ଶ୍ରୀ ପ୍ରଧାନ କହିଛନ୍ତି ଯେ ଲୋକାର୍ପିତ ଏହି କୋଭିଡ୍ ହସ୍ପିଟାଲରେ ଆଗାମୀ ଦିନରେ ଦୁଇଟି ପର୍ଯ୍ୟାୟରେ ଅକ୍ସିଜେନ୍ ସଂଯୁକ୍ତ ବେଡ୍ ସଂଖ୍ୟା ୫୦୦କୁ ବଢ଼ାଯିବାର ଯୋଜନା ରହିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବର୍ତମାନର କୋଭିଡ୍ ମହାମାରୀର ସଂକଟ ସମୟରେ ଦେଶର ଇସ୍ପାତ୍ ପ୍ଲାଂଟ୍ ନିକଟରେ କୋଭିଡ୍ ହସ୍ପିଟାଲ ନିର୍ମାଣ କରିବା ପାଇଁ ଆହ୍ୱାନ କରିଛନ୍ତି । କୋଭିଡ୍-୧୯ ମୁକାବିଲାରେ ଭାରତକୁ ମଜବୁତ୍ କରିବା ପାଇଁ ‘ଯେଉଁଠି ସମସ୍ୟା, ସେଇଠି ଚିକିତ୍ସା’, ଏଭଳି ପରିକଳ୍ପନା ପ୍ରଧାନମନ୍ତ୍ରୀ କରିଛନ୍ତି । ଏହି ପରିପ୍ରେକ୍ଷୀରେ ଛତିଶଗଡ଼ ଭିଲାଇ ଇସ୍ପାତ୍ କାରଖାନା ନିକଟରେ ଆରମ୍ଭ ହୋଇଥିବା ଏହି ଅତିରିକ୍ତ ମେଡ଼ିକାଲ ସୁବିଧା କୋଭିଡ୍-୧୯ ରୋଗୀଙ୍କୁ ଚିକିତ୍ସା ପ୍ରଦାନ କରିବାରେ ସହାୟକ ହେବ । ଏହି ଅବସରରେ ଶ୍ରୀ ପ୍ରଧାନ ଛତିଶଗଡର ଲୋକପ୍ରତିନିଧିଙ୍କ ଅନୁରୋଧକୁ ରଖି ଭିଲାଇରେ ୫୦ଟି ଆଇସିୟୁ ବେଡର ବ୍ୟବସ୍ଥା କରିବାକୁ ପ୍ରତିଶୃତି ଦେଇଛନ୍ତି।
ଦେଶରେ ଇସ୍ପାତ୍ କାରଖାନାମାନେ ଇସ୍ପାତ୍ ଉତ୍ପାଦନ କମ୍ କରି ଅକ୍ସିଜେନ୍ ଉତ୍ପାଦନକୁ ଅଧିକ ଗୁରୁତ୍ୱ ଦେଇ ବିଭିନ୍ନ ମେଡ଼ିକାଲ ପର୍ଯ୍ୟନ୍ତ ଅକ୍ସିଜେନ୍ ପହଁଚାଇ ଉଦାହରଣ ତିଆରି କରିଛନ୍ତି । ଦେଶକୁ ଅକ୍ସିଜେନ୍ ଯୋଗାଇବା ଦିଗରେ ଭିଲାଇ ଇସ୍ପାତ୍ କାରଖାନାର ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଓଡ଼ିଶା ହେଉ କିମ୍ବା ଛତିଶଗଡ଼ ଏ ଦୁଇଟି ରାଜ୍ୟରେ ଥିବା ସବୁ ଇସ୍ପାତ୍ କାରଖାନାମାନେ କୋଭିଡ୍-୧୯ ସମୟରେ ନିଜର ଦାୟିତ୍ୱକୁ ପାଳନ କରିଛନ୍ତି । ଭିଲାଇ ଇସ୍ପାତ୍ କାରଖାନା ଚଳିତବର୍ଷ ଏପ୍ରିଲ ଏବଂ ମେ ମାସରେ ୨୦ ହଜାର ଲିକ୍ୟୁଇଡ୍ ମେଡ଼ିକାଲ ଅକ୍ସିଜେନ୍ ଉତ୍ପାଦନ କରିଛି । ସମସ୍ତଙ୍କ ସହଯୋଗରେ ଲୋକଙ୍କୁ ଅକ୍ସିଜେନ୍ ଯୋଗାଯାଇପାରିଛି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତ ସରକାର ସମସ୍ତଙ୍କୁ ମାଗଣାରେ ଟିକା ଦେବାକୁ ଘୋଷଣା କରିଥିବା ବେଳେ ଏହି ଟିକାକରଣକୁ ତ୍ୱରାନ୍ୱିତ କରିବା ପାଇଁ ଛତିଶଗଡ ସରକାରଙ୍କ ସହ କର୍ପୋରେଟ୍ ଅନୁଷ୍ଠାନ ଗୁଡିକ ମିଳିତ ଭାବେ କାମ କରିବାକୁ ଆହ୍ୱାନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ । ସେ କହିଛନ୍ତି ଯେ ଦେଶର କର୍ପୋରେଟ୍ ଅନୁଷ୍ଠାନ ଯଥା ତୈଳ ପିଏସୟୁ ଏବଂ ଇସ୍ପାତ୍ ମନ୍ତ୍ରଣାଳୟର କର୍ପୋରେଟ୍ ଅନୁଷ୍ଠାନ ଗୁଡିକ ନିଜର ସମସ୍ତ କର୍ମଚାରୀ ଏବଂ ସେମାନଙ୍କ ପରିବାର ସଦସ୍ୟଙ୍କୁ ଟିକା ଲଗାଉଛନ୍ତି ।
ସେହିପରି ଛତିଶଗଡରେ ସେଲ୍ ଭଳି ଅନ୍ୟାନ୍ୟ କର୍ପୋରେଟ୍ ଅନୁଷ୍ଠାନ ଗୁଡିକ ମଧ୍ୟ ଛତିଶଗଡରେ କମରୁ କମ୍ ସମୟ ମଧ୍ୟରେ ଟିକାକରଣକୁ ବଢାଇବା ପାଇଁ ଛତିଶଗଡ ସରକାରଙ୍କ ସହ ମିଶି କରି କାମ କରନ୍ତୁ । ଏହି ଲୋକାର୍ପଣ କାର୍ଯ୍ୟକ୍ରମରେ କେନ୍ଦ୍ର ଇସ୍ପାତ୍ ରାଷ୍ଟ୍ର ମନ୍ତ୍ରୀ ଫଗନ ସିଂହ କୁଲସ୍ତେ, ଛତିଶଗଡ଼ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଟି.ଏସ.ସିଂହ ଦେବ, ଛତିଶଗଡ଼ ଲୋକ ନିର୍ମାଣ ବିଭାଗ ମନ୍ତ୍ରୀ ତାମ୍ରଧ୍ୱଜ ସାହୁ, ସେଲ୍ ଅଧ୍ୟକ୍ଷା ସୋମା ମଣ୍ଡଳ ଭିସି ଜରିଆରେ ଉପସ୍ଥିତ ଥିଲେ ।