
ନୂଆଦିଲ୍ଲୀ : ଦିଲ୍ଲୀର ମୌଜପୁରରେ ନାଗରିକତା ଆଇନ ସଂଶୋଧନ ସମର୍ଥକ-ବିରୋଧୀ ମୁହାଁମୁହିଁ। ଉଭୟ ଗୋଷ୍ଠୀ ରାସ୍ତାରେ ନିଆଁ ଜାଳି ପରସ୍ପର ଉପରକୁ ପଥର ଫୋପଡା ଫୋପଡି ହୋଇଛନ୍ତି। ଏପରିକି ବିରୋଧ ପ୍ରଦର୍ଶନ ସମୟରେ ଗୁଳି ଚାଳନା ହୋଇଛି। ଉପଦ୍ରବକାରୀମାନେ ବହୁ ଘରେ ନିଆଁ ଲଗାଇ ଦେଇଛନ୍ତି। ଏହି ତାଣ୍ଡବଲୀଳା ଦ୍ଵିପ୍ରହର ୧୧ଟାରୁ ୨ଟା ଯାଏଁ ଚାଲିଥିଲା। ଫଳରେ ଭିଡ଼କୁ ନିୟନ୍ତ୍ରଣ କରିବାକୁ ବାଧ୍ୟ ହୋଇ ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା। ଏପରିକି ଏହି ହିଂସାକାଣ୍ଡରେ ଦିଲ୍ଲୀର ଜଣେ ହେଡ୍ ପୁଲିସ କନେଷ୍ଟବଳ ରତନ ଲାଲଙ୍କ ମୃତ୍ୟୁ ହୋଇଛି। ସେ ଏସିପି ଗୋକୁଲପୁରୀଙ୍କ କାର୍ଯ୍ୟାଳୟରେ ନିୟୋଜିତ ଥିଲେ।
ମୌଜପୁରରେ ନାଗରିକତା ଆଇନ ସଂଶୋଧନ ସମର୍ଥକଙ୍କ ବିରୋଧୀ ପରସ୍ପର ସହ ମୁହାଁମୁହିଁ ହୋଇଛନ୍ତି। ଉଭୟ ଗୋଷ୍ଠୀ ପରସ୍ପର ଉପରକୁ ପଥର ଫୋପଡାଫୋପଡି ହୋଇଛନ୍ତି। ଏନେଇ ଜଣେ ପୁଲିସ ଅଧିକାରୀ କହିଛନ୍ତି ଯେ, ନର୍ଥ-ଇଷ୍ଟ ଦିଲ୍ଲୀରେ ନାଗରିକତା ସଂଶୋଧନ ଆଇନକୁ ନେଇ ତୀବ୍ର ବିରୋଧ ପ୍ରଦର୍ଶନ କରାଯାଉଛି। ଏହି ହିଂସାକାଣ୍ଡରେ ଜଣେ ହେଡ଼ କନେଷ୍ଟବଳଙ୍କ ମୃତ୍ୟୁ ହୋଇଛି। ବହୁ ପୁଲିସକର୍ମୀ ଆହତ ହୋଇଛନ୍ତି। ବିରୋଧ ପ୍ରଦର୍ଶନକାରୀମାନେ ବହୁ ବାହାନ, ଦୋକାନ ଏବଂ ଘରେ ନିଆଁ ଲଗାଇ ଦେଇଛନ୍ତି।
ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିଶୋଦିଆ ଦିଲ୍ଲୀବାସୀଙ୍କୁ ଶାନ୍ତିରକ୍ଷା କରିବାକୁ ଅପିଲ କରିଛନ୍ତି। ସେ କହିଛନ୍ତି ଯେ, ହିଂସାକାଣ୍ଡରେ ସମସ୍ତଙ୍କର କ୍ଷତି ହେଉଛି। ହିଂସାର ଅଗ୍ନି ସମସ୍ତଙ୍କ ଏଭଳି କ୍ଷତି ପହଁଚାଏ ଯାହାକୁ ଭରଣା ହୋଇ ପାରିବ ନାହିଁ।

