ସରକାର ଗରୀବ ଲୋକ ମାନଙ୍କ ପାଇଁ ଅନେକ କଲ୍ୟାଣକାରୀ ଯୋଜନା ଲାଗୁ କରିଛନ୍ତି । ଏହି ଯୋଜନାରେ ସରକାର ହଜାର ହଜାର କୋଟି ଟଙ୍କା ବ୍ୟୟ କରୁଛନ୍ତି । ହେଲେ ଅନେକ କ୍ଷେତ୍ରରେ ଦେଖାଯାଉଛି ଯେ ଏହି ଗରୀବ କଲ୍ୟାଣ ଯୋଜନାରେ ଅଯୋଗ୍ୟ ଓ ଧନୀ ହିତାଧିକାରୀଙ୍କୁ ସାମିଲ କରାଯାଉଛି । ଏହି କାରଣରୁ ସରକାର ଟଙ୍କା ଖର୍ଚ ପରେ ବି ରାଜ୍ୟରେ ଗରିବି କମୁନି।
ଯାହାର ସଦ୍ୟତମ ଉଦାହରଣ ପଞ୍ଜାବର ଏହି ଦୃଶ୍ୟ। ପଂଜାବରେ ଗରୀବ ଲୋକମାନଙ୍କ ପାଇଁ ଗହମ ଉପଲବ୍ଧ କରାଯାଉଥିବା ଦୋକାନରେ ଧନୀ ଶ୍ରେଣୀର ଲୋକ ମଧ୍ୟ ଦୁଇ ଟଙ୍କା କିଲୋରେ ଗହମ କିଣୁଛନ୍ତି।
ଆପଣଙ୍କ ସାମ୍ନାରେ ଥିବା ଏହି ଭିଡିଓରେ ଜଣେ ବ୍ୟକ୍ତି ମର୍ସିଡିଜ କାରରୁ ଓହ୍ଲାଉଛନ୍ତି । ସେ ଓହ୍ଲାଇବା ପରେ 2 ଟଙ୍କିଆ ଗହମ ବସ୍ତାରେ ବୋହି ନେଇ ଡିକିଲେ ଲଦୁଛନ୍ତି।
ଘଟଣା ଦେଖି କିଛି ଲୋକ କାରରେ ଆସିଥିବା ଲୋକକୁ ଏ ବାବଦରେ ପଚାରୁଛନ୍ତି। ଉତ୍ତର ମିଳୁଛି, ଏ କାର ମୋ ସାଙ୍ଗର, ମୋର ନୁହେଁ। ପ୍ରଥମ ଥର ପାଇଁ ମୁଁ ଗହମ ଆଣିବାକୁ ଆସିଛି ବୋଲି, ଉକ୍ତ ବ୍ୟକ୍ତି କହିଛନ୍ତି।
ସରକାରୀ ସାମଗ୍ରୀ ବିକୁଥିବା ଡିଲଙରଙ୍କୁ ପଚାରିବାରୁ ସେ କହିଛନ୍ତି, ଯେତେବେଳେ ଉକ୍ତ ବ୍ୟକ୍ତି ମର୍ସିଡିଜରୁ ଓହ୍ଲାଇଲେ ମୁଁ ଭାବିଲି ସେ ଭୁଲରେ ଚାଲି ଆସିଛନ୍ତି। ହେଲେ ଉକ୍ତ ବ୍ୟକ୍ତି ଜଣଙ୍କ ଦୋକାନକୁ ଯାଇ ବିପିଏଲ କାର୍ଡ ଦେଖାଇଥିଲେ । କାର୍ଡ ଦେଖାଇବା ପରେ ଦୋକାନ ତାଙ୍କୁ ମଧ୍ୟ ୨ ଟଙ୍କା ମୂଲ୍ୟରେ ଗହମ ଦେଇଥିଲେ ।
ଭିଡିଓଟି ପଂଜାବର ହୋଶିୟାରପୁରର ବୋଲି କୁହାଯାଉଛି । ବର୍ତ୍ତମାନ ଭିଡିଓ ସୋସିଆଲ ମି଼ଡିଆରେ ଭାଇରାଲ ହେଉଛି। ଆଉ ସମାଲୋଚିତ ହେଉଛନ୍ତି ପଞ୍ଜାବର ଆପ୍ ସରକାର। ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ଲାଲଚନ୍ଦ କଟାରୁଚକ ଏହାର ଯାଞ୍ଚ କରିବାକୁ ନିର୍ଦେଶ ଦେଇଛନ୍ତି ।
ଭାରତ ଖବର ଆହୁରି ପଢ଼ନ୍ତୁ ।