ମିଳିଥିବା ସୂଚନା ଅନୁସାରେ, ଭାରତ ଓ ବଙ୍ଗଳାଦେଶ ସୀମାରେ ନିୟୋଜିତ ସୀମା ସୁରକ୍ଷା ବଳ ବା ବିଏସଏଫ ପାଇଁ ସୀମାକୁ ତଦାରଖ କରିବା ପାଇଁ କ୍ୟାମେରା, ଡ୍ରୋନ ଓ ଅନ୍ୟ ତଦାରଖ ଉପକରଣ ପାଇଁ ଆବଶ୍ୟକୀୟ ଅର୍ଥ ମଞ୍ଜୁରି କରାଯାଇଛି । ବିଏସଏଫର ମହାନିର୍ଦେଶକ ପଙ୍କଜ କୁମାର ସିଂହ ଏ ସମ୍ପର୍କରେ ସୂଚନା ଦେଇଛନ୍ତି ଯେ ପାକିସ୍ତାନ ଓ ବଙ୍ଗଳାଦେଶ ସୀମାର ଫରୱାର୍ଡ ପୋଷ୍ଟରେ ସାଢେ ପାଂଚ ହଜାର କ୍ୟାମେରା ଲଗା ଯିବ ।
ସେ କହିଛନ୍ତି ଯେ ପଶ୍ଚିମ ଫ୍ରଣ୍ଟ ଅର୍ଥାତ ପାକିସ୍ତାନ ସୀମାରେ ନିୟୋଜିତ ଥିବା ବିଏସଏଫ ନିକଟରେ ବର୍ତ୍ତମାନ ଡ୍ରୋନ ଅର୍ଥାତ ମାନବ ବିହୀନ ବିମାନ ବାହନ (ୟୁଏଭି) ଦ୍ୱାରା ଉତ୍ପନ୍ନ ବିପଦର ମୁକାବିଲା କରିବାକୁ କୌଣସି ଫୁଲ ପ୍ରୁଫ ପ୍ରଣାଳୀ ନାହିଁ । ଏହା ସତ୍ତ୍ୱେ ସୀମାବର୍ତ୍ତୀ ଅଂଚଳମାନଙ୍କରେ ତଦାରଖ ବ୍ୟବସ୍ଥାକୁ ଅତ୍ୟନ୍ତ କଡା କଡି କରାଯାଇଛି ।
ସେ ଆହୁରି କହିଛନ୍ତି ଯେ, ଆଗାମୀ ଗଣତନ୍ତ୍ର ଦିବସ ଅବସରରେ ଆୟୋଜିତ ହେବାକୁ ଥିବା ପ୍ୟାରେଡରେ ବିଏସଏଫର ଓଟ ଦଳରେ ଅଧା ମହିଳା ସାମିଲ ହେବେ । ବିଭିନ୍ନ ଡ୍ୟୁଟି ଓ ସମାରୋହମାନଙ୍କର ବିଏସଏଫର ମହିଳା କର୍ମୀ ମାନଙ୍କର ଭୂମିକା ବଢୁଛି । ବାରମ୍ବାର ମହିଳା ଜବାନ ମାନେ ସେମାନଙ୍କର ବଢୁଥିବା ଭୂମିକା ସମ୍ପର୍କରେ ପ୍ରମାଣ ଦେଇ ଆସିଛନ୍ତି ।
1976 ମସିହାରେ ବିଏସଏଫର ଓଟ ଟ୍ରୁପ ଅସ୍ତିତ୍ୱରେ ଆସିଥିଲା । ସେହି ବର୍ଷ ଠାରୁ ବିଏସଏଫର ଏହି ଓଟ ଟ୍ରୁପ ଗଣତନ୍ତ୍ର ଦିବସ ପ୍ୟାରେଡରେ ଲଗାତାର ସାମିଲ ହୋଇ ଆସୁଛି । ସେହିପରି ବିଏସଏଫ 1950 ମସିହାରୁ ଗଣତନ୍ତ୍ର ଦିବସ ପ୍ୟାରେଡରେ ଅଂଶଗ୍ରହଣ କରି ଆସୁଛି ।
ଏଠାରେ ଉଲ୍ଲେଖ କରାଯାଇ ପାରେ ଯେ ଏଥିରେ ବିଏସଏଫର ଜବାନ ଓ ବ୍ୟାଣ୍ଡ୍ ଦଳ ସାମିଲ ହୋଇଥାନ୍ତି । ଅନ୍ୟପକ୍ଷରେ ଭାରତ ପାକିସ୍ତାନ ସୀମାରେ ଡ୍ରୋନ ଦ୍ୱାରା ଭାରତ ମଧ୍ୟରେ ଅନୁପ୍ରବେଶର ଘଟଣା ବଢୁଛି । ତେବେ ବିଏସଏଫ ଜବାନ ମାନେ ମଧ୍ୟ ଏହି ଡ୍ରୋନ ଗୁଡିକ ବିରୁଦ୍ଧରେ ଲଗାତାର କାର୍ଯ୍ୟାନୁଷ୍ଠାନ କରୁଛନ୍ତି । ଚଳିତ ବର୍ଷ ଏବେ ଯାଏଁ ବିଏସଏଫ ପାକିସ୍ତାନରୁ ଆସିଥିବା 16 ଟି ଡ୍ରୋନକୁ ମାରି ଖସାଇଛି । ଏହି ଡ୍ରୋନ ଗୁଡିକ ବିଶେଷ ଭାବେ ଜମ୍ମୁ ସୀମାରେ ଓ ପଞ୍ଜାବ ସୀମୀରେ ଅନୁପ୍ରବେଶ କରିଥାଏ । ଏଥିରେ ଅସ୍ତ୍ର ଶସ୍ତ୍ର ଓ ଡ୍ରଗ୍ସ ପରି ଜିନିଷ ଭାରତ ମଧ୍ୟକୁ ପାକିସ୍ତାନ ଅନୁପ୍ରବେଶ କରାଇବାକୁ ଚେଷ୍ଟା କରିଥାଏ ।