ଲଣ୍ଡନରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ପ୍ରାଣ ପ୍ରତିଷ୍ଠା । ପୁରୀ ଶ୍ରୀ ଜଗନ୍ନାଥ ମଣ୍ଡଳର ବିଶିଷ୍ଟ ପୁରୋହିତମାନଙ୍କ ମାର୍ଗଦର୍ଶନରେ ହେଲା ବିଗ୍ରହ ସ୍ଥାପନ । ଶ୍ରୀମନ୍ଦିର ଦଇତାପତିଙ୍କ ପରାମର୍ଶକ୍ରମେ ରିତିନୀତି ଅନୁଯାଇ ଗଢ଼ା ହୋଇଥିଲା ଠାକୁରଙ୍କ ମୂର୍ତ୍ତି ।
ପରେ ଏହି ମୂର୍ତ୍ତିକୁ ବ୍ରିଟେନର ମନ୍ଦିରକୁ ନିଆଯାଇଥିଲା । ଏକ ସପ୍ତାହ ଉତ୍ସବ ପାଳନ ପରେ ମଙ୍ଗଳବାର ବିଗ୍ରହଙ୍କୁ ମନ୍ଦିରରେ ସ୍ଥାପନା କରାଯାଇଛି । ଏହି କାର୍ଯ୍ୟକ୍ରମରେ ବ୍ରିଟେନର ବିଶିଷ୍ଟ ବ୍ୟକ୍ତିତ୍ୱଙ୍କ ସହ ଧାର୍ମିକ ସଂଗଠନର ପ୍ରମୁଖ, ମନ୍ଦିର ଏବଂ ଗୁରୁଦ୍ୱାରର ପ୍ରତିନିଧିମାନେ ଯୋଗ ଦେଇଥିଲେ । ବିଗ୍ରହ ସ୍ଥାପନ ନେଇ ଉତ୍ସାହିତ ଅଛନ୍ତି ବ୍ରିଟେନର ଜଗନ୍ନାଥ ପ୍ରେମୀ ।
ସେପଟେ ଗ୍ରେଟର ଲଣ୍ଡନ ଅଞ୍ଚଳରେ ସ୍ବତନ୍ତ୍ର ଜଗନ୍ନାଥ ମନ୍ଦିର ନିର୍ମାଣ ପାଇଁ ଚାଲିଛି ଯୋଜନା । ପୁରୀ ଶ୍ରୀମନ୍ଦିର ପ୍ରଥାରେ ଏହି ମନ୍ଦିର ନିର୍ମାଣ କରାଯିବ । ଯାହା ବ୍ରିଟେନ ତଥା ୟୁରୋପରେ ଶ୍ରୀ ଜଗନ୍ନାଥ ସଂସ୍କୃତିର ଏକ ଦ୍ୱାର ହେବ । ଏଥିପାଇଁ ମହାପ୍ରଭୁ ଜଗନ୍ନାଥଙ୍କ ଆଦ୍ୟ ସେବକ ଗଜପତି ମହାରାଜାଙ୍କ ଆଶୀର୍ବାଦ ଗ୍ରହଣ କରାଯାଇଛି । ଏହାସହ ଓଡିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏବଂ ବ୍ରିଟେନର ଶିଳ୍ପପତିମାନଙ୍କର ସହଯୋଗ ପ୍ରାପ୍ତ ହୋଇଛି । ଅଭିନନ୍ଦନ ଭିଡିଓ ବାର୍ତ୍ତାରେ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରୀ ଜଗନ୍ନାଥ ସୋସାଇଟି ବ୍ରିଟେନକୁ ଧନ୍ୟବାଦ ଜଣାଇଛନ୍ତି ।
ଅନ୍ୟପଟେ ବାହାରିନରୁ ଡ. ଅରୁଣ କୁମାର ପ୍ରହରାଜ ଯିଏ କି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଜଣେ ଭକ୍ତ ଏହି ମନ୍ଦିର ନିର୍ମାଣକୁ ନେଇ ଖୁସି ବ୍ୟକ୍ତ କରିଛନ୍ତି । ଶ୍ରୀ ଜଗନ୍ନାଥ ସୋସାଇଟି ବ୍ରିଟେନର ସମସ୍ତ ସଦସ୍ୟ ତଥା କାର୍ଯ୍ୟକାରୀ କମିଟିକୁ ସେ ଅଭିନନ୍ଦନ ଜଣାଇବା ସହ ମନ୍ଦିର ନିର୍ମାଣ ନେଇ ଯୋଗଦାନ କରିବାକୁ ବିଶ୍ବର ସମସ୍ତ ଭକ୍ତଙ୍କୁ ଅନୁରୋଧ କରିଛନ୍ତି । ଏହି ମନ୍ଦିର ପ୍ରତିଷ୍ଠା ହେଲେ ଲଣ୍ଡନରେ ଶ୍ରୀ ଜଗନ୍ନାଥଙ୍କ ସଂସ୍କୃତିର ପ୍ରଚାର ପ୍ରସାର ସହ ବହୁ ଜଗନ୍ନାଥ ପ୍ରେମୀ ଉପକୃତ ହେବେ ।