ଏହି ଅଞ୍ଚଳରେ ଅଦାନୀ ଗ୍ରୁପ ଦ୍ୱାରା ବନ୍ଦର ନିର୍ମାଣକୁ କେନ୍ଦ୍ର କରି ହିଂସ୍ର ବିରୋଧ ପ୍ରଦର୍ଶନ କରାଯାଉଥିଲା । ପୋଲିସ ଏହି ଆନ୍ଦୋଳନକାରୀମାନଙ୍କ ମଧ୍ୟରୁ 5 ଜଣକୁ ଅଟକ ରଖିଥିଲା । ପୋଲିସର ଏହି କାର୍ଯ୍ୟାନୁଷ୍ଠାନ ପରେ ଏହି ଭିଡ ଅତର୍କିତ ଭାବେ ପୋଲିସ ଥାନା ଉପରେ ଆକ୍ରମଣ କରିଥିଲା ।
ଏହି ଘଟଣାରେ ଯେଉଁ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ସେଥିରେ ସ୍ପଷ୍ଟ ଭାବେ ଦେଖା ଯାଉଛି ଯେ ଆନ୍ଦୋଳନକାରୀ ଭୀଡ ଥାନା ଉପରେ ଲାଠି ଓ ପଥର ଦ୍ୱାରା ଆକ୍ରମଣ କରୁଛନ୍ତି ।
ସ୍ଥାନୀୟ ମିଡିଆ ରିପୋର୍ଟ ଅନୁସାରେ ଏଥିରେ ଅନେକ ପୋଲିସ କର୍ମୀ ଆହତ ହେବା ସହ ଥାନାରେ ମଧ୍ୟ ବ୍ୟାପକ କ୍ଷତି ଘଟିଛି । ଉପଦ୍ରବକାରୀ ମାନେ ପୋଲିସର ଚାରୋଟି ଜିପ, 2ଟି ଭ୍ୟାନ, 20ଟି ମୋଟର ସାଇକେଲକୁ ମଧ୍ୟ କ୍ଷତିଗ୍ରସ୍ତ କରିଛନ୍ତି । ଥାନାର କିଛି ଫର୍ନିଚର ଓ ଆବଶ୍ୟକୀୟ କାଗଜପତ୍ର ମଧ୍ୟ ନଷ୍ଟ ହୋଇଥିବା ଜଣା ପଡିଛି ।
ହିଂସ୍ର ପ୍ରଦର୍ଶନାକାରୀ ମାନେ ପୋଲିସର ଜିପ ଉପରେ ଆକ୍ରମଣ କରିବାକୁ ଚେଷ୍ଟା କଲା ବେଳେ ଦୁଇ ଜଣ ପୋଲିସକର୍ମୀ ଆହତ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ଜଣଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତି କରାଯାଇଥିବା ବେଳେ ଅନ୍ୟ ଜଣଙ୍କର ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବା କାରଣରୁ ତାଙ୍କୁ ତିରୁବନନ୍ତପୁରମ ସ୍ଥିତ ମେଡିକାଲ କଲେଜକୁ ସ୍ଥାନାନ୍ତରିତ କରାଯାଇଛି ।
ମିଳିଥିବା ସୂଚନା ଅନୁସାରେ କେରଳ ହାଇକୋର୍ଟଙ୍କ ନିର୍ଦେଶ ସତ୍ୱେ ବିଝିଜମ ଠାରେ ଅଡାନୀ ଗ୍ରୁପର ପ୍ରକଳ୍ପକୁ ରୋକିବାକୁ ଚେଷ୍ଟା କରାଯାଇଛି । ଏହି ବନ୍ଦର ପାଇଁ ଆବଶ୍ୟକୀୟ ସାମଗ୍ରୀ ନେଇ ଯାଉଥିବା ବାହନ ଗୁଡିକୁ ରୋକା ଯାଇଥିଲା । ଏହି ମାମଲାରେ ରବିବାର ଦିନ 15 ଜଣ ପାଦ୍ରୀଙ୍କ ବିରୁଦ୍ଧରେ ଅଭିଯୋଗ ହୋଇଥିଲା । ଏମାନଙ୍କ ମଧ୍ୟରେ ଆର୍କ ବିଶପ ଥମାସ ଜେ ନାଟ୍ଟୋ , ଫାଦର କିଟୁ ଦାସ, ୟୁଗିନ ପରେରା ସମେତ ଅନ୍ୟ ମାନଙ୍କ ନାମ ରହିଥିଲା ।
ଏହି ବନ୍ଦର ନିର୍ମାଣକୁ ବିରୋଧ କରି ଗତ 120 ଦିନ ଧରି କୌଣସି ପ୍ରକାର କାମ କରାଇ ଦିଆଯାଉ ନ ଥିଲା । ଏହା ପରେ କମ୍ପାନୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବା ପରେ କମ୍ପାନୀର କାମ ଆରମ୍ଭ କରିବାକୁ କୋର୍ଟ ନିର୍ଦେଶ ଦେଇଥିଲେ ।