ସେ କହିଛନ୍ତି ଯେ ତାଙ୍କ ବିରୁଦ୍ଧରେ କୌଣସି ଦୁର୍ନୀତିର ମାମଲା ନ ଥିଲା । ସେ କହିଥିଲେ ଯେ ଏହି କଥିତ ମିଛ ଏନକାଉଂଟର ମାମଲାରେ ସେ ଗୁଜରାତର ଗୃହ ମନ୍ତ୍ରୀ ଥିବା କାରଣରୁ ତାଙ୍କ ବିରୁଦ୍ଧରେ ମାମଲା ରୁଜୁ କରି ତାଙ୍କୁ ଗିରଫ କରିଥିଲା । ସିବିଆଇର ଅଧିକାରୀ ମାନେ ତାଙ୍କୁ ଗିରଫ କରିବା ପରେ ଯେଉଁ ପଚରା ଉଚୁରା କରିଥିଲେ ସେଥିରେ 90 ପ୍ରତିଶତ ପ୍ରଶ୍ନରେ କହିଥିଲେ ଯେ କାହିଁକି ହଇରାଣ ହେଉଛ, ମୋଦୀଙ୍କ ନାମ ନେଇ ଯାଅ, ଆମେ ତୁମକୁ ଛାଡି ଦେବୁ । ଏହା ସବୁ ସିବିଆଇର ରେକର୍ଡରେ ଏବେ ମଧ୍ୟ ରହିଥିବ । ଏଭଳି କହି ସେମାନେ ଏହି ମାମଲାରେ ମୋଦୀଙ୍କୁ ଅକାରଣରେ ଫସାଇବାକୁ ଚେଷ୍ଟା କରିଥିଲେ । ଶ୍ରୀ ଶାହ କହିଛନ୍ତି ଯେ ୟୁପିଏ ସରକାରର ଏଭଳି କାମ ପାଇଁ ଆମେ ତ କଳା କପଡା ପିନ୍ଧି ବିରୋଧ କରି ନ ଥିଲୁ । ଆମେ ତ କୌଣସି ବିରୋଧ କରି ନ ଥିଲୁ ।
ତତ୍କାଳୀନ କଂଗ୍ରେସ ସରକାର ଦ୍ୱାରା ମୋଦୀଜୀଙ୍କ ବିରୁଦ୍ଧରେ ଏସଆଇଟି ଗଠନ କରାଯାଇଥିଲା । ତାଙ୍କ ବିରୁଦ୍ଧରେ କୌଣସି ଦୁର୍ନୀତି ମାମଲା ନଥିଲା । ଦଙ୍ଗାରେ ସାମିଲ ଥିବା ନେଇ ମିଛ ମାମଲା କରାଯାଇଥିଲା । ପରବର୍ତୀ ସମୟରେ ସୁପ୍ରିମକୋର୍ଟ ଏହି ମାମଲାକୁ ଖାରଜ କରିଥିଲେ । ଆମେ ସେତେବେଳେ କୌଣସି ପ୍ରକାର ହାଇ ତୋବା କରି ନ ଥିଲୁ । ଆମେ କେବେ ହେଲେ କଳା କପଡା ପିନ୍ଧି ସଂସଦକୁ ଅବରୋଧ କରି ନ ଥିଲୁ । ରାହୁଲ ଗାନ୍ଧୀଙ୍କ ସଂସଦ ସଦସ୍ୟତା ରଦ୍ଦ ହେବା ସମ୍ପର୍କିତ ପ୍ରଶ୍ନରେ ମଧ୍ୟ ଶ୍ରୀ ଶାହ କଡା ଉତ୍ତର ଦେଇଛନ୍ତି ।
ଶ୍ରୀ ଶାହ କହିଛନ୍ତି ଯେ ରାହୁଲ ଗାନ୍ଧୀ ପ୍ରଥମ ନେତା ନୁହନ୍ତି ଯାହାଙ୍କୁ ନ୍ୟାୟାଳୟ ଦ୍ୱାରା ଦୋଷୀ ସାବ୍ୟସ୍ତ କରାଯିବା ପରେ ସଦସ୍ୟତା ଚାଲି ଯାଇଛି । ଏହା ପୂର୍ବରୁ ଅନେକ ନେତାଙ୍କର ସଦସ୍ୟତା ରଦ୍ଦ ହୋଇଥିବାର ନଜିର ରହିଛି । ଏହାକୁ ନେଇ କୌଣସି ପ୍ରକାର ହାଇ ତୋବା ବା ହଂଗାମା କରିବାର କୌଣସି ଆବଶ୍ୟକତା ନାହିଁ ବୋଲି ସେ କହିଛନ୍ତି। ଶ୍ରୀ ଶାହ କହିଛନ୍ତି ଯେ ରାହୁଲ ଗାନ୍ଧୀ ଏହି ଦଣ୍ଡାଦେଶ ଉପରେ ରୋକ ଲଗାଇବାକୁ ଏବେ ଯାଏ ଅପିଲ କରି ନାହାନ୍ତି ।
ଏହା କେଉଁ ପ୍ରକାର ଅହଂକାର ବୋଲି ସେ କହିଛନ୍ତି । ଆପଣ ସଂସଦର ସଦସ୍ୟ ଭାବେ ରହିବାକୁ ଚାହୁଁଛନ୍ତି ଅନ୍ୟ ପକ୍ଷରେ କୋର୍ଟକୁ ଯିବାକୁ ଚାହୁଁ ନାହାନ୍ତି । ଏଭଳି କାହିଁକି ବୋଲି ସେ ପ୍ରଶ୍ନ କରିଛନ୍ତି । ଗୃହ ମନ୍ତ୍ରୀ କହିଛନ୍ତି ମହାଶୟ ପ୍ରଥମ ବ୍ୟକ୍ତି ନୁହନ୍ତି ଯାହାଙ୍କର ଏଭଳି ମାମଲାରେ ସଦସ୍ୟତା ରଦ୍ଦ ହୋଇଛି । ଲାଲୁ ପ୍ରସାଦ ଯାଦବ, ଜେ ଜୟଲଳିତା, ରସିଦ ଅଲଭି ଭଳି 17 ଜଣ ରାଜନେତା ଏହି ଆଇନ ଅନୁସାରେ ସେମାନଙ୍କର ବିଧାନସଭା ବା ସଂସଦର ସଦସ୍ୟତା ହରାଇଛନ୍ତି ।
ଅଧିକ ପଢନ୍ତୁ ଭାରତ ଖବର