କିନ୍ତୁ ପାଠକବନ୍ଧୁ ଆପଣଙ୍କୁ ଜଣାଇବାକୁ ଚାହୁଁଛୁ କି, ଏବେ ଏକ ଗବେଷଣା ସନ୍ଦର୍ଭ କହିଛି, ଲକ୍ଷ ଲକ୍ଷ ବର୍ଷ ପୁରୁଣା ଭୂତାଣୁ କର୍କଟ ରୋଗ ଚିକିତ୍ସାରେ ଲାଗିପାରିବ। ଶୁଣି ଆଶ୍ଚର୍ଯ୍ୟ ଲାଗୁଥିଲେ ବି କଥାଟା ସତ। ନେଚର ପତ୍ରିକାରେ ପ୍ରକାଶିତ ଏକ ରିପୋର୍ଟରୁ ଜଣାପଡିଛି ଯେ ଲକ୍ଷ ଲକ୍ଷ ବର୍ଷ ପୁରୁଣା ଭୂତାଣୁଙ୍କର ଅବଶେଷ ମଣିଷର ଡିଏନଏ ଭିତରେ ଲୁଚି ରହିଥିବାର ଆଶା ରହିଛି। ଏହା ଶରୀରକୁ କର୍କଟ ରୋଗ ସହ ଲଢ଼ିବାରେ ସାହାଯ୍ୟ କରିପାରେ।
ବୈଜ୍ଞାନିକମାନେ ଅନୁମାନ କରୁଛନ୍ତି ଯେ ଫୁସଫୁସ କର୍କଟରୁ ମୁକ୍ତି ପାଇଁ ଏହି ଅନୁସନ୍ଧାନ ଉପଯୋଗୀ ହୋଇପାରେ। ଫୁସଫୁସ କର୍କଟ ଫୁସଫୁସରୁ ଆରମ୍ଭ ହୋଇ ଅନ୍ୟ ଅଙ୍ଗକୁ ବ୍ୟାପିଥାଏ । ଯାହା ଅତ୍ୟନ୍ତ କ୍ଷତିକାରକ। କୋଷଗୁଡ଼ିକର ଅନିୟନ୍ତ୍ରିତ ବୃଦ୍ଧି ଯୋଗୁ ଏପରି ଘଟିଥାଏ। ଯେତେବେଳେ ଫ୍ରାନ୍ସିସ କ୍ରିକ ପ୍ରତିଷ୍ଠାନର ବୈଜ୍ଞାନିକମାନେ ଫୁସଫୁସ କର୍କଟ ଏବଂ ଆନୁଷଙ୍ଗିକ ଇମ୍ୟୁନୋଥେରାପି ଅଧ୍ୟୟନ କରୁଥିଲେ, ସେମାନେ ଜାଣିବାକୁ ପାଇଥିଲେ, ଯେତେବେଳେ କର୍କଟ କୋଷଗୁଡ଼ିକ ନିୟନ୍ତ୍ରଣରୁ ବାହାରକୁ ଚାଲି ଯାଆନ୍ତି, ସେତେବେଳେ ନିଷ୍କ୍ରିୟ ଅବଶିଷ୍ଟାଂଶ ସକ୍ରିୟ ହୋଇଯାଏ ଏବଂ ପ୍ରତିରକ୍ଷା ପ୍ରଣାଳୀକୁ ଟ୍ୟୁମର ଉପରେ ଆକ୍ରମଣ କରିବାରେ ସାହାଯ୍ୟ କରେ।