ଅର୍ଗସ ବ୍ୟୁରୋ : ଆଦିବାସୀଙ୍କ ଠାକୁର କଣ୍ଟିଲୋ ନିଳମାଧବଙ୍କ ଆଶିର୍ବାଦ ନେଇ ଦିଲ୍ଲୀ ଅଭିମୁଖେ ବାହାରିଲେ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ । ବିମାନ ବନ୍ଦରରେ ଦ୍ରୌପଦୀ ମୁର୍ମୁଙ୍କୁ ସ୍ଵାଗତ କରିବା ପାଇଁ ବିଜେପି ପକ୍ଷରୁ ବ୍ୟାପକ ପ୍ରସ୍ତୁତି ହୋଇଥିଲା । ଆଦିବାସୀ ନୃତ୍ୟ, ବାଜାରେ କମ୍ପିଥିଲା ପୂରା ପରିବେଶ । ଦିଲ୍ଲୀ ବିମାନ ବନ୍ଦରରୁ ବାହାରି ଦ୍ରୌପଦୀ ସିଧା ପହଂଚିଥିଲେ ଓଡ଼ିଶା ଭବନରେ । ଓଡ଼ିଶା ଭବନରେ ବି ହୋଇଥିଲା କଡା ସୁରକ୍ଷା ବ୍ୟବସ୍ଥା । ମୁତୟନ ହୋଇଥିଲେ ଦିଲ୍ଲୀ ପୋଲିସର ଯବାନ । ସୁରକ୍ଷା ବ୍ୟବସ୍ଥାର ତନ୍ନ ତନ୍ନ କରି ଯାଂଚ କରାଯାଇଛି । ଓଡ଼ିଶା ଭବନରେ ବ୍ୟବସ୍ଥା ଅନୁଧ୍ୟାନ କରିଥିଲେ କେନ୍ଦ୍ର ମନ୍ତ୍ରୀ ଜି. କିଷନ ରେଡ୍ଡୀ ।
ଦ୍ରୌପଦୀ ମୁର୍ମୁ ନୂଆଦିଲ୍ଲୀରେ ପହଞ୍ଚିବା ପରେ ପ୍ରଥମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଥିଲେ । ଏହା ପରେ ଉପ ରାଷ୍ଟ୍ରପତି ଶ୍ରୀ ଏମ ଭେଙ୍କୟା ନାଇଡୁ ରକ୍ଷାମନ୍ତ୍ରୀ ରାଜନାଥ ସିଂ ପ୍ରମୁଖଙ୍କୁ ଭେଟ କରିଥିଲେ।
ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ଭେଟି ଶୁଭେଚ୍ଛା ଜଣାଇଛନ୍ତି ଗୃହମନ୍ତ୍ରୀ ଅମିତ ସାହା । ଶାହା କହିଛନ୍ତି ଯେ, ଦୌପଦୀଙ୍କ ନାମ ଘୋଷଣା ଦ୍ୱାରା ଆଦିବାସୀ ସମାଜ ଅତ୍ୟନ୍ତ ଗର୍ବିତ ଅନୁଭବ କରୁଛନ୍ତି । ଦୌପଦୀଙ୍କ ପୂର୍ବ ପ୍ରଶାସନିକ ଅଭିଜ୍ଞତା ସମଗ୍ର ଦେଶ ପାଇଁ ଲାଭଦାୟକ ହେବ ବୋଲି କହିଛନ୍ତି ସାହା।