ନୂଆଦିଲ୍ଲୀ: ଶ୍ରୀଲଙ୍କାରେ ଇଷ୍ଟର ପର୍ବ ପାଳନ ଅବସରରେ ହୋଇଥିବା ସିରିଜ୍ ବିସ୍ଫୋରଣ ଘଟଣାକୁ ନେଇ ବଡ ଖୁଲାସା । ମିଡିଆ ରିପୋର୍ଟ ମୁତାବକ ଏହି ବିସ୍ଫୋରଣ ଘଟାଇବାରେ ଦେଶର ଜଣେ କୋଟିପତି ମସଲା ବ୍ୟାପାରୀ ମହମ୍ମନ ୟୁସୁଫ୍ ଇବ୍ରାହିମ୍ ଓ ତାର ଦୁଇ ପୁଅ ସାମିଲ ଥିଲେ । ଏବେ ଶ୍ରୀଲଙ୍କା ବିସ୍ଫୋରଣ ମୃତ୍ୟୁ ସଂଖ୍ୟା 359ରେ ପହଞ୍ଚିଛି ।
ବିସ୍ଫୋରଣ ଦିନ ଇବ୍ରାହିମର ଦୁଇ ପୁଅ ଇଲହାମ ଇବ୍ରାହିମ ଓ ଇନସାଫ୍ ଶାଙ୍ଗରୀଲା ଓ ସିନାମାଂନ ଗ୍ରାଣ୍ଡ ହୋଟେଲରେ ଜଳଖିଆ ଖାଇବା ପାଇଁ ଲାଇନରେ ଠିଆ ହୋଇଥିବା ବେଳେ ଆତ୍ମଘାତୀ ବିସ୍ଫୋରଣ ଘଟାଇଥିଲେ ।
ଏହି ଦୁଇଜଣଙ୍କ ବୟସ 25ରୁ 30 ଭିତରେ ଥିବା ବେଳେ ଦୁହେଁ ଇସଲାମିକ୍ ସଙ୍ଗଠନ ନ୍ୟାସନାଲ ତୌହିଦ ଜମାତର ସଦସ୍ୟ ଥିଲେ ।
ଏବେ ସୁଦ୍ଧା ପୋଲିସ ଏହି ଘଟଣାରେ ମୋଟ 58ଜଣଙ୍କୁ ଗିରଫ କରିଛି । ଦୁହେଁ ଆତ୍ମଘାତୀ ବିସ୍ଫୋରଣ ଘଟାଇବା ପରେ ପୋଲିସ ଏହାର ଯାଞ୍ଚ ଆରମ୍ଭ କରିଥିଲା । ଏହି ଘଟଣା ପରେ ପୋଲିସ ଅଭିଯୁକ୍ତଙ୍କ ଘରେ ପହଞ୍ଚିଥିଲା । ପୋଲିସ ଚଢାଉ ସମୟରେ ଇଲହାମ ଇବ୍ରାହିମର ପତ୍ନୀ ଫାତିମା ଘରେ ଉପସ୍ଥିତ ଥିଲା । କିନ୍ତୁ ପୋଲିସ ପହଞ୍ଚିବା ପରେ ଫାତିମ ଆତ୍ମଘାତୀ ବିସ୍ଫୋରଣ ଘଟାଇଥିଲେ, ଏଥିରେ ତାର ଦୁଇଟି ସନ୍ତାନ ମଧ୍ୟ ମୃତ୍ୟୁବରଣ କରିଛନ୍ତି । ପୋଲିସର ତିନିଜଣ କମାଣ୍ଡୋଙ୍କର ମଧ୍ୟ ଘଟଣାସ୍ଥଳରେ ମୃତ୍ୟୁବରଣ କରିଥିଲେ । ବିସ୍ଫୋରଣ ପଛରେ ଏହି ପରିବାରର ହାତ ରହିଥିବା କୁହାଯାଉଛି । ଗିରଫ ହୋଇଥିବା ଅଧିକାଂଶ ସଦସ୍ୟ ଏହି ପରିବାରର ।
ଏହି ପରିବାର ଆତଙ୍କୀ ସେଲ୍ ଚଳାଉଥିଲା । ଏମାନଙ୍କ ନିକଟରେ ଟଙ୍କାର ଅଭାବ ନଥିଲା । ସେମାନେ କେବଳ ଏହି ସେଲ୍ ଚଳାଉନଥିଲେ ପରିବାରର ଅଧିକାଂଶ ଲୋକ ଏହାଦ୍ୱାରା ପ୍ରଭାବିତ ହେଉଥିଲେ । ବିଦେଶୀ ଆତଙ୍କ ସମୂହ ସହିତ ଏହି ସେଲ୍ ଜଡିତ ଥିଲା ।
