କମ ଟଙ୍କା ଦେଇ ଚୋରା ମୋବାଇଲ ବ୍ୟବହାର କରୁଥିଲେ ସାବଧାନ। କୌଣସି ବି ମୁହୁର୍ତ୍ତରେ ଚୋରା ମୋବାଇଲର ସନ୍ଧାନରେ ଆପଣଙ୍କ ପାଖରେ ପହଁଚି ଯାଇପାରେ ପୋଲିସ । ଆଜି ଏକ ବଡ ଚୋରା ମୋବାଇଲ ରାକେଟର ଫର୍ଦ୍ଦାଫାସ କରିଛି କମିଶନରେଟ ପୋଲିସ । ପ୍ରାୟ ବର୍ଷ ପରେ ଉଭୟ ଲୁଟେରା ଓ ମୋବାଇଲ ବ୍ୟବହାର କରୁଥିବା ଲୋକଙ୍କ ପାଖରେ ପହଁଚିଛି ପୋଲିସ । ପାଖାପାଖି ୧୦୨ ରୁ ଅଧିକ ମୋବାଇଲକୁ ଜବତ କରିଛି ସହିଦନଗର ଥାନା ପୋଲିସ । ଏହା ସହ ୭ ଟି କେଶ ଆଧାରରେ ୬ ଜଣଙ୍କୁ କୋର୍ଟ ଫରଓ୍ୱାର୍ଡ କରିବା ସହ ୨ ଜଣଙ୍କୁ ଏ ପର୍ଯ୍ୟନ୍ତ ଏହି ଘଟଣାରେ ଗିରଫ କରିଛି ପୋଲିସ । ଏଥି ମଧ୍ୟରୁ ଗୋଟିଏ ଗ୍ୟାଙ୍ଗ ନିକଟରୁ ୮୨ ଟି ମୋବାଇଲ ଜବତ ହୋଇଥିବା ବେଳେ ରାଜଧାନୀ ସମେତ ଅନ୍ୟାନ୍ୟ ସ୍ଥାନରୁ ୨୦ ଟି ଚୋରା ମୋବାଇଲକୁ ମଧ୍ୟ ଜବତ କରାଯାଇଛି । ଭୁବନେଶ୍ୱର ଡିସିପିଙ୍କ କହିବା ଅନୁସାରେ ଏକ କାଳିନ ଏହି ୮୨ ଟି ମୋବାଇଲକୁ ଏକ ବସରୁ ପାଇବା ପରେ ଖୁବ କମ ଦରରେ ଲୋକଙ୍କୁ ବିକ୍ରି କରି ଚୁପଚାପ ବସିଥିଲେ ମୋବାଇଲ ପାଇଥିବା ବ୍ୟକ୍ତି । ପୋଲିସର ଖୁବ ପରିଶ୍ରମ ଫଳରେ ଏହି ମୋବାଇଲ ଗୁଡିକୁ ଏକାକାଳୀନ ଜବତ କରିହୋଇଥିବା କଥା ଡିସିପି ଉମାଶଙ୍କର ଦାସ କହିଛନ୍ତି ।
ଜବତ ହୋଇଥିବା ମୋବାଇଲ ଗୁଡିକୁ ମୋବାଇଲ ଚୋରି ହୋଇଥିବା ଲୋକଙ୍କୁ ପ୍ରଦାନ କରିଛନ୍ତି ଶହୀଦ ନଗର ଥାନାର ଆଇଆଇସି ହିମାଂଶୁ ସ୍ୱାଇଁ । ମୋବାଇଲ ଫେରି ପାଇବା ସହ ପୋଲିସକୁ ସାଧୁବାଦ ଜଣାଇଛନ୍ତି ଚୋରୀ ମୋବାଇଲ ଫେରି ପାଇଥିବା ବ୍ୟକ୍ତି।
ମୋବାଇଲ ଚୋରୀ କରି କେବଳ ଲୋକଙ୍କୁ ବିକ୍ରି କରିବା ଏହି ମୋବାଇଲ ଚୋରୀର ଉଦେଶ୍ୟ ଥିଲା ନା ଏହା ପଛରେ ଅପରାଧିକ କାର୍ଯ୍ୟକଳାପ ପାଇଁ ଏହି ଚୋରୀ ମୋବାଇଲର ବ୍ୟବହାର ସୁହାଉଥିଲା ଏକଥାର ଛାନଭିନ ପୋଲିସ କରୁଛି।