ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ଆରପିଏନ୍ ସିଂହଙ୍କ ଭଳି ବ୍ୟକ୍ତିତ୍ୱ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ ନେତୃତ୍ୱକୁ ସ୍ୱୀକାର କରି ବିଜେପିରେ ମିଶିଛନ୍ତି । ଏହା ଦଳ ପାଇଁ ଏକ ଶୁଭ ସଂଙ୍କେତ । ଶ୍ରୀ ସିଂହ ଅନେକ ଥର ବିଧାୟକ, ଲୋକସଭା ପ୍ରତିନିଧିତ୍ୱ ତଥା ଭାରତ ସରକାରରେ ମନ୍ତ୍ରୀ ଭାବରେ ଦାୟିତ୍ୱ ନିର୍ବାହ କରିଛନ୍ତି । କଂଗ୍ରେସ ପାର୍ଟିର ବିଭିନ୍ନ ସଂଗଠନାତ୍ମକ କାମକୁ ମଧ୍ୟ ଦାୟିତ୍ୱସମ୍ପନ୍ନ
ଭାବେ ପାଳନ କରିଛନ୍ତି ।
କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଭାରତୀୟ ଜନତା ପାର୍ଟି ୟୁପିର ଜନସାଧାରଣଙ୍କ ଆସ୍ଥାଭାଜନ ହୋଇପାରିଛି ।ଉତ୍ତରପ୍ରଦେଶରେ ନିର୍ବାଚନ ପ୍ରକ୍ରିୟା ଜାରୀ ରହିଥିବା ବେଳେ ଆମ ଦଳ ବିଜେପି ପ୍ରଧାନମନ୍ତ୍ରୀ ମୋଦିଙ୍କ ଲୋକକଲ୍ୟାଣକାରୀ ନେତୃତ୍ୱ, ଉତ୍ତରପ୍ରଦେଶ ସରକାରଙ୍କ ସୁଶାସନ ଏବଂ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଯୋଗୀ
ଆଦିତ୍ୟନାଥଙ୍କ ନେତୃତ୍ୱରେ ନିର୍ବାଚନ ଲଢ଼ୁଛି ।
ରାଜ୍ୟର ବିକାଶ, ଗରିବ କଲ୍ୟାଣ ଯୋଜନା ଏବଂ ୟୁପିରେ
ବଦଳିଥିବା ଆଇନ ବ୍ୟବସ୍ଥାକୁ ନେଇ ନିର୍ବାଚନ ଲଢ଼ାଯାଉଛି । ଏହି ସମୟରେ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱକୁ ସ୍ୱୀକାର କରି ବିକାଶର ପ୍ରସଙ୍ଗ ତଥା ଗରିବ କଲ୍ୟାଣକୁ ବିଶ୍ୱାସ କରି ଉତ୍ତରପ୍ରଦେଶକୁ ଦେଶର ଅଗ୍ରଣୀ ରାଜ୍ୟ କରିବା ପାଇଁ ଆରପିଏନ୍ ସିଂହ ଯୋଗ ଦେଇଛନ୍ତି । ଏହା ଦଳ ଓ ୟୁପିବାସୀଙ୍କ ପାଇଁ ଖୁସିର ବିଷୟ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।
ଏହି ମିଶ୍ରଣ ପର୍ବରେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ, କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ଅନୁରାଗ ଠାକୁର, ଉତ୍ତରପ୍ରଦେଶ ବିଜେପିର ଅଧ୍ୟକ୍ଷ ସ୍ୱତନ୍ତ୍ର ଦେବ ସିଂହ ପ୍ରମୁଖ ଉପସ୍ଥିତ ଥିଲେ ।