ତେବେ ଏତିକି ଥଣ୍ଡାରେ ଯଦି ଆପଣ ଭାବୁଥିବେ ଥଣ୍ଡାର ଶିଖର ଛୁଇଁଛି, ତେବେ ଆପଣ ଭୁଲ ଚିନ୍ତା କରୁଛନ୍ତି। କାରଣ ଶୀତ ଲହରକୁ ନେଇ ବର୍ତ୍ତମାନ ଯେଉଁ ରିପୋର୍ଟ ସାମ୍ନାକୁ ଆସିଛି ତାହା ବେଶ ଆଶ୍ଚର୍ଯ୍ୟଚକ୍କିତ ଆଉ ଭୟାନକ। ରିପୋର୍ଟ ମୁତାବିକ ଥଣ୍ଡା କେବଳ ଟ୍ରେଲର ଦେଖାଇଛି, ରାଜଧାନୀ ଦିଲ୍ଲୀ ସମେତ ସମଗ୍ର ଉତ୍ତର ଭାରତରେ ଆଗାମୀ ଦିନରେ ଥଣ୍ଡାର ଜୋରଦାର ପ୍ରକୋପ ଦେଖିବାକୁ ମିଳିବ। ପାଣିପାଗ ବିଭାଗ ଅନୁସାରେ, ପଶ୍ଚିମ ଭାଗରେ ପାଗର ଯେଉଁ ପରିବର୍ତ୍ତନ ହୋଇଛି, ତାପାମାତ୍ରା ସାମାନ୍ୟ ଆହୁରି ତଳକୁ ଖସିବାରେ ଲାଗିବ। ତାପମାତ୍ରାର ଏହି ପରିବର୍ତ୍ତନ କେବଳ ରାତି ଆଉ ସକାଳେ ନୁହେଁ ଦିନ ବେଳା ମଧ୍ୟ ଦେଖିବାକୁ ମିଳିବ।
ପାଣିପାଗ ବିଭାଗର କହିବା ଅନୁସାରେ, ଉତ୍ତର ପଶ୍ଚିମ ଭାରତରେ ଶୀତର ପ୍ରକୋପ ପୁଣି ଥରେ ଦେଖିବାକୁ ମିଳିବ। ଉତ୍ତର ଭାରତରେ ୧୫ରୁ ୧୯ ଜାନୁଆରୀ ମଧ୍ୟରେ ଜୋରଦାର ଥଣ୍ଡା ପଡ଼ିବ। ୧୬ରୁ ୧୮ ତାରିଖ ମଧ୍ୟରେ ଶୀତଲହର ପୂରା ଶିଖର ଛୁଇଁ ପାରେ। ଏହି ଉତ୍ତର ପଶ୍ଚିମ ଓ ମଧ୍ୟ ଭାରତର କିଛି ରାଜ୍ୟରେ ତାପମାତ୍ରା ୨ରୁ ୪ ଡିଗ୍ରୀ ହ୍ରାସ ପାଇପାରେ। ଅନେକ ଅଞ୍ଚଳରେ ତାପମାତ୍ରା ଶୂନ୍ୟରୁ ମାଇନସ ୪ ଡିଗ୍ରୀକୁ ତାପମାତ୍ରା ହ୍ରାସ ହୋଇପାରେ। ଏହା ଘନ କୁହୁଡିକୁ ନେଇ ମଧ୍ୟ ଆଲର୍ଟ ଜାରି କରାଯାଇଛି। ଯଦି ଏହି ଭବିଷ୍ୟବାଣୀ ସତ ହୁଏ, ତେବେ ଦେଶରେ ଥଣ୍ଡାର ସଵୁ ରେକର୍ଡ ଭାଙ୍ଗିଯିବ, ଯାହା ବେଶ ଚିନ୍ତାଜନକ। କାରଣ ବର୍ତ୍ତମାନର ଶୀତର ପ୍ରକୋପକୁ ସମ୍ଭାଳିବା ଲୋକଙ୍କ ପାଇଁ ବେଶ କଷ୍ଟ ସାଧ୍ୟ ହୋଇପଡୁଛି। ଯେତେବେଳେ ତାପମାତ୍ରା ଶୂନ କିମ୍ଵା ମାଇନସ ୪ ହେବ ସେତେବେଳେ କଣ ହୋଇପାରେ। ଏଭଳି ହାଡ଼ ଭଙ୍ଗା ଶୀତରେ କେମିତି ରହିବେ ଲୋକେ।
ସାଧାରଣତଃ ଦିଲ୍ଲୀରେ ଡିସେମ୍ଵର ଶେଷ କିମ୍ଵା ଜାନୁଆରୀ ପ୍ରଥମ ସପ୍ତାହରେ ଜୋରଦାର ଶୀତ ଅନୁଭୁତ ହୋଇଥାଏ। କିନ୍ତୁ, ଚଳିତ ଥର ଜାନୁଆରୀର ତୃତୀୟ ସପ୍ତାହରେ ଶୀତର ପ୍ରକୋପ ସଵୁ ରେକର୍ଡ ଭାଙ୍ଗିବାକୁ ଯାଉଛି। ଏହାର କାରଣ ପଶ୍ଚିମରୁ ଆସୁଥିବା ଥଣ୍ଡା ପବନ। ଯାହା ଗୁଜରାଟ ଓ ରଜସ୍ଥାନର କିଛି ଅଞ୍ଚଳରେ ପ୍ରବାହିତ ହେଉଛି। ଯାହା ଆଗାମୀ ୨୪ ଘଣ୍ଟା ମଧ୍ୟରେ ରାଜଧାନୀ ଦିଲ୍ଲୀରେ ଏଣ୍ଟ୍ରି କରିପାରେ। ପରେ ତାପମାତ୍ରା ହଠାତ୍ ହ୍ରାସ ପାଇବ। ଆଉ ଶୀତର ଏହି ପ୍ରକୋପ ଜାନୁଆରୀ ୧୯ ପର୍ଯ୍ୟନ୍ତ ଜାରି ରହିବ।
ପାଣିପାଗ ବିଭାଗର କହିବା ଅନୁସାରେ, ଆଗାମୀ ଦିନରେ ପଶ୍ଚିମ ଭାଗରେ ଗୋଟିଏ ପରେ ଗୋଟିଏ ପାଗରେ ପରିବର୍ତ୍ତନ ହୋଇପାରେ। ଏହି ପରିବର୍ତ୍ତନ ପାହଡ଼ରେ ହେବା ସମୟରେ ସମତଳ ଅଞ୍ଚଳରେ ତାପମାତ୍ରା ବଢିବାରେ ଲାଗିଥାଏ। କିନ୍ତୁ ପାହଡ଼ରେ ଯେତେବେଳେ ବରଫ ପଡ଼ିବା ବନ୍ଦ ହୋଇଥାଏ, ପରେ ସମତଳ ଅଞ୍ଚଳରେ ତାପମାତ୍ରା ହ୍ରାସ ପାଇବାରେ ଲାଗିଥାଏ। ପାହଡ଼ରେ ଗତ କିଛିଦିନ ହେବ ଜୋରଦାର ବରଫ ପଡ଼ିବାରେ ଲାଗିଛି।
ବର୍ତ୍ତମାନ ଭାରତର ଅନେକ ପାହାଡ଼ିଆ ଅଞ୍ଚଳ ବରଫ ଚାଦରରେ ଢାଙ୍କି ହୋଇ ରହିଛି। ଜମ୍ମୁ କାଶ୍ମୀରର କୁଫଓଵାଡ଼ାରେ ୫ ସେଣ୍ଟିମିଟରରୁ ଅଧିକ ବରଫ ଗଦା ହୋଇସାରିଛି। ଏହି ବରଫ ଚାଦରରେ ପୂରା କୁଫୱାଡ଼ା ଢାଙ୍କି ହୋଇରହିଛି। ହିମାଚଳ ପ୍ରଦେଶର ବି ଅନେକ ଅଞ୍ଚଳ ବରଫରେ ଢାଙ୍କି ହୋଇ ରହିଛି। ଯାହାର ପ୍ରଭାବ ବର୍ତ୍ତମାନ ଉତ୍ତର ଭାରତରେ ଦେଖିବାକୁ ମିଳିବ।