍ରଶ୍ନ କଲେ ତାହା ତାଙ୍କ ଶିକ୍ଷାଗତ ଯୋଗ୍ୟତା ଉପରେ ବି ପ୍ରଶ୍ନ ଉଠାଇଲାଣି ।
ବବିଙ୍କ ସୋସିଆଲ ପୋଷ୍ଟ ପରେ ବିରୋଧୀ ଦଳ ନେତା ତଥା ସମ୍ବଲପୁର ବିଜେପି ବିଧାୟକ ପ୍ରାର୍ଥୀ ଜୟନାରାୟଣ କହିଛନ୍ତି, ମୋଦି ସରକାର ଲକ୍ଷପତି ଦିଦି ବନାଇବା କାର୍ଯ୍ୟରେ ଲାଗିଛନ୍ତି । ମିଶନ ଶକ୍ତି ବିଜୁ ଜନତା ଦଳର ଜାଗିର୍ ନୁହେଁ । ମିଶନ ଶକ୍ତିର ମାଆଙ୍କୁ ସ୍ଵାବଲମ୍ବୀ ଓ ସଶକ୍ତ କରିବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ । ମିଶନ ଶକ୍ତି ସଚିବ ବିଜେଡିର କର୍ମୀ ଭାବରେ କାର୍ଯ୍ୟ ଯଦି କରିବେ, ତାଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ନିଆଯିବ, ଏହାକୁ ଅନୁଚିତ କହିବା ରାଜନୈତିକ ଅପରିପକ୍ଵତାର ନିଦର୍ଶନ ବୋଲି ଜୟନାରାୟଣ କହିଛନ୍ତି ।
ଖାଲି ଏତିକି ନୁହେଁ ବରଂ ବିଜେଡି କେଉଁ ଅବସ୍ଥାରେ ଅଛି, ତାହା ତାଙ୍କୁ ଭଲ ଭାବରେ ଜଣା । ବିଜେଡି ଦଳର ମାଲିକ ଜଣେ ଗୁମାସ୍ତା ସାଜିଛନ୍ତି । ପ୍ରଣବଙ୍କ ଭଳି ନେତୃତ୍ବ ଆଜି ଦ୍ବାରପାଳ ଓ ଟ୍ରାଫିକ କାର୍ଯ୍ୟରେ ନିୟୋଜିତ ହେବା ସହ ଗୁମାସ୍ତାଙ୍କ ପାଇଁ ଷ୍ଟେଜ ସଜାଡିବା, ପାଲ ପାରିବା ସହ ଚେୟାର ପକାଇବାର କାମ କରୁଛନ୍ତି , ଯାହା ଲଜ୍ଜ୍ୟାଜନକ । କଥା ହେଲା ନିର୍ବାଚନ ବୈତରଣୀ ପାର ହେବା ପାଇଁ ବିଜେଡି ଯେଉଁ ପରି ଭାବରେ ହୀନ ରାଜନୀତି କରୁଛି ତାହାକୁ ନେଇ ଜୋରଦାର ଚର୍ଚ୍ଚା ହେଉଥିବା ବେଳେ ବବିଙ୍କୁ କିନ୍ତୁ ଜୋରଦାର ଟ୍ରୋଲ କରାଯାଉଛି ।