ଅର୍ଗସ ବ୍ୟୁରୋ : ସାରା ଦେଶରେ ଶାରଦିୟ ନବରାତ୍ରୀ ଆରମ୍ଭ ହୋଇଯାଇଛି। 17 ଅକ୍ଟୋବରରୁ 24 ଅକ୍ଟୋବର ପର୍ଯ୍ୟନ୍ତ ପାଳନ କରାଯିବ । ହିନ୍ଦୁ ଧର୍ମରେ ନବରାତ୍ରୀର ବିଶେଷ ମହତ୍ତ୍ଵ ରହିଛି। ତେବେ ବର୍ଷରେ ଦୁଇଥର ନବରାତ୍ରୀ ପାଳନ କରାଯାଏ। ଗୋଟିଏ ଚୈତ୍ର ନବରାତ୍ରୀ ଓ ଅନ୍ୟଟି ଶାରଦୀୟ ନବରାତ୍ରୀ। ଚୈତ୍ର ନବରାତ୍ରୀ ହିନ୍ଦୁ ବର୍ଷର ଆରମ୍ଭରେ ପାଳନ କରାଯାଏ। ସେହିପରି ଶାରଦୀୟ ନବରାତ୍ରୀ ଅଧର୍ମ ଉପରେ ଧର୍ମ ଏବଂ ଅସତ୍ୟ ଉପରେ ସତ୍ୟର ବିଜୟର ପ୍ରତୀକ ହୋଇଥାଏ। ଏହାର ଅର୍ଥ ମା' ଦୁର୍ଗା ଯଦି ମମତାର ସୃଜନ ହୋଇଥାନ୍ତି ସେ ବିକଟାଳ ରୂପ ଧରି ଦୁଷ୍ଟଙ୍କର ସଂହାର ମଧ୍ୟ କରିପାରନ୍ତି।
ନବରାତ୍ରରେ ଶକ୍ତି ପୀଠ ଗୁଡ଼ିକରେ ସ୍ୱତନ୍ତ୍ର ପୂଜାର ଆୟୋଜନ କରାଯାଇଥାଏ । ଅବକାଶ, ଅଭିଶେକ, ମାଜଣା, ଖେଚଡ଼ି, ରାଜଭୋଗ ଓ ପହୁଡ଼ ଆଦି ବିଭିନ୍ନ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା ହୋଇଥାଏ । ମଙ୍ଗଳଆଳତୀ, ମଇଲମ, ତଡ଼ପଲାଗି, ଶୋଢଶଉପଚାର, ମହାସ୍ନାନ, ଚଣ୍ଡିପାଠ, ହୋମଯଜ୍ଞ ଭଳି ନୀତିକାନ୍ତି କରାଯାଏ । ଏହା ଛଡ଼ା ନବରାତ୍ରୀରେ ମା' ବିଭିନ୍ନ ବେଶରେ ମଧ୍ୟ ଦର୍ଶନ ଦେଇଥାଆନ୍ତି । କୋଭିଡ଼ କଟକଣା ଯୋଗୁଁ ଭକ୍ତଙ୍କୁ ମନ୍ଦିର ଭିତରେ ପ୍ରବେଶ କରିବାକୁ ବାରଣ କରାଯାଇଛି ।
ନବରାତ୍ରିରେ ଦେବୀଙ୍କର ନଅ ଦିନର ଉପବାସ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଆଜି ନବରାତ୍ରୀର ଦ୍ଵିତୀୟ ଦିନରେ ଜଗତ ଜନନୀ ମା' ବ୍ରହ୍ମଚାରିଣୀ ରୂପରେ ପୂଜା ପାଇବେ। ସାଧକ ଏହି ଦିନ ମା'ଙ୍କ ଚରଣରେ ତନ ମନ ସମର୍ପି ଥାଏ। ବ୍ରହ୍ମାର ଅର୍ଥ ତପସ୍ୟା ଏବଂ ଚାରିଣୀ ଅର୍ଥାତ୍ ଆଚରଣ। ତେଣୁ ବ୍ରହ୍ମଚାରିଣୀର ଅର୍ଥ ତପ ଆଚରଣ ଯିଏ କରନ୍ତି। ଏହି ବେଶରେ ମାଙ୍କର ଦକ୍ଷିଣ ହସ୍ତରେ ଜପ ମାଳା, ବାମ ହାତରେ କମଣ୍ଡଳୁ ଥାଏ। ମା' ଦୁର୍ଗାଙ୍କର ଏହି ସ୍ଵରୂପ ଭକ୍ତଙ୍କୁ ସିଦ୍ଧି ଏବଂ ଅନନ୍ତଫଳ ଦେଇଥାଏ। ଏହାର ଉପାସନାରେ ମନୁଷ୍ୟ ତପ, ତ୍ୟାଗ, ବୈରାଗ୍ୟ, ସଦାଚାର, ସଂଯମତା, ଏବଂ ବୁଦ୍ଧି ମିଳେ। ଜୀବନର କଠିନ ସଙ୍ଘର୍ଷରେ ମନ ବିଚଳିତ ହୁଏ ନାହିଁ।
"ଯା ଦେବୀ ସର୍ବଭୁତେଷୁ ମା' ବ୍ରହ୍ମଚାରିଣୀ ଋପେଣ ସଂସ୍ଥିତା।
ନମସ୍ତସୈ ନମସ୍ତସୈ ନମସ୍ତସୈ ନମୋ ନମଃ।।"