ଯୁଦ୍ଧ ପରିସ୍ଥିତି ଭିତରେ ପ୍ରତିରକ୍ଷା ମନ୍ତ୍ରଣାଳୟର ମନ୍ତ୍ରୀଙ୍କୁ ବରଖାସ୍ତ କରିଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ । ମଙ୍ଗଳବାର ନିଜ ରକ୍ଷା ମନ୍ତ୍ରୀ ୟୋବ ଗ୍ୟାଲେଣ୍ଟଙ୍କୁ ବରଖାସ୍ତ କରିଛନ୍ତି। ୟୋବଙ୍କୁ ବାହାର କରିବା ପଛରେ ବିଶ୍ବାସର ସଂକଟ ଥିଲା ବୋଲି ନେତାନ୍ୟାହୁ ସ୍ପଷ୍ଟ କରିଛନ୍ତି । ହମାସ ଓ ହିଜବୁଲ୍ଲା ବିରୋଧରେ ଯୁଦ୍ଧ ରଣନୀତିକୁ ନେଇ ୟୋବଙ୍କୁ ବିଶ୍ବାସର ସହ ନେଇ ପାରୁନଥିଲେ ନେତାନ୍ୟାହୁ । ଗାଜା ଓ ଲେବାନନ୍ ଯୁଦ୍ଧକୁ ନେଇ ଅନେକ ସମୟରେ ବେଞ୍ଜାମିନ୍ ଓ ନେତାନ୍ୟାହୁଙ୍କ ମଧ୍ୟରେ ଯୁକ୍ତିତର୍କ ଲାଗି ରହୁଥିଲା । ଅନେକ ସମୟରେ ମତଭେଦ ବି ରହୁଥିଲା। କିନ୍ତୁ ଯୁଦ୍ଧ ସମୟରେ ପିଏମ ଓ ପ୍ରତିରକ୍ଷାମନ୍ତ୍ରୀଙ୍କ ଭିତରେ ସମନ୍ଵୟ ନିହାତି ଦରକାର । ଯାହା କି ଇସ୍ରାଏଲରେ ବ୍ୟତିକ୍ରମ ହେଉଥିଲା ।
ଇରାନ ଉପରେ ଇସ୍ରାଏଲର ଜୋରଦାର ଆଟାକ୍ ପରେ ଏବେ ପ୍ରତିଶୋଧର ନିଆଁରେ ଜଳୁଛି ତେହେରାନ୍ । ସେଇଥି ଲାଗି ତ କେମିତି ଇସ୍ରାଏଲ ଉପରେ ଆକ୍ରମଣ କରିବ ସେନେଇ କରୁଛି ମାଷ୍ଟର ପ୍ଲାନ୍ । ଇସ୍ରାଏଲକୁ ଯେହେତୁ ପୂର୍ବରୁ ଆମେରିକା ଖୋଲା ସମର୍ଥନ ଦେଇସାରିଛି ତେଣୁ ଇରାନ ଇସ୍ରାଏଲ ଉପରେ ଆକ୍ରମଣ ପାଇଁ ସଜବାଜ ହେଉଥିବା ଖବର ମିଳିବା ପରେ ଆକ୍ସନ ମୋଡ୍ରେ ପେଣ୍ଟାଗନ୍ । ଇରାନର ଆକ୍ରମଣକୁ ନଜରରେ ରଖି ମିଡିଲ୍ ଇଷ୍ଟରେ ଆମେରିକା ମୁତୟନ କରିଛି B-52 ବୋମା ବର୍ଷଣକାରୀ ବିମାନ । ବାଇଡେନଙ୍କ ନିର୍ଦ୍ଦେଶ ଆସିବା ପରେ ଭୟଙ୍କର ରୂପ ଦେଖାଇବ B-52 ବମ୍ବର ।
ସେଦିନ ଥିଲା ଅକ୍ଟୋବର ୨୫ । ଇରାନ ଉପରେ ଭୟଙ୍କର ଆକ୍ରମଣ କରିଥିଲା ଇସ୍ରାଏଲ । ଆକ୍ରମଣ ଏତେ ଭୟଙ୍କର ଥିଲା ଯେ ଇରାନ ଆକ୍ରମଣକୁ ରୋକିବାକୁ ସଫଳ ହୋଇନଥିଲା । ଘରେ ପଶି ମାରିବା ପରି ପରିସ୍ଥିତି ସୃଷ୍ଟି କରିଥିଲା ଇସ୍ରାଏଲ । ହିଜବୁଲ୍ଲାରେ ତ ଧ୍ଵଂସର ତାଣ୍ଡବ କରିଥିଲା ଇସ୍ରାଏଲ । ଯାହାକୁ ନେଇ ଖପ୍ପା ହୋଇଥିଲା ଇରାନ । ଯେହେତୁ ସେବେ ଇସ୍ରାଏଲକୁ ରୋକିବାକୁ ସଫଳ ହୋଇନଥିଲା ତେଣୁ ଏବେ ଆକ୍ରମଣର ବଦଲା ନେବାକୁ ସଜବାଜ ହେଉଥିବା ଗୁଇନ୍ଦା ସୂତ୍ରରୁ ସୂଚନା ମିଳିଛି । ଆଉ ଏପଟେ ପ୍ରତିରକ୍ଷା ମନ୍ତ୍ରୀ ବିଦା ହୋଇଥିବାରୁ ଚର୍ଚ୍ଚା ବଢିଛି ।