ଅର୍ଗସ ବ୍ୟୁରୋ: ସାରା ଦେଶରେ ନାଗରିକ ସଂଶୋଧନ ଆଇନ୍କୁ ନେଇ ଚର୍ଚ୍ଚା ଜୋର୍ ଧରିଛି । ଗୋଟିଏ ପଟେ କଂଗ୍ରେସ ଏହାକୁ ବିରୋଧ କରି ପରୋକ୍ଷରେ ହିଂସା ଭିଆଉଥିବା କୁହାଯାଉଥିବା ବେଳେ ବିଜେପି ଏହାର ସମର୍ଥନରେ ରାଲି ବାହାର କରିଛି । ଏବଂ ସିଏଏ କ’ଣ ସେନେଇ ଦେଶବାସୀଙ୍କୁ ସଚେତନ କରୁଛି ।
ତେବେ ଏଭଳି ପରିସ୍ଥିତିରେ ରାହୁଲଙ୍କୁ ସିଧା ସଳଖ ପୁଣି ଟାର୍ଗେଟ୍ କରିଛନ୍ତି ଗୃହମନ୍ତ୍ରୀ ଅମିତ ଶାହ । ସେ କହିଛନ୍ତି ରାହୁଲ ସିଏଏକୁ ବୁଝି ପାରିନାହାନ୍ତି । କାରଣ ତାହା ଇଟାଲିରେ ଲେଖାଯାଇ ନାହିଁ । ରାହୁଲ ଯଦି କହିବେ ତେବେ ତାଙ୍କୁ ସ୍ୱତନ୍ତ୍ର ଭାବେ ଇଟାଲୀରେ ଅନୁବାଦ କରି ସିଏଏ କ’ଣ ବୁଝାଯିବ । ଏଭଳି କହିବା ସହ ରାହୁଲଙ୍କୁ ତାତ୍ସଲ୍ୟ କରିଛନ୍ତି ଶାହ । ଆଉ ଶାହଙ୍କ ଏଭଳି ମନ୍ତବ୍ୟ ପରେ ସାରା ଦେଶରେ ଏହା ଚର୍ଚ୍ଚାର ବିଷୟ ପାଲଟିଛି ।
ବିଭିନ୍ନ ସମୟରେ କଂଗ୍ରେସ ଏବଂ ରାହୁଲ ଗାନ୍ଧି ସିଏଏ ବିରୋଧରେ ମନ୍ତବ୍ୟ ଦେଉଥିବା ଦେଖାଯାଇଛି । ତେବେ ସିଏଏ ଦ୍ୱାରା କୌଣସି ଭାରତୀୟ ନାଗରିକର ଫରକ ପଡ଼ିବ ନାହିଁ ବୋଲି କୁହାଯାଉଥିବା ବେଳେ କଂଗ୍ରେସ ଏହାର ଓଲାଟା ପ୍ରଚାର କରୁଥିବା ଅଭିଯୋଗ ହୋଇଛି । ସିଏଏକୁ ବିଭିନ୍ନ ବୁଦ୍ଧିଜୀବୀ ମହଲରେ ସ୍ୱାଗତ କରାଯାଇଥିବା ବେଳେ କଂଗ୍ରେସ କିନ୍ତୁ ଏହାକୁ ବିରୋଧ ଜାରି ରଖିଛି ।
ତେବେ ଯେତେ ଆନ୍ଦୋଳନ ହେଲେ ବି ବିଜେପି ଗୋଟିଏ ଇଞ୍ଚ ମଧ୍ୟ ପଛକୁ ହଟିବ ନାହିଁ ବୋଲି ଚରମବାଣୀ ଶୁଣାଇଛନ୍ତି ଶାହ । ରାଜସ୍ଥାନ ଯୋଧପୁରରେ ଏକ ରାଲିରେ ଉଦବୋଧନ୍ ଦେଇ ସେ କହିଛନ୍ତି ଯେ, ଯଦି ସବୁ ଦଳ ସିଏଏ ବିରୋଧରେ ଏକାଠି ହୁଅନ୍ତି, ତଥାପି ବିଜେପି ଇଞ୍ଚେ ମଧ୍ୟ ପଛକୁ ହଟିବ ନାହିଁ । ଏଭଳି କଥା କହି ବିରୋଧୀ କଂଗ୍ରେସକୁ ଘେରିଛନ୍ତି ଶାହ । ସିଧାସଳଖ ରାହୁଲଙ୍କୁ ଟାର୍ଗେଟ କରି ବିତର୍କ ପାଇଁ ଆହ୍ୱାନ ମଧ୍ୟ ଦେଇଛନ୍ତି ଶାହ । ଯଦି ରାହୁଲ ସିଏଏ ଆଇନକୁ ବୁଝିପାରୁନାହାନ୍ତି ତେବେ ଏହାକୁ ଇଟାଲିରେ ଅନୁବାଦ କରିଦେବେ ବୋଲି କହିଛନ୍ତି ଶାହ ।
